ଭାରତ ସହ ଭଲ ସମ୍ପର୍କ ରଖିବାକୁ ପ୍ରତିଶ୍ରୁତି ଦେଲେ ନୱାଜ ସରିଫ୍ । କହିଲେ କାଶ୍ମୀର ବିବାଦକୁ ଶାନ୍ତିରେ ସମାଧାନ କରିବୁ ।

286

କନକ ବ୍ୟୁରୋ: ଲଣ୍ଡନରେ ୪ ବର୍ଷ ରହି ଫେରିବା ପରେ ପାକିସ୍ତାନରେ ପ୍ରଥମ ରାଲି କରିଛନ୍ତି ନୱାଜ ସରିଫ୍ । ଏହି ସମୟରେ ଭାରତ ସହ ସମ୍ପର୍କକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ନୱାଜ୍ । ଭାରତ ସହ ତାଙ୍କ ସମ୍ପର୍କ ଏଣିକି ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିବ ଏବଂ କାଶ୍ମୀର ପ୍ରସଙ୍ଗକୁ ଶାନ୍ତିରେ ଆଲୋଚନା କର ସମାଧାନ କରିବାକୁ ଚେଷ୍ଟା କରିବେ । ଏହାସହ ପାକିସ୍ତାନର ଆର୍ଥିକ ଦୂରାବସ୍ଥାକୁ ସୁଧାରିବାକୁ ସମସ୍ତେ ଏକଜୁଟ ହୋଇ କାମ କରିବାକୁ ଅହ୍ୱାନ ଦେଇଛନ୍ତି ନୱାଜ ସରିଫ ।

୭୩ ବର୍ଷୀୟ ପାକିସ୍ତାନ ମୁସ୍ଲିମ୍ ଲିଗ୍ ନେତା ନୱାଜ ସରିଫ୍ ରାଲି କରିବା ଅବସରରେ ବ୍ୟାପକ ବିଦେଶ ନୀତି କଥା କହିଛନ୍ତି । ସେ କହିଛନ୍ତି ଯେ, ‘ଆମେ ଦୁନିଆର ହିତ ଚାହୁଁଛୁ ଓ ସମସ୍ତଙ୍କ ସହ ସମାନତାର ବ୍ୟବହାର କରିବାକୁ ଚାହୁଁଛୁ । ଆମେ ପଡୋଶୀ ଦେଶ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖି ପାକିସ୍ତାନକୁ ଏକ ଆର୍ଥିକ ଶକ୍ତି ବନାଇବାକୁ ଚାହୁଁଛୁ । ଅନ୍ୟମାନଙ୍କ ସହ ଲଢି ପାକିସ୍ତାନର ବିକାଶ ହୋଇପାରିବ ନାହିଁ । ମୁଁ ପ୍ରତିଶୋଧ ନୁହେଁ ବରଂ ଭରସା ଉପରେ ବିଶ୍ୱାସ କରେ’ ବୋଲି କହିଛନ୍ତି ନୱାଜ ସରିଫ୍ ।