ଛଳଛଳ ଆଖିରେ ନେତାଙ୍କୁ ବିଦାୟ ଦେଲେ ଜନତା: ପଞ୍ଚଭୂତରେ ଲୀନ ହେଲେ ନବ ଦାସ

1,872

କନକ ବ୍ୟୁରୋ: ପଞ୍ଚଭୂତରେ ଲୀନହେଲା ନବ ଦାସଙ୍କ ପାର୍ଥିବ ଶରୀର । ଛଳଛଳ ଆଖିରେ ନିଜ ନେତାଙ୍କୁ ବିଦାୟ ଦେଲେ ଜନତା । ଚାରିଆଡେ ଖାଲି ଶୋକର ଛାୟା, ନବ ଦାସଙ୍କୁ ଝୁରୁଛି ଝାରସୁଗୁଡା । ନିଜ ଜନ୍ମମାଟିର ଖେରୁଆଲରେ ନବ ଦାସଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି । ନବ ଦାସଙ୍କ ଶେଷଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ଶୁଭେଚ୍ଛୁ ଓ ସମର୍ଥକ । ନବ ଦାସଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ପରେ ମୁଖାଗ୍ନି ଦେଇଥିଲେ ପୁଅ, ପାଖରେ ଝିଅ ଦିପାଳି ଉପସ୍ଥିତ ଥିଲେ ।

ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ ହୋଇଛି । ଭୁବନେଶ୍ୱର ଆପୋଲୋରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଗୁରୁତର ଅବସ୍ଥାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଆପୋଲୋ ଆଣିବା ପରେ ଅସ୍ତ୍ରୋପଚାର କରିଥିଲେ ଡାକ୍ତର ଦେବାଶିଷ ନାୟକ । ନବ ଦାସଙ୍କୁ ଗୋଟିଏ ଗୁଳି ବାଜିଥିଲା । ବାମପଟ ଛାତିରେ ଗୁଳି ଫୁଟି ପିଠିପଟେ ବାହାରି ଯାଇଥିଲା । ଫଳରେ ହାର୍ଟ ଓ ବାମପଟ ଫୁସଫୁସରେ କ୍ଷତ ହୋଇଥିବା ବେଳେ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଅସ୍ତ୍ରୋପଚାର କରି ଡାକ୍ତର ଦେବାଶିଷ ସେହି କ୍ଷତକୁ ବନ୍ଦ କରିଦେଇଥିଲେ । ଡାକ୍ତରୀ ଦଳର ସବୁ ଉଦ୍ୟମ ସତ୍ୱେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହାର୍ଟ କାମ କରିନଥିବା ଆପୋଲୋ ପକ୍ଷରୁ ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦେହାନ୍ତ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପୋଲୋ ହସ୍ପିଟାଲ ପହଂଚିଥିଲେ । ସେଠାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଶେଷ ଦର୍ଶନ କରିଥିଲେ ନବୀନ ପଟ୍ଟନାୟକ ।

ଦେହାନ୍ତ ପରେ ଆଜି ସକାଳେ ନବ ଦାସଙ୍କ ପାର୍ଥିବ ଶରୀରକୁ ଝାରସୁଗୁଡା ଅଣାଯାଇଥିଲା । ଝାରସୁଗୁଡାରେ ତାଙ୍କ ଶେଷ ଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ଜନତା । ଭାବବିହ୍ୱଳ ପରିବେଶରେ ନବ ଦାସଙ୍କ ଅନ୍ତିମ ସଂସ୍କାର ହୋଇଥିଲା ।

ଗତକାଲି ବ୍ରଜରାଜନଗରର ଗାନ୍ଧୀ ଛକ ନିକଟରେ ତାଙ୍କୁ ସ୍ୱାଗତ କରିବା ପାଇଁ ବିଜେଡି କର୍ମୀମାନେ ଭିଡ଼ ଜମାଇଥିଲେ । ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ତାଙ୍କ ସମର୍ଥକ ଫୁଲମାଳ ପିନ୍ଧାଇବା ବେଳେ ହଠାତ୍ ଶୁଭିଥିଲା ଗୁଳିର ଶବ୍ଦ । କେହି କିଛି ବୁଝିବା ପୂର୍ବରୁ ଛାତିରେ ହାତ ଦେଇ ପଛକୁ ଝୁଙ୍କି ପଡ଼ିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ସବୁଠାରୁ ବଡ କଥା ହେଲା ଗୁଳି ମାରିଥିଲେ ଫାଣ୍ଡିରେ କାର୍ଯ୍ୟରତ ପୁଲିସ ଏଏସଆଇ ଗୋପାଳ ଦାସ । ପୁଲିସ ପୋଷାକ ପିନ୍ଧିଥିଲେ, ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ସର୍ଭିସ ରିଭଲଭର ଆଣିଥିଲେ । ଯେଉଁ ରିଭଲଭରରେ ସେ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇଥାନ୍ତେ, ସେହି ରିଭରଭରରେ ମନ୍ତ୍ରୀଙ୍କ ଜୀବନ ନେବା ପାଇଁ ଚଳାଇଥିଲେ ଗୁଳି ।