ଆସୁଛି ୨ଟି ଲଘୁଚାପ : ସ୍କାଏମେଟର ଆକଳନ, ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା

749

କନକ ବ୍ୟୁରୋ : ଆସନ୍ତା ସପ୍ତାହରେ ଦୁଇଟି ଲଘୁଚାପ । ଓଡିଶାରେ ଆହୁରି ସକ୍ରିୟ ହେବ ମୌସୁମୀ । ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ପୂର୍ବାନୁମାନ କରିଛି । ୧୬ ତାରିଖ ବେଳକୁ ଉତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଆଜି ନୂଆପଡ଼ା, ବରଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର, ବୌଦ୍ଧ, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାର କେତେକ ଅଞ୍ଚଳରେ ବର୍ଷା ହୋଇପାରେ । ୧୫ ତାରିଖ ଦିନ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ ପୁରୀ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

ପ୍ରାୟ ୪୮ ଘଣ୍ଟା ଧରି ଏପରି ସ୍ଥିତି ଜାରି ରହିବା ପରେ ୧୮ ତାରିଖ ବେଳକୁ ତାହା ଏକ ଲଘୁଚାପରେ ପରିଣତ ହେବ ଓ ଉପକୂଳ ଆଡ଼କୁ ଗତି କରିବ । ପରବର୍ତ୍ତୀ ସମୟରେ ଏହା ଦେଶର କେନ୍ଦ୍ରାଞ୍ଚଳ ଆଡ଼କୁ ଗତି କରିବ ବୋଲି ଆଶା କରାଯାଉଛି । ଏହାର ପ୍ରଭାବରେ ଦେଶର ପୂର୍ବ, କେନ୍ଦ୍ରୀୟ ଓ ପଶ୍ଚିମ ଭାଗରେ ଧୀରେ ଧୀରେ ମୌସୁମୀ ସକ୍ରିୟ ହେବ ।

ଏହି ଲଘୁଚାପର ନିର୍ଦ୍ଦିଷ୍ଟ ରୂପରେଖ ଜଣା ପଡ଼ିନଥିଲେ ବି ଏହାର ପ୍ରଭାବରେ ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ମୌସୁମୀ ସକ୍ରିୟ ହେବାର ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହା ଫଳରେ ଏସବୁ ରାଜ୍ୟରେ ଥିବା ନିଅଣ୍ଟିଆ ବର୍ଷା ପରିସ୍ଥିତିର ଭରଣା ହୋଇପାରିବ ବୋଲି ସ୍କାଏମେଟ୍ କହିଛି । ଦେଶର ବିଭିନ୍ନ ସ୍ଥାନରେ ବର୍ଷା କାରଣରୁ ବନ୍ୟା ସ୍ଥିତି ଉପୁଜିଥିବା ବେଳେ ଏବେ ଓଡିଶାରେ କିନ୍ତୁ ସେଭଳି ସ୍ଥିତି ନାହିଁ ।