ହିତାଧିକାରୀଙ୍କୁ ମିଳିନି ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କା ଘର, ବନ୍ୟା ବେଳେ ଖୋଲିଲା ସରକାରୀ ଯୋଜନାର ସତ।

102

କନକ ବ୍ୟୁରୋ: ରାଜ୍ୟରେ ଚଳିତ ବନ୍ୟା ବେଳେ ସାମ୍ନାକୁ ଆସିଛି ସରକାରୀ ଯୋଜନାର ସତ । ଗରିବଙ୍କୁ ପକ୍କା ଘରେ ରଖିବା ପାଇଁ ଯୋଜନା କରୁଥିବା ସରକାରୀ ଯୋଜନା କେତେ ମାତ୍ରାରେ ଲୋକଙ୍କ ପାଖରେ ପହଞ୍ଚି ପାରିଛି ତାର ସତ ଏବେ ସାମ୍ନାକୁ ଆସିଛି । ବୈତରଣୀ ଶାଖା ନଦୀ କାଣୀ ନଦୀରେ ଘାଇ ହେବା ଫଳରେ ସାମନାକୁ ଆସିଛି ସବୁ ଯୋଜନାର ସତ । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ଶହଶହ ହିତାଧିକାରୀଙ୍କୁ ମିଳିନି ପ୍ରଧାନମନ୍ତ୍ରୀ ଆବାସ କିମ୍ବା ପକ୍କା ଘର ।  ୩୫ପଞ୍ଚାୟତର ବିଭିନ୍ନ ଗାଁରେ ଏବେ ବି ଧାଡି ହୋଇ ଠିଆ ହୋଇଛି ଚାଳ ଛପର ଘର । ବନ୍ୟା ପାଣି ଘରେ ପଶିବା ପରେ ଚାଳ ଛପର ଘରେ ରହୁଥିବା ଲୋକଙ୍କ ଦୁର୍ଦଶା ବଢ଼ି ଯାଇଛି ।

ଘରେ ପାଣି ପଶିଯିବା ଯୋଗୁଁ ମାଟି କାନ୍ଥ ଗୁଡିକ ଏବେ ଭାଙ୍ଗିବାରେ ଲାଗିଛି । କେତେକ ଘର ଭାଙ୍ଗି ବି ଯାଇଛି । ଆଉ ଏବେ ପାଣି ଛାଡୁଥିିବା ବେଳେ ଲୋକମାନେ ଘରକୁ ଫେରି ତାକୁ ସଜାଡିବାରେ ଲାଗିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦଶରଥପୁର ବ୍ଲକରେ ମୋଟ ୩୫ଟି ପଞ୍ଚାୟତରେ ବିପିଏଲ ପରିବାର ସଂଖ୍ୟା ୨୨ ହଜାର ୮୬୩ । କିନ୍ତୁ ୨୦୦୧-୦୦୨ରୁ ୨୦୨୦-୨୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଦଶରଥପୁର ବ୍ଲକରେ ୨୫ହଜାରରୁ ଅଧିକ ଘର ବଂଟା ଯାଇଛି । ତଥାପି ଘର ପାଇବାକୁ ଏବେ ବି ପ୍ରାୟ ୧୫ ହଜାର ପରିବାର ଅପେକ୍ଷା କରିଛନ୍ତି ।  ହେଲେ ଘର ପାଇବାକୁ ଯୋଗ୍ୟ ଲୋକଙ୍କୁ ମିଳିନଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି ।