ସାମ ପେଟ୍ରୋଡାଙ୍କ ‘କଳା ରଙ୍ଗ’ ବୟାନକୁ ନେଇ ତେଜିଲା ରାଜନୀତି । ମୋଦୀ କହିଲେ, ସାରା ଦେଶର ହେଇଛି ଅପମାନ ।

368

କନକ ବ୍ୟୁରୋ: ସାମ ପେଟ୍ରୋଡାଙ୍କୁ ନେଇ ପୁଣି ତେଜିଲା ରାଜନୀତି । ଖୋଲା ମଞ୍ଚରୁ ସିଧା ବିରୋଧୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସାମ ପେଟ୍ରୋଡାଙ୍କ ବୟାନ ଦେଶକୁ ଅପମାନ କରିଛି ବୋଲି କହିଛନ୍ତି ମୋଦୀ । ଏଥିସହ କଳା ରଙ୍ଗର ଲୋକ କଣ ଆଫ୍ରିକାର ବୋଲି ସେ ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମୁଁ ଆଜି ବହୁତ ରାଗରେ ଅଛି । ରାହୁଲଙ୍କ ଗାନ୍ଧୀଙ୍କୁ ପରୋକ୍ଷରେ ଶେହଜାଦେ ବୋଲି କହିବା ସହ ଶେହଜାଦେଙ୍କ ଅଙ୍କଲ ଯେଉଁ ଭାଷାର ପ୍ରୟୋଗ କରିଛନ୍ତି, ସେଥିପାଇଁ ସେ ରାଗରେ ଅଛନ୍ତି ବୋଲି ମୋଦୀ କହିଛନ୍ତି । ଏଥିସହ କଳା ରଙ୍ଗର ଚର୍ମ ଥିବା ଲୋକ କଣ, ଆଫ୍ରିକାର ବୋଲି ସେ ପ୍ରଶ୍ନ କରିଛନ୍ତି । ଏଭଳି ଲୋକ ଆମ ଦେଶରେ ଚର୍ମର ରଙ୍ଗରେ ଗାଳି ଦେଉଛନ୍ତି । ହେଲେ ଚର୍ମର କୌଣସି ବହି ରଙ୍ଗ ନାହିଁ । ବରଂ ଆମେ ଭଗବାନ ଶ୍ରୀକୃଷ୍ଣଙ୍କୁ ମଧ୍ୟ ପୂଜା କରୁ ବୋଲି ମୋଦୀ କହିଛନ୍ତି ।

ସାମ ପେଟ୍ରୋଡାଙ୍କ ଏହି ବୟାନ ଏବଂ ମୋଦୀଙ୍କର ତାଙ୍କ ଉପରେ ନିଶାନା ଏପରି ସମୟରେ ଆସିଛି, ଯେଉଁ ସମୟରେ ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବାକୁ ଅଛି । ଦକ୍ଷିଣ ଭାରତର ରାଜ୍ୟ ତେଲେଙ୍ଗାନାରେ ଏବେ ବି ଭୋଟିଂ ବାକି ଅଛି, ତା ସହ ଆନ୍ଧ୍ରପ୍ରଦେଶରେ ମଧ୍ୟ ଭୋଟିଂ ହେବାକୁ ଅଛି । ଆଉ ଏହାରି ଭିତରେ ଏହି ବୟାନ ଏବେ ଚର୍ଚ୍ଚା ସାଉଣ୍ଟିଛି । ଏହା ପୂର୍ବରୁ ସାମ ପେଟ୍ରୋଡାଙ୍କ ଉତ୍ତରାଧିକାରୀ ଟ୍ୟାକ୍ସ ବୟାନକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହେଇଥିଲା । ଆମେରିକାର ଉଦାହରଣ ଦେଇ ଏହି ଟ୍ୟାକ୍ସ କଥା ଉଠାଇଥିଲେ ପେଟ୍ରୋଡା । ଆଉ ସେତେବେଳେ ଏହାକୁ ନେଇ ରାଜନୀତି ତେଜିବା ସହ କଂଗ୍ରେସ ମଧ୍ୟ ଏ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଥିଲା ।