କ୍ୟାସ୍ ଫର କୋଶ୍ଚିନ ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ସହ ଓଡିଶା ସାଂସଦଙ୍କ ସଂପୃକ୍ତି । କିଏ ଏହି ସାଂସଦ?

209

କନକ ବ୍ୟୁରୋ: କ୍ୟାସ ଫର କୋଶ୍ଚିନ ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ସହ ଓଡିଶା ସାଂସଦଙ୍କ ସଂପୃକ୍ତି । ତେବେ ଏହି ମାମଲାରେ ସଂପୃକ୍ତ ଓଡିଶାର ସାଂସଦ କିଏ ଜଣାପଡିନଥିବା ବେଳେ ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଛି । ଜାତୀୟ ରାଜନୀତିରେ ଚର୍ଚ୍ଚାରେ ଥିବା ଏହି ପ୍ରସଙ୍ଗକୁ ଉଠାଇ ବର୍ଷିଛି ରାଜ୍ୟ ବିଜେପି । ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି, ସଂସଦୀୟ ପରମ୍ପରାରେ ପ୍ରଶ୍ନ ପଚାରିବାକୁ ଟଙ୍କା ନେବା ଏକ ଘୃଣିତ କାମ । ମହୁଆ ମୋଇତ୍ରାଙ୍କ ସାଙ୍ଗରେ ଓଡିଶାର କେଉଁ ସାଂସଦ ଅଛନ୍ତି ତାହା ଓଡିଶାବାସୀ ଜାଣିବା ସ୍ୱାଭାବିକ ବୋଲି ଅନୀଲ କହିଛନ୍ତି । ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ପାଖକୁ ଯାଇଥିବା ୨ କୋଟି ଟଙ୍କାର ହାୱାଲା ଚ୍ୟାନେଲ କାରବାରରେ ଓଡିଆ ସାଂସଦଙ୍କ ଜରିଆରେ ହୋଇଛି । ଏହାଛଡା ମହୁଆ ମୋଇତ୍ରା କିଣିଥିବା ଆସବାବପତ୍ରର ବିଲ ମଧ୍ୟ ଓଡିଆ ସାଂସଦଙ୍କ ପାଖକୁ ଯାଇଛି । ଏଭଳି ଅଭିଯୋଗ ଆଣି ତଦନ୍ତ ଦାବିରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ଆଇନଜୀବୀ ଜୟା ଅନନ୍ତ । ସେପଟେ ବିଜେପି ସାଂସଦ ନିଶିକାନ୍ତ ଦୁବେ ସଂସଦରେ କ୍ୟାସ ଫର କୋଶ୍ଚିନ ଅଭିଯୋଗ ଆଣି ତଦନ୍ତ ଦାବି କରିଛନ୍ତି । ଏବେ ମାମଲା ଲୋକସଭା ଏଥିକ୍ସ କମିଟି ପାଖରେ ଅଛି । ଆସନ୍ତା ୨୬ ତାରିଖରେ ମାମଲାର ଶୁଣାଣି ହେବାକୁ ଥିବାରୁ ଓଡିଆ ସାଂସଦଙ୍କ ନାମ ନେବା ଠିକ ହେବ ନାହିଁ ବୋଲି ଅନୀଲ ବିଶ୍ୱାଳ କହିଛନ୍ତି । ସେପଟେ ମହୁଆ ମୋଇତ୍ରା ଅଭିଯୋଗକୁ ଖଣ୍ଡନ କରିଛନ୍ତି ।