ଓଡିଶାର ଷ୍ଟାର୍ଟ ଅପ ବୋନ୍-ଭି କମ୍ପାନୀକୁ ମିଳିଲା ସଫଳତା: ସେନା ପାଇଁ ଇଲେକ୍ଟ୍ରିକାଲ ଏୟାରକ୍ରାଫ୍ଟ ତିଆରି କରିଛନ୍ତି ୪ ଓଡିଆ

151

କନକ ବ୍ୟୁରୋ: ଓଡିଶାର ଷ୍ଟାର୍ଟ ଅପ ବୋନ୍-ଭି କମ୍ପାନୀକୁ ମିଳିଲା ସଫଳତା । ୪ ଜଣ ଯୁବ ଓଡିଆ ଇଂଜିନିଅର ଏକ ଇଲେକ୍ଟ୍ରିକାଲ ଏୟାରକ୍ରାଫ୍ଟ ତିଆରି କରିଛନ୍ତି । ୫୦ କେଜି ଓଜନ ବହନ କରିପାରୁଥିବା ଡ୍ରୋନ ସଦୃଶ ଏୟାରକ୍ରାଫ୍ଟ ନିର୍ମାଣ କରି ଏବେ ଚର୍ଚାରେ ଯୁବ ଇଂଜିନିୟର । ବିଶ୍ୱରେ ଦିନକୁ ଦିନ ଭାରତୀୟଙ୍କ ଦବଦବା ବଢୁଥିବା ବେଳେ ଓଡିଶା ମଧ୍ୟ ପଛରେ ପଡିନି । ୨୦୦ କେଜି ପରିବହନ କ୍ଷମତା ରଖିଥିବା ଇଂଜିନ୍ ବିହୀନ ଏୟାରକ୍ରାଫ୍ଟର ଡେମୋ ପ୍ରଦର୍ଶନ କରି ପ୍ୟାରିସରେ ପ୍ରଶଂସିତ ମଧ୍ୟ ହୋଇଛନ୍ତି ବୋନ୍-ଭି ଇଂଜିନିୟର । ଅନେକ ସମୟରେ ବିଭିନ୍ନ ସାମଗ୍ରୀ ପରିବହନ ପାଇଁ ଭାରତୀୟ ସେନାକୁ ସମସ୍ୟାର ସାମନା କରିବାକୁ ପଡେ । ତେବେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ଏହି ଏୟାରକ୍ରାଫ୍ଟ ଟି ସେନା ପାଇଁ ସହାୟକ ହୋଇପାରିବ ବୋଲି ଏହାର ନିର୍ମାତା କହିଛନ୍ତି । ବିଶେଷ ଭାବରେ ବରଫାବୃତ ଅଂଚଳରେ ଖାଦ୍ୟ, ଯୁଦ୍ଧ ସାମଗ୍ରୀ, ମେଡିସିନ୍ ଏହି ଏୟାରକ୍ରାଫ୍ଟ ସାହାଯ୍ୟରେ ସ୍ଥାନାନ୍ତର କରାଯାଇପାରିବ । ଓଡିଶାର ବନ୍ୟା ବାତ୍ୟା ତଥା ପ୍ରାକୃତିକ ବିପଯ୍ୟୟ ସମୟରେ ଏହି ଯାନକୁ ବ୍ୟବହାର କରିପାରିବ ବୋଲି ନିର୍ମାତାମାନେ କହିଛନ୍ତି ।

କ’ଣ ରହିଛି ସୁବିଧା..
– ଏହି ଏୟାରକ୍ରାଫ୍ଟଟି ଇଂଜିନ୍ ବିହୀନ
– ଏଥିରେ ହେଲିକପ୍ଟରର ୧୦ ଗୁଣରୁ କମ୍ ଅର୍ଥ ଖର୍ଚ୍ଚ ହୁଏ
– ଭରଣପୋଷଣ ଖର୍ଚ୍ଚ ମଧ୍ୟ ଯଥେଷ୍ଟ କମ୍
– ଉଭୟ ବ୍ୟାଟେରୀ ଓ ବିଦ୍ୟୁତ୍ ଚାଳିତ ଏୟାରକ୍ରାଫ୍ଟ
– ଉଡାଣ ପାଇଁ ପାଇଲଟର ଆବଶ୍ୟକତା ନାହିଁ
– ୧୦ ରୁ ୧୨ଟି ଫ୍ୟାନ ରହିଛି
– ୪-୫ଟି ଫ୍ୟାନ ଅଚଳ ହେଲେ ବି ଲକ୍ଷ୍ୟ ସ୍ଥଳରେ ପହଂଚିପାରିବ ଏୟାରକ୍ରାଫ୍ଟ
– ଜଳଭାଗରେ ମଧ୍ୟ ଏହା କରିପାରିବ ଭାସମାନ
– ଆଗକୁ ଇକମର୍ସ କ୍ଷେତ୍ରରେ କରିବ ସହଯୋଗ

ୟୁରୋପ ଆମେରିକା ଓ ଚାଇନା ଏହି ପ୍ରକାର ଯାନ ନିର୍ମାଣ କରୁଥିବା ବେଳେ ଭାରତ ମଧ୍ୟ ଏହି ଲିଷ୍ଟରେ ରହିଛି । ସେହିପରି ଓଡିଶା ସରକାରଙ୍କ ସହଯୋଗ ମିଳିଲେ ଏହାକୁ ବୈ÷ଶିକ ସ୍ତରରେ କମ୍ପାନୀ ମାନଙ୍କ ସହ ଏହା ମୁକାବିଲା କରିପାରିବ ବୋଲି କୁହାଯାଉଛି । ଅନ୍ୟପଟେ ଆଗକୁ ୨୦୦ କେଜି ଓଜନ କ୍ଷମତା ବିଶିଷ୍ଟ ଏୟାରକ୍ରାଫ୍ଟ ନିର୍ମାଣ କାମ ଶେଷ କରିବା ନେଇ ଆଶାବାଦୀ ଅଛନ୍ତି ଏହି ଯୁବ ବୈଜ୍ଞାନିକମାନେ ।