ଓଡ଼ିଶାରେ ବଙ୍ଗଳା ରାଜ୍: ଗାଡ଼ିଠୁ ଗୋଦାମ ସବୁଠି ବଙ୍ଗଳା ବୋର୍ଡ, ଓଡିଆର ନାହିଁ ନା ଗନ୍ଧ

871

କନକ ବ୍ୟୁରୋ: ଓଡ଼ିଶାରେ ବଙ୍ଗଳା ରାଜ୍ । ଏ ଚିତ୍ର ଦେଖି ଆପଣ ଭାବୁଥିବେ ଏହା ପଶ୍ଚିବଙ୍ଗର କୌଣସି ସ୍ଥାନ । କାରଣ ଚାରିଆଡେ ଖାଲି ବଙ୍ଗଳାର ନାମ ଫଳକ । କିନ୍ତୁ ଏହି ସ୍ଥାନ ହେଉଛି ଆମ ଓଡିଶା ଉପକୂଳ କେନ୍ଦ୍ରାପଡ଼ା ଅଞ୍ଚଳର । ଏ ଚିତ୍ର ଦେଖିଲେ ଲାଗୁଛି କେନ୍ଦ୍ରାପଡାର ଉପକୂଳକୁ କାବୁ କରିନେଇଛି ବଙ୍ଗଳା ଭାଷା, ଆଉ ଅଣନିଶ୍ୱାସୀ ହେବାରେ ଲାଗିଛି ଆମ ଓଡ଼ିଆ ।

ସରକାର ଏବେ ଓଡ଼ିଆ ନାମ ଫଳକକୁ ବାଧ୍ୟତାମୂଳକ କରୁଥିବାବେଳେ, କେନ୍ଦ୍ରାପଡ଼ା ରାଜନଗରର ନିକଟବର୍ତ୍ତୀ ଅଞ୍ଚଳରେ ବୃଦ୍ଧି ପାଇବାରେ ଲାଗିଛି ବଙ୍ଗଳା ଭାଷା । ଅଣଓଡ଼ିଆମାନେ ଉପକୂଳ ଅଞ୍ଚଳରେ ନିଜର ଆଧିପତ୍ୟ ବିସ୍ତାର କରି ଆମ ଓଡ଼ିଆ ଭାଷକୁ ବିପଦରେ ପକାଉଛନ୍ତି । ବିଶେଷକରି ବଙ୍ଗୀୟ ଭାଷାଭାଷୀ ଅଞ୍ଚଳରେ ଓଡିଆ ଭାଷା ସଂସ୍କୃତି, ପରମ୍ପରା ବିଲୋପ ହେବା ସହ ବିକୃତ ହେବାରେ ଲାଗିଛି । ଖାଲି ନାମଫଳକ ନୁହେଁ, କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳର ଲୋକେମାନେ ବଙ୍ଗଳା ଭାଷାର ପାଠ୍ୟ ପୁସ୍ତକ ପଢୁଥିବା ବେଳେ ବଙ୍ଗଳା ପାଞ୍ଜିର ମଧ୍ୟ ବ୍ୟବହାର କରୁଛନ୍ତି ।

କେନ୍ଦ୍ରାପଡା ରାଜନଗର ବ୍ଲକର ତାଳଚୁଆ, କେରୁଆଁପାଳ, ରଙ୍ଗଣୀ, ଜୁନୁସନଗର ଆଦି ଅଞ୍ଚଳ ସମେତ ମହାକାଳପଡା ବ୍ଲକର ରାମନଗର, ଜମ୍ବୁ, ଖରନାସୀ, ବତୀଘର, ପିତାପାଟ, ତନ୍ତିଆପାଳ, ଶାସନପେଟା ଆଦି ଅଞ୍ଚଳରେ ପ୍ରାୟ ୯୦ ପ୍ରତିଶତ ବଙ୍ଗୀୟ ଭାଷାଭାଷୀ ବାସ କରୁଥିବା ବେଳେ ଓଡିଆଙ୍କ ସଂଖ୍ୟା ବହୁତ କମ । ଏହି ଅଞ୍ଚଳର ଲୋକେ ଓଡିଆ ସରକାରୀ ବିଦ୍ୟାଳୟରେ ପାଠ ପଢୁଥିଲେ ମଧ୍ୟ ବଙ୍ଗଳା ଭାଷା ପ୍ରତି ତାଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ଦେଖିବାକୁ ମିଳେ । ଆଜିବି ଏହି ଅଞ୍ଚଳର ଦୋକାନ ମାନଙ୍କରେ ବଙ୍ଗଳା ଭାଷାର ପାଠ୍ୟ ପୁସ୍ତକ, ପାଞ୍ଜି ଓ ବିଭିନ୍ନ ଉପନିଷେଦ ବିକ୍ରି କରାଯାଉଛି ।

