ଓଡିଶା ବିଜେପିର ଦିଲ୍ଲୀ ରାଜନୀତିକୁ ନେଇ ଚର୍ଚ୍ଚା: ଜେପି ନଡ୍ଡାଙ୍କୁ ରାଜ୍ୟ ନେତା ଭେଟିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅପରାଜିତା

265

କନକ ବ୍ୟୁରୋ: ମୋଦିଙ୍କ ସହ ସାଂସଦ ଅପରାଜିତାଙ୍କ ଏହି ଫଟୋ ଟ୍ୱିଟ କରିଛନ୍ତି ନିଜେ ଅପରାଜିତା ଷଡଙ୍ଗୀ । ଆଉ ଲେଖିଛନ୍ତି, ବିଭିନ୍ନ ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା କରିଛନ୍ତି ଏବଂ ମୋଦିଙ୍କଠାରୁ ସେ ସବୁବେଳେ ପ୍ରେରଣା ପାଆନ୍ତି ।

ମୋଦିଙ୍କ ସହ ଅପରାଜିତାଙ୍କ ସାକ୍ଷାତ ଏକ ସ୍ୱାଭାବିକ କଥା । କିନ୍ତୁ ଏହି ସମୟରେ ମୋଦିଙ୍କ ସହ ସାକ୍ଷାତ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କାରଣ କିଛି ଦିନ ପୂର୍ବରୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ତାଙ୍କ ଟିମ ଦିଲ୍ଲୀ ଯାଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟିଥିଲେ । ଏହାପରେ ବିଜେପି ବିଧାୟକ ଦିଲ୍ଲୀଯାଇ କେନ୍ଦ୍ରମନ୍ତ୍ରୀମାନଙ୍କୁ ଭେଟିଥିଲେ ।

ଏପ୍ରିଲ ୨ରେ ଓଡିଶା ବିଜେପିର ୨୦ଜଣ ବିଧାୟକ ଦିଲ୍ଲୀ ଯାଇ ୩ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିଲେ । ଏହାପୂର୍ବରୁ ମାର୍ଚ ୩୧ରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ତାଙ୍କ ଟିମ ଦିଲ୍ଲୀରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ସାକ୍ଷାତ କରିଥିଲେ । ଏବେ ଅପରାଜିତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଆଲୋଚନା କରିବା ବିଜେପି ରାଜନୀତିକୁ ଚଳଚଂଚଳ କରିଦେଇଛି ।

ପଂଚାୟତ ନିର୍ବାଚନରେ ବିଜେପି ଅତି ଖରାପ ପ୍ରଦର୍ଶନ କରିବା ପରେ ପୌର ନିର୍ବାଚନରେ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଛି । କିନ୍ତୁ ଏ ସବୁ ନିର୍ବାଚନ ଶୀର୍ଷ ନେତୃବନ୍ଦଙ୍କ ମଧ୍ୟରେ ଥିବା ଫାଟକୁ ବି ସାମ୍ନାକୁ ଆଣିଛି । କୁହାଯାଉଛି, ଆଗାମୀ ମାସରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ତାଙ୍କ ପରେ ପରେ ଗୃହମନ୍ତ୍ରୀ ଅମିତ ଶାହ ଓଡିଶା ଆସିପାରନ୍ତି ।

ଇତିମଧ୍ୟରେ ନିର୍ବାଚନରେ ପ୍ରଦର୍ଶନକୁ ନେଇ ରିପୋର୍ଟ ପ୍ରସ୍ତୁତ କରୁଛି ଓଡିଶା ବିଜେପି । କାହିଁକି ଦଳ ଆଶାନୁରୂପ ପ୍ରଦର୍ଶନ କରିପାରୁନାହିଁ, କାହିଁକି ବିଜେଡିକୁ ଟକ୍କର ଦିଆଯାଇପାରୁନାହିଁ, ଏ ସବୁ ପ୍ରସଙ୍ଗ ଉପରେ ରିପୋର୍ଟ ତିଆରି ହେବ । ତେବେ ସବୁଠାରୁ ବଡ କଥା ହେଉଛି, ୨୦୨୪ ନିର୍ବାଚନକୁ ଦଳ କିଭିଳି ସାମ୍ନା କରିବ ସେଥିପାଇଁ ନଡ୍ଡା ରାଜ୍ୟ ବିଜେପିକୁ ଏକ ବ୍ଲ-ପ୍ରିଂଟ ଦେଇପାରନ୍ତି ।