ମାଙ୍କଡ଼ ପାଇଁ ଶୁଦ୍ଧି ହେଲେ ଗ୍ରାମବାସୀ । ଏକାଦଶାହରେ ନାମ ସଂକୀର୍ତନ ସହ ପ୍ରସାଦ ସେବନର ବ୍ୟବସ୍ଥା, ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକର ଜାମୁଳି ଗାଁରୁ ଆସିଲା ଦୃଶ୍ୟ

168

କନକ ବ୍ୟୁରୋ : ସାଧାରଣତଃ ମଣିଷର ମୃତ୍ୟୁରେ ଶୁଦ୍ଧି ହୋଇଥାନ୍ତି ପ୍ରିୟ ପରିଜନ । କିନ୍ତୁ କେତେ ପଶୁଙ୍କ ପାଇଁ ଶୁଦ୍ଧି ହେବା କଥା ଶୁଣିଛନ୍ତି । କିଛି ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକରେ । ଏକ ମାଙ୍କଡ଼ର ମୃତ୍ୟୁରେ ଶୋକାକୁଳ ହୋଇପଡ଼ିଛି ତେନ୍ତୁଳିଦା ପଞ୍ଚାୟତର ଜାମୁଳି ଗାଁ । ଆଉ ଯେମିତି ନିଜ ପ୍ରିୟ ପରିଜନଙ୍କ ମୃତ୍ୟୁରେ ଜଣେ ବ୍ୟକ୍ତି ଶୁଦ୍ଧି ହୋଇଥାଏ, ଠିକ୍ ସେହିପରି ମାଙ୍କଡ଼ର ମୃତ୍ୟୁରେ ଶୁଦ୍ଧି ହୋଇଛନ୍ତି ଗ୍ରାମବାସୀ । ଗତ ୧୩ ତାରିଖରେ ଏକ ମାଙ୍କଡଟି ଗାଁରେ ଥିବା ଟ୍ରାନ୍ସଫର୍ମର ଉପରକୁ ଚଢ଼ିଯାଇଥିବା ବେଳେ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିଲା ।

ମାଙ୍କଡ ସହିତ ଗ୍ରାମବାସୀଙ୍କ ନିବିଡ଼ ସମ୍ପର୍କ ଥିଲା । ସେଥିପାଇଁ ମାଙ୍କଡର ମୃତ୍ୟୁ ସମସ୍ତ ଗ୍ରାମବାସୀକୁ ଗଭୀର ମର୍ମାହତ କରିଛି । ମାଙ୍କଡର ମୃତ୍ୟୁ ପରେ ତା’ର ମୃତଦେହକୁ ଶୋଭାଯାତ୍ରାରେ ନେଇ ଏକ ସ୍ଥାନରେ ପୋତି ଦେଇଥିଲେ । ଏହା ପରେ କୌଣସି ଆତ୍ମୀୟ ସ୍ୱଜନଙ୍କ ମୃତ୍ୟୁ ହେଲେ ଯେମିତି ପାଳନ କରାଯାଇଥାଏ, ଠିକ୍ ସେମିତି ମାଙ୍କଡ ପାଇଁ ମଧ୍ୟ ପାଳିଥିଲେ ଗ୍ରାମବାସୀ । ଦଶ ଦିନ ଅର୍ଥାତ୍ ଶୁଦ୍ଧିକ୍ରିୟା କରି ଗ୍ରାମର ୧୫ଜଣ ଲୋକେ ଲଣ୍ଡା ହୋଇଥିଲେ । ଏକାଦଶାହରେ ନାମ ସଂକୀର୍ତନ ସହ ୧୨ଶହ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଜନ୍ତୁ ହେଲେବି ମାଙ୍କଡ ଗ୍ରାମବାସୀଙ୍କ ସହ ପରିବାରର ସଦସ୍ୟ ଭଳି ରହୁଥିଲା । ସେଥିପାଇଁ ମାଙ୍କଡ଼କୁ ଭାବପୂର୍ଣ୍ଣ ବିଦାୟ ଦେବା ପାଇଁ ଏପରି ଆୟୋଜନ କରାଯାଇଥିବା କହିଛନ୍ତି ଗ୍ରାମବାସୀ ।