ଜଙ୍ଗଲ ଭିତରେ ବଇଦ କରୁଛନ୍ତି ଧୋନୀଙ୍କ ଆଣ୍ଠୁ ଚିକିତ୍ସା, ଜାଣନ୍ତୁ କେତେ ଟଙ୍କା ଦେଉଛନ୍ତି ଫିସ୍ ?

208

କନକ ବ୍ୟୁରୋ : କ୍ରିକେଟ କଥା କହିଲେ ସଚ୍ଚିନଙ୍କ ପରେ ମହେନ୍ଦ୍ର ସିଂ ଧୋନୀଙ୍କୁ ବିଶ୍ୱର ସମସ୍ତ ଦେଶ ଜାଣିଛନ୍ତି । ଶହ ଶହ କୋଟି ଟଙ୍କା ରୋଜଗାର କରୁଥିବା ଏହି ମହାନ ଖେଳାଳୀ ଏବେ ନିଜର ଆଣ୍ଠୁ ଜନ୍ତ୍ରଣା ଭଲ କରିବାକୁ ଜଙ୍ଗଲରେ ଜଣେ ବଇଦଙ୍କ ଠାରେ ଚିକିତ୍ସିତ ହେଉଥିବା କଥାକୁ ଆପଣ ଅବିଶ୍ୱାସ କରିପାରନ୍ତି । ହେଲେ କଥାଟି ସତ ।

ଝାଡଖଣ୍ଡର ରାଜଧାନୀ ରାଞ୍ଚିରୁ ୭୦ କିଲୋମିଟର ଦୂରରେ ରହିଛି ଲାପୁଙ୍ଗ ଜଙ୍ଗଲ । ଏହି ଜଙ୍ଗଲ ଭିତରେ ଚନ୍ଦନ ସିଂ ନାମକ ଜଣେ ବଇଦ ଏବେ ଧୋନୀଙ୍କ ଆଣ୍ଠୁ ଚିକିତ୍ସା କରୁଛନ୍ତି । ହେଲେ ଆଶ୍ଚର୍ଯ୍ୟର କଥା ଯେ ଧୋନୀଙ୍କ ଚିକିତ୍ସା କରୁଥିବା ବଇଦ ତାଙ୍କର ଫିସ ବାବଦରେ ୨୦ ଟଙ୍କା ଓ ଔଷଧ ବାବଦରେ ମାତ୍ର ୨୦ ଟଙ୍କା ଅର୍ଥାତ ମୋଟ ୪୦ ଟଙ୍କା ନେଉଛନ୍ତି । ଚନ୍ଦନ ସିଂ ନାମକ ଏହି ବଇଦଙ୍କ କହିବା ମୁତାବକ ଧୋନୀ ତାଙ୍କ ଆଶ୍ରମକୁ ମାସରେ ୪ ଥର ଆସୁଛନ୍ତି ଓ ପ୍ରତ୍ୟେକ ଥର ସେ ୪୦ ଟଙ୍କା ଦେଇ ଔଷଧ ନେଇ ଫେରୁଛନ୍ତି ।

ବଇଦଙ୍କ କହିବା ମୁତାବକ ଧୋନୀ ଯେତେବେଳେ ତାଙ୍କ ଆଶ୍ରମକୁ ପ୍ରଥମଥର ପାଇଁ ଆସିଥିଲେ ସେ ତାଙ୍କୁ ଚିହ୍ନିପାରି ନଥିଲେ । ତାଙ୍କ ସହ ଆସିଥିବା ଲୋକ ଧୋନୀଙ୍କୁ ତାଙ୍କ ସହ ଚିହ୍ନା କରିଥିବା କଥା ବଇଦ ଚନ୍ଦନ ସିଂ କହିଛନ୍ତି । ସେପଟେ ଧୋନୀ ଯେତେବେଳେ ସେହି ଆଶ୍ରମକୁ ଚିକିତ୍ସିତ ହେବାକୁ ଆସୁଛନ୍ତି ଜଙ୍ଗଲ ମହଲରେ ଭିଡ ଜମୁଛି । ଲୋକମାନେ ଧୋନୀଙ୍କ ସହ ଫଟୋ ଉଠାଇବାକୁ ନାହିଁ ନଥିବାର ଭିଡ ଜମାଉଛନ୍ତି । ଧୋନୀ ବି ଖୁସିରେ ଖୁସିରେ ସେମାନଙ୍କ ଫଟୋ ଉଠାଉଥିବା କଥା ବଇଦ ଜଣଙ୍କ କହିଛନ୍ତି ।