ପୌର ଫଇସଲାରେ ବିଜେଡିର ବାଜିମାତ୍: ବିଜୟ ସୂଚକ ଦେଖାଇ ଫଟୋ ଛାଡ଼ିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

137

କନକ ବ୍ୟୁରୋ: ଚଳିତ ପୌର ନିର୍ବାଚନରେ ବିଜେଡିର ବଡ଼ ବିଜୟ ପରେ ସାମ୍ନାକୁ ଆସିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୌର ପରୀକ୍ଷାର ଫଳାଫଳ ଆସିବା ପରେ ବିଜୟ ସୂଚକାଙ୍କ ଚିହ୍ନ ଦେଖାଇ ଫଟୋ ଛାଡ଼ିଛନ୍ତି ନବୀନ । ବିଜୁ ଜନତା ଦଳ ଉପରେ ଓଡ଼ିଶାବାସୀ ଭରସିଥିବାରୁ ଖୁସିବ୍ୟକ୍ତ କରିଛନ୍ତି ନବୀନ । ହସ ହସ ମୁହଁରେ ହାତଟେକି ବିଜୟୀ ସୂଚକ ଚିହ୍ନ ଦେଖାଇ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ନବୀନ ପଟ୍ଟନାୟକ । ପଞ୍ଚାୟତ ଭଳି ଚଳିତ ପୌର ନିର୍ବାଚନରେ ପୂର୍ବରୁ-ପଶ୍ଚିମ, ଉତ୍ତରରୁ-ଦକ୍ଷିଣ ସାରା ଓଡ଼ିଶାର ପୌରାଞ୍ଚଳରେ ବିଜେଡିର ଦବଦବା ପୁଣି ଦେଖିବାକୁ ମିଳିଛି । ରାଜଧାନୀରୁ ରାଜନୀତିର ଗୋଟିଚାଳନା କରି ବିରୋଧୀଙ୍କୁ ମାଟି କାମୁଡାଇ ଦେଇଛନ୍ତି ବିଜେଡି ସୁପ୍ରିମୋ । ଯାହାକି ଏହି ଫଟୋରୁ ଝଲସୁଥିବା ବିଜୟର ହସ ହସ ମୁହଁରୁ ସ୍ପଷ୍ଟ ବାରି ହୋଇପଡୁଛି।

ପୌର ନିର୍ବାଚନରେ ବିପୁଳ ବିଜୟ ନେଇ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ନବୀନ କହିଛନ୍ତି ଯେ, ପୌର ନିର୍ବାଚନରେ ବିଜେଡିର ବିପୁଳ ବିଜୟ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ଅଗଣିତ କର୍ମୀଙ୍କ ସମର୍ପିତ ଉଦ୍ୟମ ବଳରେ ସମ୍ଭବ ହୋଇଛି । ୱାର୍ଡସ୍ତରରୁ ଲୋକଙ୍କ ଭଲପାଇବା ତୃଣମୂଳସ୍ତରରେ ବିଜେଡିର ଲୋକପ୍ରିୟତାକୁ ପ୍ରମାଣିତ କରୁଛି। ତେଣୁ ଆସନ୍ତୁ, ସମସ୍ତେ ରାଜ୍ୟର ବିକାଶଧାରାରେ ସାମିଲ ହୋଇ ଲୋକଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ଏକ ହୋଇ ଆଗକୁ ବଢିବା।