ଯେଉଁ ମସଜିଦ୍ ଉପରେ ନଜର ଅଛି ତାହାର ତାଲିକା ଦେଇଦିଅନ୍ତୁ । ଜ୍ଞାନବାପି ବିବାଦକୁ ନେଇ ବଡ ବୟାନ ଦେଲେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ।

181

କନକ ବ୍ୟୁରୋ : ବାରଣାସୀର ଜ୍ଞାନବାପି ମସଜିଦ୍ ବିବାଦକୁ ନେଇ ସୋମବାର ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ବଡ ବୟାନ ଦେଇଛନ୍ତି । ପିଡିପି ମୁଖ୍ୟ ମେହବୁବା ମୁଫତି କହିଛନ୍ତି, ମସଜିଦ୍ ପ୍ରସଙ୍ଗ ଉଠାଇ କେନ୍ଦ୍ର ମହଙ୍ଗା ଓ ବେରୋଜଗାର ମୁଦ୍ଦା ଉପରୁ ଧ୍ୟାନ ହଟାଇବାକୁ ଚାହୁଁଛି । ଏହାସହ ମୁଫତି କହିଛନ୍ତି, କେବଳ ମସଜିଦରେ କାହିଁକି ଭଗବାନ ମିଳୁଛନ୍ତି ।

ମୁଫତି କହିଛନ୍ତି, ଏମାନେ ଆମର ସବୁ ମସଜିଦ ପଛରେ ପଡିଛନ୍ତି । ପ୍ରଥମେ ବାବ୍ରି ଆଉ ଏବେ ଜ୍ଞାନବାପି । ବିଜେପି ଆମକୁ ମସଜିଦର ଏକ ତାଲିକା ଦେଇଦେଉ ଯାହା ଉପରେ ତାଙ୍କର ନଜର ରହିଛି । କଣ ଜ୍ଞାନବାପି ପରେ ସବୁକିଛି ଠିକ୍ ହୋଇଯିବ କି?

ଏହାଛଡା ମୁଫତି କହିଛନ୍ତି, ଦେଶର ମାହୋଲ ବଦଳାଇବାର ଆବଶ୍ୟକତା ରହିଛି । କାରଣ ଲୋକ ଓ ସମ୍ପ୍ରଦାୟ ମଧ୍ୟରେ ଦୂରତା ବଢୁଛି । ଲୋକଙ୍କ ମନରେ ରାଗ ରହିଛି କିନ୍ତୁ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିପାରୁନାହାନ୍ତି । କାରଣ ଲୋକେ ଜାଣିଛନ୍ତି ଯଦି ସେମାନେ ପ୍ରଦର୍ଶନ କରିବେ ତେବେ ତାଙ୍କ ଉପରେ ମାମଲା ରୁଜୁ ହୋଇଯିବ । ଭାରତକୁ ୫୦ ପ୍ରତିଶତ ଲୋକ ମୋଗଲ ଶାସକ ମାନେ ନିର୍ମାଣ କରିଥିବା ସ୍ମାରକୀ ଦେଖିବାକୁ ଆସନ୍ତି ଏବଂ ଅନ୍ୟ ୫୦ ପ୍ରତିଶତ ଲୋକ କାଶ୍ମୀର ଦେଖିବାକୁ ଆସିଥାନ୍ତି । କିନ୍ତୁ ବିଜେପି ପର୍ଯ୍ୟଟନକ୍ଷେତ୍ରକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରି ସାରିଲାଣି ।

ସୋମବାର ହିନ୍ଦୁ ପକ୍ଷ ଓ ଆବେଦନକାରୀଙ୍କ ଓକିଲ ଜ୍ଞାନବାପି ଠାରେ ଶିବଲିଙ୍ଗ ଥିବା କହିବା ପରେ ଉକ୍ତ ସ୍ଥାନକୁ ସିଲ୍ କରିବାକୁ ବାରଣାସୀ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏପରିକି ଏହି ସ୍ଥାନକୁ କେହି ଯେପରି ନ ପ୍ରବେଶ କରିବେ ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ମୁସଲିମ ପକ୍ଷ ପକ୍ଷରୁ ଏଭଳି ଦାବିକୁ ଖାରଜ କରାଯାଇଛି ।