ଗୋଟିଏ ଦେଶ ଗୋଟିଏ ନିବାର୍ଚନ ! କାର୍ଯ୍ୟକାରୀ ପାଇଁ କଣ ରହିଛି ସମସ୍ୟା, ମୁଖ୍ୟ ନିର୍ବାଚନ କମିଶନର ଦେଲେ ପୁରା ତାଲିକା

54

କନକ ବ୍ୟୁରୋ : ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଏବେ ଭାରତରେ ସମ୍ଭବ ନୁହେଁ । ଗୋଟିଏ ପଟେ କେନ୍ଦ୍ରରେ ଥିବା ବିଜେପି ସରକାର ଦେଶରେ ଏକକାଳୀନ ନିର୍ବାଚନ କରିବାକୁ ଅଣ୍ଟା ଭିଡିଥିବା ବେଳେ ଏବେ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଓପି ରାୱତ । ଦେଶରେ ଏବେ ଏକକାଳୀନ ନିର୍ବାଚନ କରିବା ଆଇନ ଅନୁଯାୟୀ ଅସମ୍ଭବ ବୋଲି କହିଛନ୍ତି ଓପି ରାୱତ । କାରଣ ଏକକାଳୀନ ନିର୍ବାଚନ କରିବାକୁ ହେଲେ ସମ୍ବିଧାନରେ ପ୍ରଚଳିତ ଆଇନକୁ ସଂଶୋଧନ କରିବାକୁ ପଡିବ ।

ଏହାଛଡା ଏକକାଳୀନ ନିର୍ବାଚନ ପାଇଁ ନିର୍ବାଚନ କମିଶନରଙ୍କ ନିକଟରେ ଆବଶ୍ୟକୀୟ ଇଭିଏମ ଓ ଭିଭିପାଟ ମେସିନ ନାହିଁ । ତେଣୁ ଏବେ ଏକକାଳୀନ ନିର୍ବାଚନ ଏବେ ସମ୍ଭବ ନୁହେଁ । ତେବେ ଏସବୁ ଭିତରେ କେନ୍ଦ୍ର ସରକାର ଆସନ୍ତା ବର୍ଷ ପ୍ରାରମ୍ଭରେ ଲୋକସଭା ସହିତ ୧୧ଟି ରାଜ୍ୟରେ ବିଧାନସଭା ନିବାର୍ଚନ କରିବାକୁ ଚାହୁଁଥିବା ଜଣାପଡିଛି । ଏପରିକି ଏଥିପାଇଁ ବିଜେପି ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଲାଣି । ଯାହାକୁ ଗ୍ରୀନ ସିଗନାଲ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ତେବେ ଏଥିପାଇଁ ଅଧିକରୁ ଅଧିକ ଭିଭିପାଟ ମେସିନ ଆବଶ୍ୟକ । ଆଉ ଏହି ସଂକ୍ରାନ୍ତରେ ଆଗାମୀ ଗୋଟିଏରୁ ଦୁଇ ମାସ ମଧ୍ୟରେ କେନ୍ଦ୍ର ସରକାର ନିଷ୍ପତି ନେବା ଆବଶ୍ୟକ ।

୨୦୧୯ରେ ଯେଉଁ ଯେଉଁ ରାଜ୍ୟ ଗୁଡିକରେ ନିର୍ବାଚନ ହେବାକୁ ଅଛି ତାହାକୁ ଏକା ସାଙ୍ଗରେ କରିବାକୁ ଯୋଜନା କରାଯାଉଛି । କିନ୍ତୁ ଏନେଇ କୌଣସି ସରକାରଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ । ଚଳିତବର୍ଷ ୪ଟି ରାଜ୍ୟ ଯଥା ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଓ ମିଜୋରାମ ନିର୍ବାଚନକୁ ଆସନ୍ତାବର୍ଷକୁ ଘୁଂଚାଇ ଦିଆଯାଇପାରେ । ବିହାରରେ ବି ଆଗୁଆ ଭୋଟ ହେବା ସମ୍ଭାବନା ରହିଛି । ଏ ନେଇ ବିଜେପି ଆଇନ କମିଶନକୁ ପତ୍ର ଲେଖିବା ପରେ ଚର୍ଚ୍ଚା ଜୋର ଧରିଛି । ଏହି ରାଜ୍ୟ ସହ ମହାରାଷ୍ଟ, ହରିୟାଣା, ଝାଡଖଣ୍ଡ, ଓଡିଶା, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରହିଛି । ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଓ ମିଜୋରାମରେ ରାଷ୍ଟପତି ଶାସନ ଅବଧି ବଢାଇ ଓ ହରିୟାଣା, ବିହାର, ମହାରାଷ୍ଟ୍ର, ଝାଡଖଣ୍ଡରେ ସମୟ ପୂର୍ବରୁ ବିଧାନସଭା ଭଙ୍ଗ କରାଯାଇ ଭୋଟ କରାଯାଇପାରେ । ଏ କ୍ଷେତ୍ରରେ ଆନ୍ଧ୍ରପ୍ରଦେଶ, ଓଡିଶା, ତେଲେଙ୍ଗାନା ଲାଗି କୌଣସି ସାମ୍ବିଧାନିକ ସମସ୍ୟା ରହିବ ନାହିଁ । ଅଧିକାଂଶ ରାଜ୍ୟରେ ବିଜେପି ଓ ସହଯୋଗୀ ଶାସନ କରୁଥିବାରୁ ଏକକାଳୀନ ନିର୍ବାଚନ ପାଇଁ କୌଣସି ସମସ୍ୟା ରହିବ ନାହିଁ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଯେ ଆସନ୍ତାବର୍ଷ ଜାନୁଆରୀ ମାସରେ ବିଜେପି ଶାସିତ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଧାନସଭା କାର୍ୟ୍ୟକାଳ ଶେଷ ହେଉଛି । ସେହିଭଳି କଂଗ୍ରେସ ଶାସିତ ମିଜେରାମ ବିଧାନସଭା କାର୍ୟ୍ୟକାଳ ଆସନ୍ତା ଡିସେମ୍ବରରେ ଶେଷ ହେବ । ଏହିସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ଚଳିତ ବର୍ଷ ଶେଷ ଆଡ଼କୁ ହେବା କଥା । କିନ୍ତୁ ଏହାକୁ ଆସନ୍ତା ବର୍ଷକୁ ଘୁଞ୍ଚାଇ ଦିଆଯିବା ସହିତ ସଂପୃକ୍ତ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରାଯିବ । ସେହିଭଳି ୨୦୧୯ ଶେଷ ଆଡ଼କୁ ହରିଆଣା, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହେବା କଥା । କିନ୍ତୁ ଏହିସବୁ ବିଜେପି ଶାସିତ ରାଜ୍ୟରେ ନିର୍ବାଚନକୁ ଆଗୁଆ କରାଯିବାକୁ ଯୋଜନା ରହିଛି । ବିହାରରେ ୨୦୨୦ ଶେଷ ଆଡ଼କୁ ବିଧାନସଭା କାର୍ୟ୍ୟକାଳ ସରିବ । ତେବେ ଏଠାରେ ମଧ୍ୟ ଆସନ୍ତାବର୍ଷ ଲୋକସଭା ସହିତ ନିର୍ବାଚନ କରିବାକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହତ କଥାବାର୍ତା ଚାଲିଛି । ବିହାରରେ ନୀତୀଶଙ୍କ ଜେଡିୟୁ ସହିତ ବିଜେପି ମେଣ୍ଟ ସରକାର ଚଳାଇଛି ।

କେନ୍ଦ୍ର ସରକାର ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ କରିବାକୁ ସମସ୍ତ ଦଳ ମଧ୍ୟରେ ସହମତି ଆଣିବାକୁ ଏକ ସର୍ବଦଳୀୟ ବୈଠକ ମଧ୍ୟ ଡାକିବାକୁ ଯୋଜନା କରୁଛି । ଲ କମିଶନ ଏହା ଉପରେ ତର୍ଜମା କରି ରିପୋର୍ଟ ଦେବା ପରେ ଏହି ବୈଠକ ଆୟୋଜନ କରାଯାଇପାରେ । ଲ’ କମିଶନଙ୍କ ରିପୋର୍ଟ ଆଧାରରେ ଏକକ ନିବାର୍ଚନ ପାଇଁ ଏକ ଢାଞ୍ଚା ପ୍ରସ୍ତୁତ କରାଯିବ । ଯେଉଁ ରିପୋର୍ଟ ଉପରେ ବିସ୍ତୃତ ଭାବେ ଚର୍ଚ୍ଚା ହେବା ପରେ ଏକକ ନିର୍ବାଚନ ନେଇ ନିଷ୍ପତି ନିଆଯିବ । ଆଉ ଏସବୁ ଭିତରେ ୨୦୧୯ ଲୋକସଭା ନିବାର୍ଚନ ପାଇଁ ବିଭିନ୍ନ ରାଜ୍ୟକୁ ଇଭିଏମ ଓ ଭିଭିପାଟ ପଠାଇବା ଆରମ୍ଭ କଲେଣି ମୁଖ୍ୟ ନିର୍ବାଚନ କମିଶନର । ୧୩.୯୫ ଲକ୍ଷ ବାଲାଟ ୟୁନିଟ ଓ ୯.୩ ଲକ୍ଷ କଣ୍ଟ୍ରୋଲ ୟୁନିଟ୍ ସେପ୍ଟେମ୍ବର ୩୦ ସୁଦ୍ଧା ପଠାଯିବାକୁ ଲକ୍ଷ୍ୟ ରଖାଯାଇଛି । ସେହିଭଳି ୧୬.୧୫ ଲକ୍ଷ ଭିଭିପାଟ ମେସିନ ମଧ୍ୟ ନଭେମ୍ବର ଶେଷ ସୁଦ୍ଧା ବିଭିନ୍ନ ରାଜ୍ୟ ଗୁଡିକୁ ପଠାଯିବ ବୋଲି ଓପି ରାୱତ କହିଛନ୍ତି । କିନ୍ତୁ ଯଦି ଏକକାଳୀନ ନିର୍ବାଚନ ହୁଏ ତେବେ ନିର୍ବାଚନ କମିଶନରଙ୍କୁ ୨୪ ଲକ୍ଷ ଇଭିଏମ ଆବଶ୍ୟକ ପଡିବ । ଏପରିକି ଆହୁରି ୧୨ ଲକ୍ଷ ଭିଭିପାଟ ମେସିନ ମଧ୍ୟ ଆବଶ୍ୟକ ପଡିବ । ଆଉ ଏଥିପାଇଁ ୪୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ ।