କାଲି ଓଡିଶା ଆସିବେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ସ୍ୱାଗତ ପାଇଁ ବିଜେପି ଠାରୁ ଆଗରେ ବିଜେଡିର ପ୍ରସ୍ତୁତି

134

କନକ ବ୍ୟୁରୋ: ସମର୍ଥନ ଯୋଗାଡ କରିବା ପାଇଁ ଓଡିଶା ଆସିବେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଶୁକ୍ରବାର ଦିନ ୧୦ଟାରେ ବିମାନବନ୍ଦରରେ ପହଁଚିବା ପରେ ସିଧାସଳଖ ନବୀନ ନିବାସ ଯିବେ । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ ବିଧାନସଭା ଯିବେ । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବିଜେଡିର ବିଧାୟକ ଓ ସାଂସଦମାନଙ୍କୁ ଭେଟି ତାଙ୍କୁ ସମର୍ଥନ ଦେବାକୁ ଅପିଲ କରିବେ । ତାପରେ ରାଜ୍ୟ ଅତିଥି ଭବନରେ ବିଜେପି ନେତାଙ୍କୁ ଭେଟିବେ ।

  • ଦ୍ରୌପଦୀଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତି
  • ଶ୍ରେୟ ନେବାକୁ ବିଜେଡିର ଯୋଜନା

ଦ୍ରୌପଦୀଙ୍କୁ ସ୍ୱାଗତ କରିବା ପାଇଁ ଲାଗି ପଡିଛି ବିଜେଡି । ବିମାନବନ୍ଦରେ ପହଁଚିବାଠାରୁ ଆରମ୍ଭ କରି ସବୁଠି ଯେମିତି ଭବ୍ୟ ସ୍ୱାଗତ ଦିଆଯିବ, ସେଥିପାଇଁ ବ୍ୟବସ୍ଥା କରିଛି ବିଜୁ ଜନତା ଦଳ । ଏଥିପାଇଁ ବିଧାନସଭାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରିଛି ଦଳ । ବିଜେଡି ଯେଉଁଭଳି ଭବ୍ୟ ଆୟୋଜନ କରିଛି ସେଥିରୁ ମଧ୍ୟ ଏଭଳି ଆଭାସ ମିଳୁଛି ଯେ ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱକୁ ନେଇ କୌଣସି ଶ୍ରେୟ ନେବାକୁ ହାତଛଡା କରିବାକୁ ଚାହୁଁନି । ଆଉ ଏହାର ମଙ୍ଗ ଧରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନଡିଏ ପ୍ରାର୍ଥୀ ଘୋଷଣା କରିଛି କିନ୍ତୁ ରାଜ୍ୟରେ ଭାରତୀୟ ଜନତା ପାର୍ଟି ଯେଉଁ କାମ କରିବା କଥା ସେହି କାମ ବିଜୁ ଜନତା ଦଳ କରୁଛି । ଦ୍ରୌପଦୀଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ମଧ୍ୟ ଉତ୍ସାହିତ ଅଛି । ସ୍ୱାଗତ କରିବା ପାଇଁ ଦଳ ପକ୍ଷରୁ ପ୍ରସ୍ତୁତି ଚାଲିଛି । କିନ୍ତୁ ଦ୍ରୌପଦୀଙ୍କୁ ସମର୍ଥନ କରିବ ନାହିଁ ଖୋଲାଖୋଲି କହିଛି କଂଗ୍ରେସ ।

ଗୋଟିଏ ପଟେ ଦ୍ରୌପଦୀଙ୍କ ବିଜୟ ପାଇଁ ପଥ ସୁଗମ ହେଉଥିବାବେଳେ, ବିରୋଧୀ ଦଳ ପ୍ରାର୍ଥୀ ଯଶୱନ୍ତ ବିଭିନ୍ନ ରାଜ୍ୟ ଗସ୍ତକୁ ବାତିଲ କରି ଚାଲିଛନ୍ତି । ଏପରିକି ଯଶୱନ୍ତଙ୍କୁ ପ୍ରାର୍ଥୀ କରିଥିବା ମମତା ବାନାର୍ଜୀ ମଧ୍ୟ ଆଉ ସାମନାକୁ ଆସୁନାହାଁନ୍ତି । ବିରୋଧୀ ଦଳର ପ୍ରମୁଖ ସହଯୋଗୀ ହୋଇଥିଲେ ବି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା କାହାକୁ ସମର୍ଥନ କରିବ ସେ କାର୍ଡ ଖୋଲି ନାହିଁ । ଉଭୟଙ୍କୁ ଘାରିଛି ମହିଳା, ଆଦିବାସୀ ଭୋଟ ପ୍ରଭାବିତ ହେବାର ଆଶଙ୍କା । ବିରୋଧୀଙ୍କ ଏହି ଦ୍ୱନ୍ଦ୍ୱ ଦ୍ରୌପଦୀଙ୍କ ପାଇଁ ବିଜୟର ପଥକୁ ଆହୁରି ସୁଗମ କରି ଚାଲିଛି ।