ସୂଚନା ଅଧିକାର ଆଇନ ବଳରେ ବଡ ଖୁଲାସା । ନୋଟ୍ ଓ କଏନ ଛାପିବାରେ ଏତେ ଟଙ୍କା ଖର୍ଚ୍ଚ କରିଥାଏ ଆରବିଆଇ । ନୋଟ୍ ତୁଳନାରେ କଏନ ତିଆରି କରିବା କାହିଁକି ହୋଇଥାଏ ମହଙ୍ଗା ?

351

କନକ ବ୍ୟୁରୋ : ପକେଟ୍ ରେ ଟଙ୍କା ଥିଲେ ଖର୍ଚ୍ଚ କରିବାକୁ ଭାରି ମନ ହୁଏ । ହେଲେ କେବେ ଭାବିଛନ୍ତି ଆପଣ ବ୍ୟବହାର କରୁଥିବା ନୋଟ୍ କିମ୍ବା କଏନ୍ ତିଆରି କରିବା ପଛରେ କେତେ ଟଙ୍କା ଖର୍ଚ୍ଚ ହୁଏ? ଆମେ ବ୍ୟବହାର କରୁଥିବା କାଗଜ ଟଙ୍କା କିମ୍ବା କଏନ୍ ତିଆରି ପାଇଁ ରିଜର୍ଭ ବ୍ୟାଙ୍କ କେତେ ଖର୍ଚ୍ଚ କରିଥାଏ? ଦେଶରେ କଏନ୍ ଓ କାଗଜ ଟଙ୍କା ଛାପିବାର କାମ ଆରବିଆଇ କରିଥାଏ । ଏବଂ ଆରବିଆଇର ମତ ଅନୁଯାୟୀ କାଗଜ ଟଙ୍କା ଛାପିବା ରେ ଯେତିକି ଖର୍ଚ୍ଚ ହୁଏ ଏହାଠୁ ୬ଗୁଣା ଅଧିକ ଟଙ୍କା କଏନ୍ ତିଆରି କରିବାରେ ଖର୍ଚ୍ଚ ହୋଇଥାଏ । ଏହା ସତ୍ୱେ ବି ରିଜର୍ଭ ବ୍ୟାଙ୍କ ବହୁ ସଂଖ୍ୟାରେ କଏନ୍ ତିଆରି କରିଥାଏ । ତେବେ ଆରବିଆଇ ଏପରି କାହିଁକିି କରିଥାଏ? ଏବଂ ଏହା ଦ୍ୱାରା ସାଧାରଣ ଲୋକ କିପରି ଲାଭବାନ ହୋଇଥାନ୍ତି? ଯଦି ଏହାପଛରେ କିଛି କାରଣ ରହିଛି ତେବେ କାହିଁକି ବଡ ନୋଟର କଏନ୍ ବାହାର କରାଯାଉନାହିଁ? ଏଭଳି ଅନେକ ପ୍ରଶ୍ନ ଆପଣଙ୍କ ମନକୁ ନିଶ୍ଚୟ ଆସୁଥିବ ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ ।

ପ୍ରଥମେ ସବୁଠାରୁ ଛୋଟ ମୁଦ୍ରା ୧ଟଙ୍କା ବିଷୟରେ ଆଲୋଚନା କରିବା । ସୂଚନା ଅଧିକାର ଆଇନ ବଳରେ ପଚାରାଯାଇଥିବା ଏକ ପ୍ରଶ୍ନର ଉତ୍ତରଦେଇ ରିଜର୍ଭ ବ୍ୟାଙ୍କର ଅଧିକାରୀ କହିଛନ୍ତି କି ୧ଟଙ୍କାର ମୁଦ୍ରା ତିଆରି କରିବାର ମୂଲ୍ୟ ଏହାର ମୂଲ୍ୟଠାରୁ ବହୁ ଅଧିକ । ଅର୍ଥାତ ଗୋଟିଏ ୧ଟଙ୍କିଆ କଏନ ତିଆରି କରିବା ପାଇଁ ପ୍ରାୟ ୧.୧ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୨ଟଙ୍କିଆ କଏନ୍ ତିଆରି ପାଇଁ ୧.୨୮ ଖର୍ଚ୍ଚ ହୋଇଥାଏ । ଯଦି ଦେଖାଯାଏ ତ ୫ଟଙ୍କା ପାଇଁ ୩.୬୯ ଏବଂ ୧୦ଟଙ୍କା ତିଆରି କରିବା ପାଇଁ ୫.୫୪ ଖର୍ଚ୍ଚ ହୋଇଥାଏ । ବର୍ତମାନ ଯଦି ଅମେ ଉଭୟ ମୁଦ୍ରାକୁ ତୁଳନା କରିବା ତେବେ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷରେ ୧୦ଟଙ୍କାର ଏକ ହଜାର କାଗଜ ନୋଟ ଛାପିବା ପାଇଁ ୯୬୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା । ଏହି ଅନୁଯାୟୀ ଗୋଟିଏ ନୋଟ୍ ଛାପିବା ପାଇଁ ୯୬ ପଇସା ଖର୍ଚ୍ଚ ହୋଇଥିବା ବେଳେ , ୧୦ଟଙ୍କାର ଗୋଟିଏ କଏନ୍ ତିଆରି କରିବା ପାଇଁ ୫.୫୪ ଟଙ୍କା ଖର୍ଚ୍ଚ ହୋଇଥିଲା । ଅର୍ଥାତ୍ କାଗଜ ନୋଟ୍ ତିଆରି ତୁଳନାରେ କଏନ ତିଆରି କରିବାରେ ୬ଗୁଣା ଅଧିକା ଖର୍ଚ୍ଚ ହୋଇଥାଏ ।

