ହକି ବିଶ୍ୱକପରୁ ବିଦା ପରେ କୋଚ୍ ପଦରୁ ଗ୍ରାହାମ ରିଡଙ୍କ ଇସ୍ତଫା। ଇସ୍ତଫାପତ୍ର ଗ୍ରହଣ କଲା ହକି ଇଣ୍ଡିଆ ।

109

କନକ ବ୍ୟୁରୋ: ହକି ବିଶ୍ୱକପରେ ଭାରତର ବିଫଳତା ପରେ ଇସ୍ତଫା ଦେଇଛନ୍ତି କୋଚ୍ ଗ୍ରାହାମ ରିଡ୍ । ନିଜର ଇସ୍ତଫା ପତ୍ର ସେ ହକି ଇଣ୍ଡିଆ ସଭାପତି ଡ. ଦିଲୀପ ତିର୍କୀଙ୍କୁ ପ୍ରଦାନ କରିଛନ୍ତି । ଓଡିଶାରେ ଖେଳାଯାଇଥିବା ବିଶ୍ୱକପରେ ଭାରତୀୟ ଦଳ କ୍ୱାଟର ଫାଇନାଲରେ ପ୍ରବେଶ କରିପାରିନଥିଲା । ରିଡଙ୍କ ସହ ବିଶ୍ଳେଷକ କୋଚ ଗ୍ରେଗ କ୍ଲାର୍କ ଏବଂ ବୈଜ୍ଞାନିକ ପରାମର୍ଶଦାତା ଡେଭିଡ୍ ପେମ୍ବରଟନ ମଧ୍ୟ ଇସ୍ତଫା ଦେଇଛନ୍ତି । ହକି ଇଣ୍ଡିଆ ମଧ୍ୟ ସମସ୍ତଙ୍କ ଇସ୍ତଫାକୁ ସ୍ୱୀକାର କରିନେଇଛି ।

ହକି ବିଶ୍ୱକପ ସମାପନର ଗୋଟିଏ ଦିନ ପରେ ଗ୍ରାହାମ ରିଡ ଇସ୍ତଫା ପ୍ରଦାନ କରିଛନ୍ତି । ସେ ଇସ୍ତଫା ପତ୍ରରେ ଲେଖିଛନ୍ତି, ବର୍ତ୍ତମାନ ସମୟ ଆସିସାରିଛି ମୋର ଇସ୍ତଫାର । ଭାରତୀୟ ଦଳ ଏବଂ ହକି ଇଣ୍ଡିଆ ସହ କାମ କରିବା ମୋ ପାଇଁ ସୌଭାଗର କଥା । ମୁଁ ମୋର ଏହି ଯାତ୍ରାକୁ ବେସ ଭଲ ଭାବେ ବିତାଇଲି । ମୁଁ ଦଳକୁ ଆଗାମୀ ଯାତ୍ରା ପାଇଁ ଶୁଭକାମନା ଜଣାଉଛି ।

ଇସ୍ତଫା ଦେବା ପରେ ତିନି ଜଣ ଆଗାମୀ ଏକ ମାସ ଯାଏ ନୋଟିସ ପିରିୟଡରେ ରହିବେ । ଅଷ୍ଟ୍ରେଲିଆ ପାଇଁ ଖେଳିସାରିଥିବା ଗ୍ରାହାମ ରିଡଙ୍କ କୋଚିଂରେ ଭାରତୀୟ ଦଳ ୪୧ ବର୍ଷ ପରେ ଅଲିମ୍ପିକରେ କାଂଶ୍ୟ ପଦକ ଜିତିଥିଲେ । ସେହିଭଳି କମନୱେଲ ଗେମ୍ସରେ ରୌପ୍ୟ ଏବଂ ଏଫଆଇଏଚ ପ୍ରୋ ଲିଗର ୨୦୨୧-୨୨ ସଂସ୍କରଣରେ ତୃତୀୟ ସ୍ଥାନ ହାସଲ କରିଥିଲା । ୨୦୧୯ ମସିହାରେ ଭାରତୀୟ ଦଳ ମଧ୍ୟ ଏଫଆଇଏଚ୍ ବିଶ୍ୱ ସିରିଜ ଜିତିଥିଲା ।