ଭଙ୍ଗାହାଡ଼ ଯୋଡୁଛନ୍ତି ରାୟଗଡାର ହରିଶ୍ଚନ୍ଦ୍ର, ମାଗଣାରେ ମଣିଷ ଓ ପଶୁଙ୍କ କରୁଛନ୍ତି ଚିକିତ୍ସା।

107

କନକ ବ୍ୟୁରୋ: କଥାରେ ଅଛି ମାନବ ସେବା ହିଁ ମାଧବ ସେବା । ଏହି ଉକ୍ତିଟିକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ହରିଶ୍ଚନ୍ଦ୍ର ହିକକା । ରାୟଗଡା ଜିଲ୍ଲା କୋଲନରା ବ୍ଳକ ଗୋପି କାଙ୍କୁବାଡି ଗ୍ରାମରେ ବାସ କରନ୍ତି ହରିଶ୍ଚନ୍ଦ୍ର ହିକକା । ପିଢି ପରେ ପିଢି ଧରି ହରିଶ୍ଚନ୍ଦ୍ରଙ୍କ ପରିବାର ବିନା ମୂଲ୍ୟରେ ମଣିଷ ଓ ପଶୁପକ୍ଷୀଙ୍କ ଭଙ୍ଗା ହାଡକୁ ଜୋଡି ପାରୁଛନ୍ତି । ହରିଶ୍ଚନ୍ଦ୍ର ମଣିଷ ସମେତ ଛେଳି, ମେଣ୍ଡା ଓ ଗାଇଗୋରୁଙ୍କ ଚିକିତ୍ସା କରି ଭଙ୍ଗା ହାଡକୁ ଯୋଡି ଦେଉଛନ୍ତି । ଗହମ ଚୁନା, ଗୁଡ, ନଡିଆ, କଦଳି, ଚାଉଳ ଓ ଧୁପକାଠି ସହ କୁକୁଡା ଛୁଆର ଟିକିଏ ରକ୍ତ ସାହାଯ୍ୟରେ ଏକ ମିଶ୍ରଣ ପ୍ରସ୍ତୁତ କରି ତିନି ପାନ ଖାଇବାକୁ ଦିଅନ୍ତି । ବଳକା ଔଷଧରେ ଭଙ୍ଗା ହାଡରେ ବ୍ୟାଣ୍ଡେଜ ବାନ୍ଧି ଚିକିତ୍ସା କରାଉଛନ୍ତି ହରିଶଚନ୍ଦ୍ର । ଆଉ ଏକ କଥା ହେଉଛି, କୁକୁଡା ଠାରୁ ରକ୍ତ ନେବା ବେଳେ ତାକୁ ମରା ଯାଏ ନାହିଁ, କେବଳ କୁକୁଡା ଛୁଆର ନଖ ପାଖରୁ ଟିକିଏ ରକ୍ତ ନିଆଯାଏ ।

ଔଷଧ ପ୍ରସ୍ତୁତ ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ଓ କୁକୁଡା ଛୁଆ, ରୋଗୀ ବା ରୋଗୀଙ୍କ ସମ୍ପର୍କିୟ ନିଜ ସାଙ୍ଗରେ ଆଣିବାକୁ ପଡିଥାଏ । ହାଡଭଙ୍ଗା ଚିକିତ୍ସା ପାଇଁ ହରିଶ୍ଚନ୍ଦ୍ରଙ୍କ ପାଖକୁ ରାୟଗଡା ଜିଲ୍ଲା ସମେତ ରାଜ୍ୟ ବାହାରୁ ରୋଗୀମାନେ ଆସିଥାନ୍ତି । ହରିଶ୍ଚନ୍ଦ୍ର ଏହି ଚିକିତ୍ସା ନିମନ୍ତେ କୌଣସି ବି ପାଠ ପଢିନାହାନ୍ତି କି କୌଣସି ପ୍ରଶିକ୍ଷଣ ନେଇନାହାନ୍ତି । କି ରୋଗୀଙ୍କ ଠାରୁ କୌଣସି ପାଉଣା ନେଇନଥାନ୍ତି । ବିନା ଖର୍ଚରେ ହରିଶ୍ଚନ୍ଦ୍ରଙ୍କ ଚିକିତ୍ସାରେ ସୁସ୍ଥ ହେଉଥିବା ରୋଗୀ ଦାବି କରିଛନ୍ତି ।