ଉଭୟ କଏନ୍ ଏବଂ ମୁଦ୍ରା ଛାପିବାକୁ ଯଦି ଆମେ ତୁଳନା କରିବା ତେବେ ଆରବିଆଇ ଏତେ ଟଙ୍କା କ୍ଷତି ସହିବା ପରେ ମଧ୍ୟ କିପରି ପ୍ରତିବର୍ଷ କୋଟି କୋଟି ଟଙ୍କା ରୋଜଗାର କରୁଛି । ତେବେ ଯଦି ବାସ୍ତବରେ ଦେଖିବା କାଗଜ ଟଙ୍କା ତୁଳନାରେ କଏନ୍ ତିଆରି ଅଧିକ ଲାଭଦାୟକ । ସବୁଠାରୁ ବଡ କଥା ହେଉଛି କାଗଜ ଟଙ୍କା ଛାପିବା ସମୟରେ ଏଥିରେ ବ୍ୟବହୃତ ହେଉଥିବା ବିଭିନ୍ନ ଫିଚରର୍ସ ବ୍ୟବହାର କରିବାର ଆବଶ୍ୟକତା ରହିଛି । କାଗଜ ନୋଟ ତିଆରି କରିବା ପାଇଁ ୧୫ ରୁ ୧୭ ପ୍ରକାର ଫିଚରର୍ସର ବ୍ୟବହାର କରାଯାଇଥାଏ । କଏନ୍ ବର୍ଷ ବର୍ଷ ଧରି ଚାଲୁଥିବା ବେଳେ କାଗଜ ନୋଟ୍ କମ୍ ସମୟ ଚାଲିଥାଏ ଏବଂ ବେଳେ ବେଳେ କଏନ୍ ତୁଳନାରେ ନୋଟ୍ ଛାପିବା ମଧ୍ୟ ମହଙ୍ଗା ହୋଇଥାଏ । ବାସ୍ତବରେ କାଗଜ ନୋଟ୍ ଯେତେ ବଡ ହୋଇଥାଏ ଏହାକୁ ଛାପିବା ପାଇଁ କମ୍ ଟଙ୍କା ଖର୍ଚ୍ଚ ହୋଇଥାଏ । ଆରବିଆଇ ର ସୂଚନା ଅନୁଯାୟୀ ୨୦ଟଙ୍କିଆ ନୋଟ୍ ଛାପିବା ପାଇଁ ୯୫ ପଇସା ଖର୍ଚ୍ଚ ହେଉଥିବା ବେଳେ ୫୦୦ ଟଙ୍କିଆ ନୋଟ୍ ଛାପିବା ପାଇଁ ୨.୨୯ ଟଙ୍କା ଖର୍ଚ୍ଚ ହୋଇଥାଏ । ଯଦି କାଗଜ ଟଙ୍କାକୁ କଏନ୍ ସହ ତୁଳନା କରାଯାଏ ତେବେ ବଡ କଏନ୍ ତିଆରି କରିବା ଯେତିକି କଷ୍ଟ, ଗ୍ରାହକଙ୍କୁ ଏହା ବ୍ୟବହାର କରିବା ଏବଂ ପକେଟରେ ରଖିବା ସେତିକି କଷ୍ଟକର ।