ବିଦେଶ ଯାଉନି ଓଡ଼ିଶାର ପାନ। ବଜାର ଅଭାବ ସହ ସରକାରଙ୍କ ଉଦାସୀନତା ଯୋଗୁ କ୍ଷତି ସହୁଛି ଚାଷୀ ।

146

କନକ ବ୍ୟୁରୋ: ଏବେ ଆଉ ବିଦେଶ ଯାଉନି ଓଡ଼ିଶାର ପାନ । ପ୍ରଭାବିତ ହୋଇଛନ୍ତି ପାନ ଚାଷୀ । କେତେବେଳେ ବଜାର ଅଭାବ ଆଉ କେତେବେଳେ ସରକାରଙ୍କ ଉଦାସୀନତା ଯୋଗୁ ପାନ ଚାଷରେ ବେଶ ପ୍ରଭାବ ପଡିଛି । ବିଭିନ୍ନ ସ୍ଥାନରେ ପାନ ଚାଷ ହେଉଥିବା ବେଳେ ଏବେ ବ୍ୟବସାୟ ସମ୍ପୂର୍ଣ୍ଣ ମାନ୍ଦା ପଡିଯାଇଛି । ଖାସ କରି ନିଆଳି ବରଜରୁ ବାହାରୁଥିବା ପାନ ବାହାରକୁ ଚାଲାଣ ହେଉଥିବା ବେଳେ ଏବେ କିନ୍ତୁ ସ୍ଥିତି ବଦଳିଯାଇଛି । ଆଉ ବରଜରୁ ପାନ ୩ ବର୍ଷ ହେଲା ବିଦେଶ ଯାଉନି ।

ପାନ ଟ୍ରକ ଉପରେ ଅଧିକ ମାତ୍ରାରେ ଭାଟ୍ ସହ ବାହର ଦେଶରେ ପାନ ନେବା ଏବେ ବନ୍ଦ କରିଦିଆଯାଇଛି । ଯାହାଫଳରେ ବାହାର ମାର୍କେଟରେ ଚାଷୀ ମାନେ ଶାଗ ମାଛ ଦରରେ ବିକ୍ରି କରୁଛନ୍ତି ପାନ । କରୋନା ହେଉ କି ବାତ୍ୟା ଯୋଗୁ ପାନ ବରଜ ନଷ୍ଟ ହୋଇଯାଇଥିବା ବେଳେ ଏବେ ବି ଚାଷୀ ଅଣ୍ଟା ସଳଖି ପାରିନି । ଯେଉଁ ପାନକୁ ହଜାରରେ ବିକ୍ରି ହେଉଥିଲା ତାହା ଏବେ ୨୦୦ରେ ବିକ୍ରି ହେଉଛି । ଏହା ଉପରେ ନିର୍ଭର କରି ପରିବାର ଚଳାଉଥିବା ନିଆଳିର ପ୍ରାୟ ୪ହଜାରରୁ ଅଧିକ ପାନ ଚାଷୀ ଏହି ଚାଷରୁ ମୁହଁ ଫେରାଇ ନେଲେଣି । ଉପକୂଳ ଓଡ଼ିଶାରେ ପାନ ଏକ ଲାଭଦାୟକ ଫସଲ ହୋଇଥିବା ବେଳେ ଚାଷୀଙ୍କ ପ୍ରତି ସରକାରଙ୍କ ବିମୁଖ ଭାବ ଯୋଗୁ ଚାଷୀ ମୁଣ୍ଡରେ ପଡିଛି ଚଡକ ।