ଗାଙ୍ଗପୁର ଆଇଆଇସି ମୃତ୍ୟୁ ରହସ୍ୟରୁ ଉଠୁନି ପରଦା: କୋର୍ଟକୁ କେସ ଯିବା ପରେ ଗଞ୍ଜାମ ପୋଲିସ ଛାତିରେ ଛନକା

162

କନକ ବ୍ୟୁରୋ: ଗାଙ୍ଗପୁର ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ଏବେ ବି ରହସ୍ୟ ଘେରରେ । ସହକର୍ମୀ ପୁଲିସ ସନ୍ଦେହ ଘେରରେ ଥିବା ବେଳେ ତଦନ୍ତ ଦାୟିତ୍ୱ ମଧ୍ୟ ତାଙ୍କରି ହାତରେ ଥିବାରୁ ଗୁମର ଖୋଲିବା ନେଇ ସନ୍ଦେହ ରହିଥିଲା । କିନ୍ତୁ ଏବେ ଏହି ମାମଲା ହାଇକୋର୍ଟରେ ପହଁଚିଛି ।

ଆଇଆଇସିଙ୍କ ମୃତ୍ୟୁ ପ୍ରସଙ୍ଗରେ ଭାରତ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ହୋଇଛି ମାମଲା । ଆବେଦନରେ ସନ୍ଦେହ ଘେରରେ ଥିବା ଭଞ୍ଜନଗର ଏସଡିପିଓ ଓ ଆଇଆଇସିଙ୍କ ଲାଏ ଡିଟେକ୍ସନ ଟେଷ୍ଟ ସହ ଘଟଣାର ସିବିଆଇ ତଦନ୍ତ ପାଇଁ ଅନୁରୋଧ କରାଯାଇଛି । ଆଉ ଏହି ସବୁ ବଳିଷ୍ଠ ଯୁକ୍ତିକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପିଟିଶନର

– ସାହସିକତା ପୁରସ୍କାର ପାଇଥିବା ଗମାଙ୍ଗ ଆତ୍ମହତ୍ୟା କଲେ କାହିଁକି?
– ପୁଲିସ ପୋଷାକର ଡାହାଣ ପଟେ ବନ୍ଧୁକ ଥାଏ, ବାମ ପଟେ ଗୁଳି ବାଜିଲା କେମିତି?
– ଆତ୍ମହତ୍ୟା କରୁଥିବା ବ୍ୟକ୍ତି ମୁଣ୍ଡକୁ ଗୁଳି ନକରି ଅଣ୍ଟା ତଳକୁ ଗୁଳି କାହିଁକି କରିବ?
– ଗୁଳି ବାଜିବା ପରେ ଉପସ୍ଥିତ ପୁଲିସ ଅଧିକାରୀ ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇଥିଲେ କି?
– ଆତ୍ମହଦ୍ୟା ନିଷ୍ପତ୍ତି ନେଇଥବା ବ୍ୟକ୍ତି ଏକାନ୍ତରେ ଏହା କରି ପାରିଥାଆନ୍ତେ
– ଅନ୍ୟ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଜଣେ କିପରି ଆତ୍ମହତ୍ୟା କରିବ?

କୋର୍ଟରେ ଦର୍ଶାଯାଇଥିବା ଯୁକ୍ତି ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏକ ପୁରୁଣା ମାମଲାରେ ନିର୍ଦ୍ଦିଷ୍ଟ ଜଣେ ବ୍ୟକ୍ତିଙ୍କ ନାଁ ବାଦ ଦେବାକୁ ଗମାଙ୍ଗଙ୍କ ଉପରେ ଚାପ ପଡୁଥିଲା । ଆଉ ଯେଉଁଥିରେ ରାଜି ନଥିଲେ ମୃତ ଆଇଆଇସି । ସେହି ପ୍ରଭାବଶାଳୀ ବ୍ୟକ୍ତି କିଏ ଓ ତାଙ୍କୁ ବଂଚାଇବାକୁ କାହିଁକି ଉଦ୍ୟମ କରାଯାଉଥିଲା, କୋର୍ଟରେ ଏ ପ୍ରଶ୍ନର ମଧ୍ୟ ଉତର ଦେବାକୁ ପଡିବ ।