ଏବେ ବି ଆସୁନି ମୋବାଇଲ ନେଟୱର୍କ । ୩ କିଲୋମିଟର ଯାଉଛନ୍ତି ଗାଁ ଲୋକେ

142

କନକ ବ୍ୟୁରୋ: ଭାରତରେ ୫ଜି ସେବା ଏକ ବର୍ଷର ଯାତ୍ରା ପୂରଣ କରିଛି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଦେଶରେ ୧୧୪ କୋଟିରୁ ଅଧିକ ମୋବାଇଲ ଗ୍ରାହକ ଥିବାବେଳେ ୫-ଜି ଗ୍ରାହକଙ୍କ ସଂଖ୍ୟା ନଗଣ୍ୟ । ଏବେ ବି ନେଟୱର୍କ ଆସୁନଥିବାରୁ ଲୋକଙ୍କୁ ଯିବାକୁ ପଡୁଛି ମାଇଲ ମାଇଲ ବାଟ ।

  • ଏବେ ବି ଆସୁନି ମୋବାଇଲ ନେଟୱର୍କ
  • ୩ କିଲୋମିଟର ଯାଉଛନ୍ତି ଗାଁ ଲୋକେ

ସରକାର ଡିଜିଟାଲ ଇଣ୍ଡିଆର ସ୍ୱପ୍ନ ଦେଖୁଥିବାବେଳେ ଦେବଗଡ ଜିଲ୍ଲାରେ ଏଭଳି ଗାଁ ଅଛି ଯେଉଁଠି ଫୋନରେ କଥା ହେବାକୁ ହେଲେ ୩ କିଲୋମିଟର ଯିବାକୁ ପଡେ । ଦେବଗଡ ରିଆମାଳ ବ୍ଲକ ଲୁଲଙ୍ଗ ପଂଚାୟତ ଚିଙ୍ଗୁଡିଝରଣ ଗାଁର ଲୋକଙ୍କ ପାଇଁ ମୋବାଇଲ ନେଟୱର୍କ ଏବେ ସମସ୍ୟା ପାଲଟିଛି । ଗାଁରେ ରହିଲେ ନେଟୱର୍କ ଆସୁନି । ଫଳରେ ସମ୍ପର୍କୀୟଙ୍କ ଫୋନ କରିବାକୁ ହେଲେ କିମ୍ବା କୌଣସି ସରକାର ଯୋଜନାର ଲାଭ ପାଇବାକୁ ହେଲେ ପ୍ରାୟ ୩ କିଲୋମିଟର ଯିବାକୁ ପଡୁଛି । ଆଉ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ନେତାଙ୍କୁ କହିଲା ପରେ ବି ସମସ୍ତେ ସବୁକଥା ଜାଣି ନଜାଣିଲା ଭଳି ରହୁଛନ୍ତି ।

  • ବିକାଶ ପହଞ୍ଚିଛି, ନେଟୱର୍କ ନାହିଁ
  • ସହରରୁ ୨ କିଲୋମିଟର ଦୂର ଗାଁରେ ଅପହଞ୍ଚ ସେବା

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଫୁଲବାଣୀ ସହର ଠାରୁ ମାତ୍ର ୨ କିଲୋମିଟର ଦୂରରେ ବି ମୋବାଇଲ ନେଟୱର୍କ ଆସୁନି । ଫୁଲବାଣୀ ବ୍ଲକ ତୁଡିପାଜୁ ପଞ୍ଚାୟତ ସାର୍ତାଗୁଡା ଗାଁରେ ନେଟୱର୍କ ପାଇଁ ଛାତ୍ରଛାତ୍ରୀ ଓ ଲୋକେ ହଇରାଣ ହେଉଛନ୍ତି । ଘରେ ରହିଲେ ଅନେକ ସମୟରେ ନେଟୱର୍କ ଆସୁନି । ଫଳରେ ପିଲାମାନେ ଓ ଗାଁ ଲୋକେ ଗାଁ ରାସ୍ତା ଉପରକୁ ଆସିଲେ ନେଟୱର୍କ ଆସୁଛି । ଗାଁରେ ରାସ୍ତା ଅଛି ବିକାଶ ପହଞ୍ଚିଛି । କିନ୍ତୁ ସହରର ଏତେ ପାଖରେ ଥାଇ ବି ମୋବାଇଲ ନେଟୱର୍କ ଆସୁନାହିଁ । ୫-ଜି ପରେ ଏବେ ୬-ଜି କଥା ଚିନ୍ତା କରୁଛନ୍ତି ସରକାର । କିନ୍ତୁ ଏବେ ବି ଅନେକ ଅଞ୍ଚଳରେ ମୋବାଇଲ ନେଟୱର୍କ ନ ଆସିବା ଆମ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।