୧୫ ଦିନରେ ୧୩ ଥର ବଢିଲାଣି ତେଲଦର: ଟୁଇଟି କରି ମୋଦୀ ସରକାରଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ

148

କନକ ବ୍ୟୁରୋ: ୨୦୧୪ରେ ଦେଶରେ ମୋଦି ସରକାର ଆସିବା ପରେ ଦୀର୍ଘ ବର୍ଷ ଧରି ଅଶୋଧିତ ତୈଳ ଦର ନୀଚା ରହିଲା । ତେବେ ମୋଦି ସରକାର ଆସିବା ବେଳେ ଲିଟର ପିଛା ପେଟ୍ରୋଲ ଦର ପ୍ରାୟ ୭୦ ଟଙ୍କା ଥିବା ବେଳେ ଏବେ ପ୍ରାୟ ୧୧୦ଟଙ୍କାରେ ପହଁଚିଛି- ଯାହା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି । ମାସେ ତଳେ ରୁଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭରେ କିଛି ଦିନ ପାଇଁ ଅଶୋଧିତ ତୈଳ ଦର ବଢ଼ିଥିଲେ ବି ଏବେ ତାହା ଖସିଚାଲିଛି । ତଥାପି ତୈଳ ଦର କାହିଁକି ବଢ଼ିଚାଲିଛି ସେ ନେଇ ପ୍ରଶ୍ନ ଉଠୁଛି?

୮ ବର୍ଷରେ ତେଲ ଦର ବୃଦ୍ଧି ନେଇ ଏ ହେଉଛି ରାହୁଲ ଗାନ୍ଧୀଙ୍କ ଏକ ଟ୍ୱିଟ । ଟ୍ୱିଟରେ ୨୦୧୪ ଓ ୨୦୨୨ର ଏକ ତୁଳନାତ୍ମକ ଚିତ୍ର ଦିଆଯାଇଛି । ସେତେବେଳେ ସ୍କୁଟର ଚଲାଇବା ପାଇଁ ଯେଉଁ ବ୍ୟକ୍ତି ମାସିକ ୭୧୪ଟଙ୍କା ଖର୍ଚ୍ଚ କରୁଥିଲେ ଏବେ ତାହା ୧,୦୩୮ ଟଙ୍କା ହୋଇଯାଇଛି । ଅର୍ଥାତ୍ ମାସିକ ତେଲ ଖର୍ଚ୍ଚ ୩୨୪ ଟଙ୍କା ବଢ଼ିଯାଇଛି । ସେମିତି କାର ଚଢ଼ିବା ପାଇଁ ସେତେବେଳେ ଯ୍ଖଶ ମାସିକ ୨,୮୫୬ ଟଙ୍କା ଖର୍ଚ୍ଚ କରୁଥିଲେ ଏବେ ତାଙ୍କୁ ୪,୧୫୨ ଟଙ୍କା ଅର୍ଥାତ୍ ଅଧିକ ୧,୨୯୬ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି ।

୨୦୧୪ରେ ମୋଦି ସରକାର ଆସିବା ବେଳେ ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ଥିଲା ପ୍ରାୟ ୮୪ ଡଲାର ଥିଲା । ସେତେବେଳେ ଖୁଚୁରା ବଜାରରେ ପେଟ୍ରୋଲ ଲିଟର ଥିଲା ପ୍ରାୟ ୭୦ ଟଙ୍କା । ତା’ ପରେ ପ୍ରତି ବର୍ଷ ଅଶୋଧିତ ତେଲ ଦର କମିଚାଲିଲା । ଶେଷରେ ୨୦୨୧ରେ ଏହା ୪୪ ଡଲାରରେ ପହଁଚିଗଲା । ପ୍ରାୟ ମାସକ ତଳେ ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଅଶୋଧିତ ତେଲ ଦର କିଛିଦିନ ପାଇଁ ପୁଣି ବଢ଼ିଗଲା । ତେବେ କିଛି ଦିନ ପରେ ୧୦୨ ଡଲାରକୁ ଖସିଆସିଲାଣି । ତଥାପି ଭାରତୀୟ ବଜାରରେ କମୁନି ତେଲର ଦର ।

ତୈଳରୁ ଟିକସ ଆଦାୟ କରିବା ଉଭୟ କେନ୍ଦ୍ର ଓ ରାଜ୍ୟ ପାଇଁ ଲାଭଜନକ ହୋଇଛି । ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ୍ ଆନାଲିସିସ୍ ସେଲର ତଥ୍ୟ ଅନୁଯାୟୀ ୨୦୨୦-୨୧ରେ କେନ୍ଦ୍ର ସରକାର ୪ ଲକ୍ଷ ୫୫ ହଜାର କୋଟି ଟଙ୍କାର ଟିକସ ଆଦାୟ କରିଥିବା ବେଳେ ରାଜ୍ୟଗୁଡ଼ିକ ମଧ୍ୟ ୨ ଲକ୍ଷ ୧୭ ହଜାର କୋଟି ଆଦାୟ କରିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ଲୋକଙ୍କଠାରୁ ୬ ଲକ୍ଷ ୭୨ ହଜାର ଟଙ୍କାର ଟିକସ ଆଦାୟ କରିଥିବା ସ୍ପଷ୍ଟ ହୋଇଛି ।