ପ୍ରାର୍ଥୀ ଘୋଷଣା ପରେ ନେତାଙ୍କ ଠାକୁର ଦର୍ଶନ । ଦେବଦର୍ଶନ କରି ଆଶିଷ ନେଲେ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ବିତ ପାତ୍ର । ସେପଟେ ମାଆଙ୍କ ଆଶୀର୍ବାଦ ନେଇ ମଇଦାନକୁ ଓହ୍ଲାଇଲେ ପ୍ରଦୀପ ପୁରୋହିତ

82

କନକ ବ୍ୟୁରୋ: ଆଜିଠାରୁ ସାରା ରାଜ୍ୟରେ ବାରି ହୋଇପଡିଛି ନିର୍ବାଚନୀ ଉଷ୍ଣତା । ଗତକାଲି ବିଜେପି ଓଡିଶାର ୧୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ, ନେତାମାନେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । କିଏ ଦେବାଦେବୀଙ୍କ ଆର୍ଶୀବାଦ ନେଇ ତ ଆଉ କିଏ ମାଆଙ୍କ ଆଶୀର୍ବାଦ ନେଇ ଆରମ୍ଭ କରିଛନ୍ତି ପ୍ରଚାର । ଆଉ ଏଥର ଡବଲ ଇଞ୍ଜିନ ସରକାର ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

  • ପୂଜାର୍ଚ୍ଚନା କରି ପ୍ରଚାର ଆରମ୍ଭ କଲେ ନେତା
  • କହିଲେ, ଏଥର ଡବଲ ଇଞ୍ଜିନ ସରକାର

ରବିବାର ରାତିରେ ବିଜେପି ଓଡିଶାର ୧୮ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ପରେ, ମଇଦାନକୁ ଓହ୍ଲାଇଛନ୍ତି ନେତା । ସକାଳୁ ସକାଳୁ ମନ୍ଦିର ଯାଇ ଆରାଧ୍ୟ ଠାକୁରଙ୍କୁ ପୂଜା କରି ପ୍ରଚାର ଆରମ୍ଭ କରିଛନ୍ତି ପ୍ରାର୍ଥୀ ।

  • ମହାପ୍ରଭୁଙ୍କ ଦର୍ଶନ କଲେ ଧର୍ମେନ୍ଦ୍ର
  • ନେଲେ ଭଗବାନଙ୍କ ଆଶୀର୍ବାଦ

ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ, ସକାଳୁ ସକାଳୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ତାଙ୍କ ସହ ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ ବଡଦେଉଳକୁ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ତାପରେ ଭୁବନେଶ୍ୱର ଆସି ପ୍ରଭୁ ଲିଙ୍ଗରାଜ ଓ ତାଳଚେରରେ ମା ହିଙ୍ଗୁଳାଇଙ୍କ ଦର୍ଶନ କରିଛନ୍ତି ଧର୍ମେନ୍ଦ୍ର । ଠାକୁରଙ୍କ ଆଶିଷ ନେଇ ଆରମ୍ଭ କରିଛନ୍ତି ନିର୍ବାଚନ ପ୍ରଚାର ଅଭିଯାନ ।

ସେପଟେ କେନ୍ଦୁଝର ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଚୟନ କରିବା ପରେ ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀଙ୍କ ମନ୍ଦିର ଯାଇ ଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି ଅନନ୍ତ ନାୟକ । ସେହିପରି କୋରାପୁଟ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା କାଳୀରାମ ମାଝୀ ସକାଳୁ ସକାଳୁ ମାଆ କାଳୀ ଓ ମଝିଘରିଆଣି ମନ୍ଦିରକୁ ଯାଇ ଆର୍ଶୀବାଦ ନେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେବା ସହ, ଡବଲ ଇଞ୍ଜିନ ସରକାରରେ ରାଜ୍ୟ ତଥା କେନ୍ଦୁଝରର ବିକାଶ ହୋଇପାରିବ ବୋଲି କହିଛନ୍ତି ।

ଅନ୍ୟପଟେ ଜଗତସିଂହପୁର ଲୋକସଭା ଆସନରୁ ବିଭୁ ପ୍ରସାଦ ତରାଇଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ, ସେ ତାଙ୍କ ସମର୍ଥକଙ୍କ ନିକଟରେ ପହଞ୍ଚିଛନ୍ତି । ଯୁବକ, ଯୁବତୀଙ୍କ ନିଯୁକ୍ତି ସହ ଅଞ୍ଚଳର ବିକାଶ ତାଙ୍କର ମୁଖ୍ୟ ଲକ୍ଷ୍ୟ ହେବ ବୋଲି କହିଛନ୍ତି । ବରଗଡରୁ ପ୍ରଦୀପ ପୁରୋହିତଙ୍କ ବିଜେପି ପ୍ରାର୍ଥୀ କରିବା ପରେ, କର୍ମୀ ମହଲରେ ଉତ୍ସାହ ଦେଖିବାକୁ ମିଳିଛି । ସେ ତାଙ୍କ ମାଆ ଓ ଦୁର୍ଗା ମାଆଙ୍କ ଆର୍ଶୀବାଦ ନେଇ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ।

ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଏଥର ରାଜ୍ୟରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ।
ଏଥିସହ ଆସ୍କା ସଂସଦୀୟ କ୍ଷେତ୍ରରୁ ବିଜେପି ପ୍ରାର୍ଥୀ କରିଥିବା ଅନୀତା ଶୁଭଦର୍ଶିନୀ, ବ୍ରହ୍ମପୁରର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, କଳାହାଣ୍ଡିରୁ ବିଜେପିର ସାଂସଦ ପ୍ରାର୍ଥୀ ମାଳବିକା ଦେଓ ଓ ଅନ୍ୟ ବିଜେପି ପ୍ରାର୍ଥୀ ପ୍ରଚାର ଆରମ୍ଭ କରିଛନ୍ତି ।