ଆସିଲା ବିଜେପି ପ୍ରାର୍ଥୀ ତାଲିକା । କେବେ ଘୋଷଣା ହେବ ବିଜେଡି ଓ କଂଗ୍ରେସ ଟିକେଟ୍ ?

390

କନକ ବ୍ୟୁରୋ: ବିଜେପି ପ୍ରାର୍ଥୀ ତାଲିକା ଘୋଷଣା ପରେ ଏବେ ସମସ୍ତଙ୍କ ନଜର ବିଜେଡି ଓ କଂଗ୍ରେସ ଟିକେଟ ଉପରେ । ବିଶେଷକରି ବିଜେଡି ସବୁବେଳେ ସରପ୍ରାଇଜ୍ ଦେଇ ଆସୁଥିବାରୁ, ଏଥର ପୁରୁଣାଙ୍କୁ ରିପିଟ୍ କରିବ ନା ନୂଆ ଚେହେରାଙ୍କୁ ମଇଦାନକୁ ଓହ୍ଲାଇବ, ତାହା ନେତାଙ୍କ ଟେନସନକୁ ବଢ଼ାଇ ଦେଇଛି । ସେହିପରି କଂଗ୍ରେସ ପ୍ରାର୍ଥୀ ତାଲିକାକୁ ମଧ୍ୟ ଅପେକ୍ଷା କରିଛନ୍ତି ଦଳୀୟ ନେତା, କର୍ମୀ ଓ ସମର୍ଥକ ।

  • କେବେ ଘୋଷଣା ହେବ ବିଜେଡି ଟିକେଟ?
  • କେବେ ଆସିବ ଓଡ଼ିଶାର କଂଗ୍ରେସ ତାଲିକା?

ଓଡ଼ିଶାର ୧୮ଟି ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ସାମ୍ନାକୁ ଆସିବା ପରେ ସ୍ୱାଭାବିକ୍ ଭାବରେ ନେତା-ଜନତା, ସମର୍ଥକ-ଶୁଭେଚ୍ଛୁ ସମସ୍ତଙ୍କ ମନରେ ଏହି ଦୁଇଟି ପ୍ରଶ୍ନ । ତେବେ, ଯଦିଓ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ହୋଇନି, ତଥାପି ୧୭ଟି ଲୋକସଭା ଆସନ ନେଇ ଚୂଡାନ୍ତ ହୋଇ ସାରିଛି ସମୀକ୍ଷା । ଏହି ସମୀକ୍ଷା ଅଧାରରେ ବିଜେଡ଼ିର କିଛି ଆସନ ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।କୁହାଯାଉଛି ସମ୍ବଲପୁର ଆସନରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟକ୍କର ଦେଇପାରନ୍ତି ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସେହିପରି ସୁନ୍ଦରଗଡ଼ ଲୋକସଭା ଆସନରେ ଜୁଏଲ୍ ଓରାମଙ୍କ ବିରୋଧରେ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ଦିଲୀପ ତିର୍କୀ । ଆକଳନ ଓ ଅନୁମାନର ଏହି ସମ୍ଭାବ୍ୟ ତାଲିକାରେ ଭୁବନେଶ୍ୱରରୁ ବିଜେପିର ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ବିଜେଡିର ଶ୍ରୀମୟୀ ମିଶ୍ର, ପୁରୀରୁ ସମ୍ବିତ ପାତ୍ରଙ୍କ ବିପକ୍ଷରେ ଅରୁପ ପଟ୍ଟନାୟକ, ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀଙ୍କ ବିରୁଦ୍ଧରେ ଚନ୍ଦ୍ରଶେଖର ସାହୁ ଏବଂ ନବରଙ୍ଗପୁର ଲୋକସଭା ଆସନରୁ ବିଜେପିର ବଳଭଦ୍ର ମାଝୀଙ୍କ ସହ ମୁକାବିଲା କରିପାରନ୍ତି ପ୍ରଦୀପ ମାଝୀ ।

ହେଲେ ଏସବୁ ଭିତରେ ଆସନ୍ତା ୨୭ ତାରିଖରେ ବିଜେଡିର ଚୂଡ଼ାନ୍ତ ସମୀକ୍ଷା ବୈଠକ ବସିବାକୁ ଯାଉଛି । ଏହି ବୈଠକରେ ୪ଟି ଲୋକସଭା ଆସନ, ଯଥାକ୍ରମେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ମୟୁରଭଞ୍ଜ ଆସନ ନେଇ ଚର୍ଚ୍ଚା ହେବ । ତେବେ ଏପ୍ରିଲ ପ୍ରଥମ ସପ୍ତାହରେ ବିଜେଡି ତାର ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣା କରିପାରେ । ଯେଉଁଥିରେ ୧୭ଟି ଲୋକସଭା ଆସନ ଏବଂ ୧୧୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ।

ଏପଟେ ବିଜେଡି ଭଳି କଂଗ୍ରେସ ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା କରିବା ପ୍ରକ୍ର୍ରିୟା ଚୂଡ଼ାନ୍ତ ପର୍ଯର୍ର୍୍ୟାୟରେ ପହଞ୍ଚିଛି । ପିସିସି ସଭାପତିଙ୍କ ସୂଚନା ଅନୁସାରେ, ଟିକେଟ ଚୁଡ଼ାନ୍ତ ହୋଇସାରିଛି । ଏପ୍ରିଲ ୧୦ ତାରିଖ ସୁଦ୍ଧା, ଲୋକସଭା ଏବଂ ବିଧାନସଭାର ସବୁ ଆସନ ପାଇଁ ନାଁ ଘୋଷଣା କରାଯିବ । ସେହିପରି ବିଜେଡି ବିଜେପି ଅଘୋଷିତ ମେଣ୍ଟର କଡା ଜବାବ୍ ଦେବ ବୋଲି କହିଛନ୍ତି ଶରତ ପଟ୍ଟନାୟକ । ତେବେ ଦେଖିବାର କଥା ବିଜେପି ନେତାଙ୍କ ବିରୁଦ୍ଧରେ ବିଜେଡିରୁ କିଏ ଏବଂ କଂଗ୍ରେସରୁ କିଏ ପ୍ରାର୍ଥୀ ହେଉଛନ୍ତି ।