ରାଜ୍ୟ ସରକାରଙ୍କ ନିୟମକୁ ରାଜନଗରେ ଚ୍ୟାଲେଞ୍ଜ ଦେଉଛନ୍ତି ବଙ୍ଗୀୟ ଲୋକେ । ଖାସ୍ କରି ଏହି ଅଞ୍ଚଳ ମାନଙ୍କରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଯେଉଁ ତୁଳସୀକ୍ଷେତ୍ରରେ ବଳଦେବଜୀଉଙ୍କ ନାଁ ନେଇ ପ୍ରତିଟି ଓଡ଼ିଆ ପରିଚୟ ପାଏ, ସେ ଜିଲ୍ଲାର ଉପକୂଳରେ ବଂଶବିସ୍ତାର କରୁଛି ବଙ୍ଗଳା ଭାଷା । ଏପରିକି ରାଜନଗରର ନିକଟବର୍ତ୍ତୀ ଦୋକାନ ମାନଙ୍କରେ ବଙ୍ଗଳା ବୋର୍ଡ ଓ ବିଭିନ୍ନ ଗାଡିରେ ବଙ୍ଗଳା ଅକ୍ଷରରେ ଲେଖାଯାଇଛି । ଦୀର୍ଘଦିନ ଧରି ଏହି ଅଞ୍ଚଳବାସୀ ଓଡିଶାରେ ରହୁଥିଲେ ବି ଓଡିଆ ଭାଷା ପ୍ରତି ସେମାନଙ୍କ ଆନ୍ତରିକତା ନଥିବା ସ୍ପଷ୍ଟ ବାରି ହୋଇପଡ଼ିଛି ।

ତେବେ ଏହିସବୁ ଅଞ୍ଚଳରେ ଓଡ଼ିଆ ଭାଷାକୁ ଅଣଦେଖା ପଛରେ ପ୍ରଶାସନର ମଧୂଚନ୍ଦ୍ରିକା ଥିବା ମନେହେଉଛି । ଉପକୂଳ ହେଉ କି ଓଡ଼ିଶାର କୋଣ ଅନୁକୋଣ, ସରକାର ଓଡ଼ିଶାକୁ ତୃଣମୂଳସ୍ତରରେ ଖାଣ୍ଟି ଓଡ଼ିଆ କରିବାକୁ ଉଦ୍ୟମ କରୁଥିବାବେଳେ ରାଜନଗର କିଛି ଅଞ୍ଚଳରେ ଓଡ଼ିଆ ଭାଷାର ତଣ୍ଟି ଚିପାଯାଉଛି କାହିଁକି? ନାମଫଳକକୁ ଓଡ଼ିଆରେ ବାଧ୍ୟତାମୂଳକ କରି ନିଦାବିଷ୍ଣୁ ପାଲଟିଛି କି ପ୍ରଶାସନ? କେନ୍ଦ୍ରାପଡ଼ା ପ୍ରଶାସନ ଚୁପ୍ ପଛରେ ଚାପ ରହିଛି କି? ନା ବଙ୍ଗୀୟ ପ୍ରବାସୀଙ୍କଠୁ ପକେଟ୍ ଗରମ କରୁଛି କି ପୋଲିସ? ଯେଉଁଠି ଅନ୍ୟ ରାଜ୍ୟଗୁଡ଼ିକରେ ତାଙ୍କ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦିଆଯାଉଛି, ମାତ୍ର ଓଡ଼ିଶାରେ ଏଥିରେ ଅବହେଳା କାହିଁକି? ରାଜ୍ୟ ସରକାର ଚେଇଁ ରହିକି ଶୋଇଲେ ରାଜନଗର ଭଳି ଏମିତି ଅନେକ ସ୍ଥାନରେ ଓଡ଼ିଆ ଭାଷାକୁ ଅପମାନ କରାଯାଉଥିବ । ଆଉ ଆମେ ଖାଲି ଖବର ଦେଖାଉଥିବୁ, ଆପଣ କେଇ ମିନିଟର ଭିଡ଼ିଓ ଦେଖି ପୁଣି ଭୁଲିଯାଉଥିବେ । ସମୟ ଆସିଛି ଭୋଟ୍ ବ୍ୟାଙ୍କ୍ ପଲିଟିକ୍ସରୁ ବାହାରି ନିଜ ଭାଷାକୁ ସୁରକ୍ଷା ଦେବା, ସଭ୍ୟତା ଓ ସଂସ୍କୃତିକୁ ବଞ୍ଚାଇବା, ଓଡ଼ିଆ ଭାବେ ଗର୍ବିତ ହେବା ।