ଆସନ୍ତାକାଲି ଓଡିଶା ଆସିବ ଓମିସିଓର କିଟ୍: ଓଡିଶାକୁ ଏହି କିଟ୍ ଦେବ ଟାଟା ଏମଡି

108

କନକ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶା ଆସିବ ଓମିସିଓର କିଟ୍ । ମେଡିକାଲ ଆଣ୍ଡ ଡାଇଗ୍ନୋଷ୍ଟିକ୍ସ ଲିମିଟେଡ (ଟାଟା ଏମଡି) ଦ୍ବାରା ପ୍ରସ୍ତୁତ ଏହି କିଟର ପ୍ରଥମ ଅର୍ଡର ‌ସୋମବାର ଆସିବ । ଟାଟା ଏମଡି ଓଡ଼ିଶାକୁ ଏହି କିଟ ଦେବାକୁ ଥିବାବେଳେ ଏହାର ବ୍ୟବହାର ଫଳରେ ଆଉ ଜିନମ ସିକ୍ୱେନ୍ସିଂର ଆବଶ୍ୟକତା ପଡିବନି । କିଛି ଦିନ ତଳେ ଓମିକ୍ରନ ସହ ଲଢ଼ିବା ପାଇଁ ଟାଟା ପ୍ରସ୍ତୁତ କରିଥିବା ଟେଷ୍ଟିଂ କିଟ୍ ଓମିସିଓରକୁ ମଞ୍ଜୁରୀ ପ୍ରଦାନ କରିଥିଲା ଆଇସିଏମଆର । ଆଉ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଓମିସିଓର କିଟ କିଣିବା ପାଇଁ ଅର୍ଡର ଦେଇଥିଲା।

ଓଡିଶା ଷ୍ଟେଟ ମେଡିକାଲ କର୍ପୋରେସନ ଲିମିଟେଡ (ଓଏସଏମସିଏଲ) ୫ଲକ୍ଷ ପରୀକ୍ଷା କିଟ୍ ପାଇଁ ପାଇଁ ଟାଟା ଏମଡିକୁ ଅର୍ଡର ଦେଇଥିଲା । ଏହି କିଟ ଆସିବା ଦ୍ବାରା ସ୍ବାସ୍ଥ୍ୟ ବିଭାଗକୁ ଲୋକଙ୍କ ନମୁନା ଜିନୋମ ସିକ୍ୟୁଏନ୍ସିଂ ପାଇଁ ପଠାଇବାକୁ ପଡ଼ିବ ନାହିଁ।

ଏହି କିଟ୍ ଦ୍ବାରା ଲୋକେ ଓମିକ୍ରନ ଆକ୍ରାନ୍ତ କି ନାହିଁ ଜଣାପଡ଼ିଯିବ। ଭାରତରେ ଓମିକ୍ରନ୍ ଭାରିଆଣ୍ଟକୁ ଚିହ୍ନଟ କରିବା ପାଇଁ ବ୍ୟବହୃତ ହେଉଥିବା କିଟ୍ ଆମେରିକାର ଥର୍ମୋ ଫିସର କମ୍ପାନି ବିକଶିତ କରିଛି। ଭାରିଆଣ୍ଟକୁ ଚିହ୍ନିବା ପାଇଁ ଏହା ଏସ ଜିନ୍ ଟାର୍ଗେଟ୍ ଫେଲିଓର ଷ୍ଟ୍ରୋଟେଜି (ଏସଜିଟିଏଫ) ପ୍ରକ୍ରିୟା ବ୍ୟବହାର କରୁଛି। ତେବେ ଆଇସିଏମଆର ଟାଟାର ଯେଉଁ କିଟକୁ ମଞ୍ଜୁରୀ ପ୍ରଦାନ କରିଛି, ତାହାର ସଂପୂର୍ଣ୍ଣ ନାମ ଟାଟା ଏମଡି ଚେକ୍ ଆରଟି-ପିସିଆର ଓମିସିଓର ରହିଛି ।