ବାଜିବ ପଞ୍ଚାୟତ ନିର୍ବାଚନ ବିଗୁଲ : ଦିନ ୧୧ଟା ୩୦ରେ ହେବ ତାରିଖ ଘୋଷଣା, ଆସିପାରେ ଗାଇଡଲାଇନ୍

206

କନକ ବ୍ୟୁରୋ : ବାଜିବ ପଞ୍ଚାୟତ ନିର୍ବାଚନ ବିଗୁଲ । ଆଜି ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ପୂର୍ବାହ୍ନ ସାଢେ ୧୧ଟାରେ ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରେସମିଟ୍ କରିବେ । ଏଥିରେ ନିର୍ବାଚନ ତାରିଖ ଘୋଷଣା କରିବା ସହ ନୂଆ ଗାଇଡଲାଇନ୍ ଆସିପାରେ । ସୋମବାର ଦିନ ରାଜ୍ୟ ନିର୍ବାଚନ କମିସନ ସର୍ବଦଳୀୟ ବୈଠକ ଡାକି ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା କରିଛନ୍ତି । ଏହା ପରେ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଭେଟି ନିର୍ବାଚନ ପ୍ରସ୍ତୁତି ବିଷୟରେ ଅବଗତ କରାଇଛନ୍ତି । ସଂଧ୍ୟାରେ ମୁଖ୍ୟ ସଚିବ, ଗୃହ ସଚିବ ଓ ପୁଲିସି ଡିଜିଙ୍କ ସହ କମିସନର ଆଲୋଚନା କରିଛନ୍ତି । ଆଜି ପଞ୍ଚାୟତ ନିର୍ବାଚନ ‌ପାଇଁ ତାରିଖ ଘୋଷଣା ସହ ଆଦର୍ଶ ଆଚରଣ ବିଧି ଲାଗୁ ହେବ ବୋଲି କୁହାଯାଉଛି ।

୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଜାତୀୟ ନିର୍ବାଚନ କମିସନ ଯେଉଁଭଳି ଗାଇଡଲାଇନ ଜାରି କରିଛନ୍ତି, ସେହି ଆଧାରରେ ପଂଚାୟତ ନିର୍ବାଚନ କରିବାକୁ ନିଷ୍ୱତି ନିଆଯାଇଥିବା ସୂଚନା ମିଳିଛି । ଗତକାଲି ନିର୍ବାଚନ କମିଶନର ସର୍ବଦଳୀୟ ବୈଠକ ଡାକି ସମସ୍ତ ରାଜନୈତିକ ଦଳଙ୍କ ସହ ଆଲୋଚନା କରିଥିଲେ । ବୈଠକରେ ସବୁ ଦଳର ମତାମତ ନିଆଯାଇଥିଲା । ବିରୋଧୀ ମାନେ ନିର୍ବାଚନକୁ ଘୁଂଚାଇବାକୁ ଦାବି କରିଥିବାବେଳେ ବିଜେଡି ନିର୍ବାଚନ ସପକ୍ଷରେ ମତ ରଖିଥିଲା । କରୋନା ସଂକ୍ରମଣ ବଢ଼ୁଥିବାରୁ ନିର୍ବାଚନକୁ ୩ ମାସ ଘୁଂଚାଇବାକୁ ଦାବି କରିଥିଲା କଂଗ୍ରେସ । ସେହିପରି ଓବିସି ସଂରକ୍ଷଣ ପ୍ରସଙ୍ଗ ଓ ଭୋଟର ତାଲିକାରେ ତ୍ରୁଟି ଥିବା ଦର୍ଶାଇଥିଲା ବିଜେପି । ସେପଟେ ପଂଚାୟତ ନିର୍ବାଚନ ବାତିଲ କରିବା ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଏହି ମାମଲାରେ ରାଜ୍ୟ ନିର୍ବାଚନ କମିଶନ, ମୁଖ୍ୟ ଶାସନ ସଚିବ, ପଂଚାୟତରାଜ, ଗୃହ ଓ ସହରାଂଚଳ ଉନ୍ନୟନ ବିଭାଗ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ପଞ୍ଚାୟତ ନିର୍ବାଚନ-୨୦୨୨

ମୋଟ ଭୋଟର : ୨ କୋଟି ୭୯ ଲକ୍ଷ
ମୋଟ ୱାର୍ଡ :୯୧, ୯୧୩ ୱାର୍ଡ
୬୭୯୪ ପଞ୍ଚାୟତରେ ହେବ ସରପଂଚ ନିର୍ବାଚନ
୬୭୯୩ ପଞ୍ଚାୟତ ସମିତି ପାଇଁ ନିର୍ବାଚନ
୮୫୩ ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ

୮୫୩ ଜିଲ୍ଲା ପରିଷଦରୁ ୪୩୩ ମହିଳାଙ୍କ ପାଇଁ ସଂରକ୍ଷିତ
ୱାର୍ଡ ମେମ୍ବର ପ୍ରାର୍ଥୀ ପାଇଁ ୧୫ ଚିହ୍ନ
ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ୩୨ ପ୍ରକାର ଚିହ୍ନ
ସମିତି ସଭ୍ୟ ପାଇଁ ୧୯ ପ୍ରକାର ଚିହ୍ନ
ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ୧୯ ପ୍ରକାରର ଚିହ୍ନ

କାହା ପାଇଁ କଣ ବାଲଟ ?

ୱାର୍ଡ ମେମ୍ବର ପାଇଁ ହଳଦିଆ
ସରପଞ୍ଚ ପାଇଁ ଗୋଲାପୀ
ଜିଲ୍ଲା ପରିଷଦ ପାଇଁ ଧଳା

କାହାର କେତେ ଖର୍ଚ୍ଚ ସୀମା ?
ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ୨ ଲକ୍ଷ
ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ୫ ଲକ୍ଷ