ପୂର୍ବତନ ବିଧାୟକଙ୍କ ଘରେ ନାହିଁ ବିଜୁଳୀ । ଅବହେଳିତ ଅବସ୍ଥାରେ ମାଲଗିରିର ପ୍ରଥମ ବିଧାୟକଙ୍କ ପରିବାର

71

କନକ ବ୍ୟୁରୋ: ଆଜିକା ସମାଜରେ ରାଜନେତା କିମ୍ବା ତାଙ୍କ ପରିବାରର କଥା ଶୁଣିଲେ ମନରେ ଗୋଟିଏ ବିଳାଶପୂର୍ଣ୍ଣ ଜୀବନର ଛବି ଭାସି ଉଠେ । ହେଲେ ଆଜିକାର ରାଜନୈତିକ ଭିଡ ଭିତରେ ଅନେକ ବିଧାୟକଙ୍କ ପରିବାର ଅଲୋଡା ହୋଇପଡିଛି । ଯାହାର ଏକ ଉଦାହରଣ ହେଉଛନ୍ତି ମାଲକାନଗିରି ନିର୍ବାଚନୀ ମଣ୍ଡଳିର ପ୍ରଥମ ବିଧାୟକ ଗୁରୁ ନାୟକ । ଯାହାଙ୍କ ଦାୟାଦ ଏବେ ଦାରିଦ୍ରତାର ଶିକାର ହୋଇ ଭଙ୍ଗା ଦଦରା ଘରେ ଜୀବନ ବିତାଉଛନ୍ତି । ଦୁଇ ଓଳି ଦୁଇ ମୁଠାଏ ଖାଇବା ଲାଗି ନାନା ସଙ୍ଘର୍ଷ କରୁଛନ୍ତି ବିଧାୟକଙ୍କ ଦାୟାଦ ।

ଅଲୋଡା ହୋଇ ପଡିଛି ବିଧାୟକଙ୍କ ପରିବାର । ଦୁର୍ଦଶା ଭୋଗୁଛନ୍ତି ମାଲକାନଗିରି ଜିଲ୍ଲାର ପ୍ରଥମ ବିଧାୟକଙ୍କ ଦାୟଦ । ଆମେ କହୁଛୁ ମାଲକାନଗିରି ଜିଲ୍ଲାର ପ୍ରଥମ ବିଧାୟକ ଗୁରୁ ନାୟକଙ୍କ କଥା । ଅବିଭକ୍ତ କୋରାପୁଟ ଜିଲ୍ଲାର ନନ୍ଦପୁର ନିର୍ବାଚନ ମଣ୍ଡଳିରୁ ଅଲଗା ହୋଇ ୧୯୫୬ ମସିହାରେ ନବ ନିର୍ମିତ ମାଲକାନଗିରି ବିଧାନ ସଭା ଆସନରୁ ଓଡିଶା ଗଣ ପରିଷଦ ଦଳରୁ ପ୍୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ଥିଲେ ଗୁରୁ ନାୟକ । ସେହି ସମୟରେ ମୁଖ୍ୟ ମନ୍ତ୍ରୀ ଥିଲେ ହରେ କୃଷ୍ଣ ମହତାବ । ସେହିପରି ୧୯୬୨ ମସିହାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଲଗାତାର ଦ୍ୱିତୀୟ ଥର ପାଇଁ ବିଧାୟକ ହୋଇ ଜିଲ୍ଲାର ବହୁ ଉନ୍ନୟନ ମୂଳକ କାମ କରିଥିଲେ ଗୁରୁ ନାୟକ ।

ତେବେ ସେହି ଆଦିବାସୀ ନେତା ତଥା ମାଲକାନଗିରି ଜିଲ୍ଲାର ଆଦି ମଣିଷ କୁହାଯାଉଥିବା ଗୁରୁ ନାୟକଙ୍କ ପରିବାର ଆଜିକାର ସ୍ୱାର୍ଥପର ସମାଜରେ ମୁଣ୍ଡ ଟେକି ଚାଲିବା ତ ଦୂରରେ ଥାଉ, ଦୁଇ ଓଳି ଦୁଇ ମୁଠାଏ ଖାଇବା ଲାଗି ନାନା ସଙ୍ଘର୍ଷ ଜାରି ରଖିଛନ୍ତି । ୧୯୯୫ ମସିହାରେ ଗୁରୁ ନାୟକଙ୍କ ବିୟୋଗ ପରେ ସତେ ଯେମିତି ଦୁଃଖ ଓ ଦୁର୍ଦଶାର ପାହାଡ ଭାଙ୍ଗି ପଡିଛି ତାଙ୍କ ପରିବାର ଉପରେ । ଦୁଇ ପୁଅ କିଶୋର ଓ ଶରତ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ୩ ଭଉଣୀଙ୍କ ମଧ୍ୟରେ ଜଣେ ଆଶା କର୍ମୀ ତ ଆଉ ଜଣେ ଆଙ୍ଗନୱାଡି ଦିଦି ଓ ଅନ୍ୟ ଜଣେ ଏବେ ବି ଅବିବାହିତା । ମାଙ୍କ ମୃତ୍ୟୁ ପରେ ଆଉ ପେନସନ ମଧ୍ୟ ପାଉଁ ନାହାନ୍ତି ଏମାନେ । ଯାହା ଜମି ବାଡି ଥିଲା ନାତି ନାତୁଣିଙ୍କୁ ଟେକି ଦେବା ପରେ ଅର୍ଥାଭାବ ଯୋଗୁଁ ଭଙ୍ଗା ଦଦରା ଆଜବେଶ୍ଟସ ଘରେ ଦିନ କାଟୁଛନ୍ତି ଗୁରୁ ନାୟକଙ୍କ ଦାୟଦ । ଆହା ପଦେ କହିବାକୁ କେହି ନାହିଁ ଏମାନଙ୍କ ନିକଟରେ ।

ସ୍ୱାଧୀନତା ପରେ ମାଲକାନଗିରି ଜିଲ୍ଲାକୁ ପକ୍କା ରାସ୍ତା କିମ୍ବା ବସ ଚଳାଚଳ କରୁ ନ ଥିବା ବେଳେ ଗୁରୁ ନାୟକ ଶଗଡ ଗାଡିରେ ଜୟପୁର ଯାଇ ଭୁବନେଶ୍ୱର ଯାଉ ଥିଲେ । ଜିଲ୍ଲାରେ ବାଲିମେଳା ଜଳଭଣ୍ଡାର ନିର୍ମାଣ, ବୁଦ୍ୟୁ ଉତ୍ପାଦନ କେନ୍ଦ୍ର ସମେତ ମୋଟୁ ମାଲକାନଗିରି ରାଜ୍ୟ ରାଜପଥ ନିର୍ମାଣ ପଛରେ ତାଙ୍କ ଉଦ୍ୟମ ଥିବା କୁହାଯାଉଛି । ତେବେ ସେହି ଆଦିବାସୀ ନେତାଙ୍କ ନିଜ ଗାଁ ବୋଇଲାପାରିଠାରେ ଆଜି ଯାଏଁ ଭଲ ରାସ୍ତା ଖଣ୍ଡେ ବି ନାହିଁ, ଶିକ୍ଷା ସ୍ୱାସ୍ଥ୍ୟ ଏବେ ବି ଏଠାରେ ଅପହଁଚ । ତେବେ ତୁରନ୍ତ ଏହି ଆଦିବାସୀ ନେତାଙ୍କ ପ୍ରତି ଦୃଷ୍ଟି ଦେବା ଲାଗି ଦାବି କରାଯାଇଛି ।