ଜ୍ଞାନବାପୀ ମସଜିଦ୍ କେସ୍: ମସଜିଦ୍ ପରିସରରୁ ମିଳିଲା ଶିବଲିଙ୍ଗ । ପୋଖରୀ ଅଞ୍ଚଳକୁ ସିଲ୍ କଲେ କୋର୍ଟ ।

88

କନକ ବ୍ୟୁରୋ: ଜ୍ଞାନବାପୀ ମସଜିଦ୍ ସର୍ଭେ ମାମଲାରେ ଉତ୍ତରପ୍ରଦେଶର ଏକ ଅଦାଲତ ମସଜିଦ୍ ପରିସରରେ ଥିବା ପୋଖରୀକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ପୃକ୍ତ ପୋଖରୀରୁ ଶିବଲିଙ୍ଗ ମିଳିଥିବାରୁ କୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି । ତେବେ ମିଳିଥିବା ସୂଚନା ମୁତାବକ, ମସଜିଦ୍ ପରିସରରେ ଥିବା ପୋଖରୀରୁ ଏକ ବିଶାଳ ଶିବଲିଙ୍ଗ ଆକୃତିର ପଥର ଉଦ୍ଧାର ହୋଇଥିଲା । ହିନ୍ଦୁ ପକ୍ଷ ଏହାକୁ ଶିବ ଲିଙ୍ଗ ବୋଲି ଦାବି କରୁଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଯେଉଁ ସ୍ଥାନରୁ ଶିବ ଲିଙ୍ଗ ଉଦ୍ଧାର ହୋଇଛି ସେହି ସ୍ଥାନକୁ ସିଲ୍ କରିଦେଇଛି ।

ହିନ୍ଦୁ ଯାଚିକାକର୍ତ୍ତାଙ୍କ ଓକିଲ ସୁଭାଷ ନନ୍ଦନ ଚତୁର୍ବେଦୀ କହିଛନ୍ତି ଯେ, ଆମେ ଏହି ବିଷୟରେ ଆପତ୍ତି ଉଠାଇଥିଲୁ । ପୋଖରୀକୁ ଶୁଖାଇ ଦେଖିବାକୁ ଚାହିଁଥିଲୁ । ଆଜି ଆମେ ନିଜ ଆଖିରେ ଶିବଲିଙ୍ଗ ଦେଖିଛୁ । ଆଉ ଆମ ଅନୁରୋଧ ଅନୁସାରେ କୋର୍ଟ ଏହି ପୋଖରୀକୁ ସିଲ୍ କରିଛନ୍ତି । ତେବେ ଆଶଙ୍କା ଅଛି ଯେ, ସେହି ସ୍ଥାନରେ କିଛି ବି ପ୍ରକାର ଅଦଳବଦଳ ହୋଇପାରେ । ତେଣୁ କୋର୍ଟ ଶିବଲିଙ୍ଗ ମିଳିଥିବା ସ୍ଥାନକୁ ସିଲ୍ କରିଛନ୍ତି ।

ଅନ୍ୟପଟେ ମୁସଲିମ୍ ପକ୍ଷର ଓକିଲ ଆଲୋକ ନାଥ କହିଛନ୍ତି, ମୁଁ ଏବେ ଅର୍ଡର କପି ପଢିନି । ପୋଖରୀକୁ ସିଲ୍ କରିବା ନିର୍ଦ୍ଦେଶ ବିରୋଧରେ ଆମେ ଅଦାଲତକୁ ଯିବୁ ବୋଲି ସେ କହିଛନ୍ତି । ତେବେ ଏନେଇ ଯେତେ ବି ଆଇନ୍ କାନୁନ୍ ରହିଛି ସେ ନେଇ ଆମେ ଉପାୟ ପ୍ରସ୍ତୁତ କରିବୁ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ଆଜି ଜ୍ଞାନବାପୀ ମସଜିଦରେ ସର୍ଭେର ତୃତୀୟ ଦିନ ଥିଲା । ଏହି ସମୟରେ ମନ୍ଦିର ପରିସରରେ ଥିବା ଏକ ପୋଖରୀରୁ ଏକ ଶିବ ଲିଙ୍ଗ ଆକୃତିର ପଥର ଉଦ୍ଧାର ହୋଇଛି । ହିନ୍ଦୁ ପକ୍ଷ ଏହାକୁ ଶିବଲିଙ୍ଗ ବୋଲି ଦାବି କରୁଥିବାବେଳେ, ମୁସଲିମ୍ ପକ୍ଷ ଏହି ମାମଲାରେ ଉଚ୍ଚ ନ୍ୟାୟାଳୟକୁ ଯିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

ଅନ୍ୟପଟେ ଜ୍ଞାନବାପୀ ମସଜିଦ୍ ସର୍ଭେ ବିରୋଧରେ ହୋଇଥିବା ଯାଚିକାକୁ ନେଇ ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି ହେବ । ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ପି ଏସ ନରସିଂହାଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରିବ ।