ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବଢିଲା ଅଡୁଆ, କେଜ୍ରିୱାଲଙ୍କୁ ନୋଟିସ ପଠାଇଲା ସିିବିଆଇ

231

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିବା ପରେ ଏବେ ଜେରା ପାଇଁ ସିବିଆଇ ପକ୍ଷରୁ ଅରବିନ୍ଦ କେଜ୍ରିୱାଲଙ୍କୁ ନୋଟିସ କରାଯାଇଛି । ଏହି ନୋଟିସରେ କେଜ୍ରିୱାଲଙ୍କୁ ଏପ୍ରିଲ ୧୬ ତାରିଖରେ ସିବିଆଇ କର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ ସମାନ ମାମଲାରେ ଗିରଫ ହୋଇ ନ୍ୟାୟୀକ ହେପାଜତରେ ଥିବା ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ବୁଧବାର ଦିନ ଶୁଣାଣି ହୋଇଥିଲେ । ଏଥିରେ ଇଡି ତରଫରୁ ଦଲିଲ୍ ସମ୍ପୂର୍ଣ୍ଣ କରାଯାଇଥିଲା । ଇଡି ତରଫରୁ ଏହି ମାମଲାରେ ସିସୋଦିଆଙ୍କ ଷଡଯନ୍ତ୍ରକାରୀ ବୋଲି କୁହାଯାଇଛି । ଇଡି କହିଛି କି ଅବକାରୀ ନୀତି ପ୍ରସ୍ତୁତ କରିବା ଓ ଏହାକୁ ଲାଗୁ କରିବା ପଛରେ ସିସୋଦିଆଙ୍କର ଭୂମିକା ରହିଛି ।

ଅନ୍ୟପଟେ ଇଡିର ଯାଂଚକୁ ନେଇ ରାଜ୍ୟସଭା ସାଂସଦ ତଥା ଆପ୍ ର ବରିଷ୍ଠ ନେତା ସଂଜୟ ସିଂ ପ୍ରଶ୍ନ ଉଠାଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀ କରି ସଂଜୟ ସିଂ କହିଛନ୍ତି କି, ଇଡି ଏହି ମାମଲାରେ ଗିରଫ କରିଥିବା ଅଭିଯୁକ୍ତଙ୍କ ଠାରୁ ଜୋର ଜବରଦସ୍ତ କରି ମିଥ୍ୟା ବୟାନ ରେକର୍ଡ କରୁଛି । ଏହାସହ ଇଡି କଥାରେ ଯେଉଁମାନେ ସହଯୋଗ କରୁନାହାଁନ୍ତି ସେମାନଙ୍କୁ ଇଡି ଅଫିସରେ ପଶି ବାହାର ଲୋକମାନେ ମାଡ ମାରୁଛନ୍ତି । ଏସବୁ ଭିତରେ ଏବେ କେଜ୍ରିୱାଲଙ୍କୁ ସିବିଆଇର ନୋଟିସ ପରେ ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।