ସୁଧୁରୁଛି ସମ୍ବଲପୁରର ସ୍ଥିତି, କୋହଳ ହେଉଛି କଟକଣା । ୧୧ ଦିନ ପରେ ଫେରିଲା ମୋବାଇଲ୍ ଇଣ୍ଟରନେଟ୍ ସେବା ।

109

କନକ ବ୍ୟୁରୋ: ଆଜିର ଦିନରେ ମୋବାଇଲ ନିହାତି ଜରୁରୀ ସାମଗ୍ରୀ ଭିତରୁ ଗୋଟିଏ । ସେ ଶିକ୍ଷକ ହୁଅନ୍ତୁ କି ଛାତ୍ର, ଗ୍ରାହକ ହୁଅନ୍ତୁ କି ବ୍ୟବସାୟୀ । ମୋବାଇଲ ଉପରେ ନିର୍ଭରଶୀଳ ହୋଇପଡିଥିବା ମଣିଷଙ୍କ ପାଇଁ ୧୧ ଦିନ କାଳ ମୋବାଇଲ ଇଣ୍ଟରନେଟ ବନ୍ଦ କରିଦିଆଗଲେ କେତେ ଯେ ଅସୁବିଧା ହୁଏ । ଏହା ସମ୍ବଲପୁରବାସୀଙ୍କ ଠାରୁ ଅଧିକ ଆଉ କିଏ ବୁଝିବ । ରବିବାର ସକାଳ ୬ଟାରୁ ମୋବାଇଲ ନେଟ୍ ଆସିବା ପରେ ସମ୍ବଲପୁରରେ ଖୁସିର ଲହର ଖେଳି ଯାଇଛି । ଗଛମୂଳେ ବସି ମୋବାଇଲ ଖେଳାଉଛନ୍ତି ଯୁବକ । ପିଲା ଖୁସି ମନରେ ଘରେ ପାଠ ପଢିବାକୁ ବସିଯାଇଛନ୍ତି । ଦୋକାନରେ କାରବାର ବି ଆରମ୍ଭ ହୋଇଯାଇଛି । ଦୀର୍ଘ ୧୧ଦିନର ଇଣ୍ଟରନେଟ ବନ୍ଦୀରୁ ମୁକ୍ତ ହୋଇଛି ସମ୍ବଲପୁର ସହର ।

  • ଇଣ୍ଟରନେଟ ଆସିଲା, ଖୁସି ଆଣିଦେଲା
  • ୧୧ ଦିନ ପରେ ନେଟ୍ ପାଇଲା ସମ୍ବଲପୁର

ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ହିଂସାକାଣ୍ଡ ପରେ ବିଗିଡିଥିଲା ସମ୍ବଲପୁରରେ ଆଇନଶୃଙ୍ଖଳା । କୌଣସି ପ୍ରକାର ଅଘଟଣକୁ ଏଡାଇବା ସହ ଶାନ୍ତି ବଜାୟ ରଖିବାକୁ ପ୍ରଶାସନ କର୍ଫ୍ୟୁ କଟକଣା ଲଗାଇବା ସହ ୧୩ ତାରିଖରୁ ମୋବାଇଲ ନେଟ୍ ସେବାକୁ ସମଗ୍ର ସମ୍ବଲପୁର ଜିଲ୍ଲାରେ ବନ୍ଦ କରିଦେଇଥିଲା । ତେବେ ନେଟ ନଥିବା ସମୟରେ ଅନଲାଇନ କାମ ପାଇଁ ସରକାରୀ କର୍ମଚାରୀ ଓ ସାଧାରଣ ଲୋକ ବରଗଡରେ ହୋଟେଲ ବୁକ କରି କାମ କରୁଥିଲେ । ସେହିପରି କୁଚିଣ୍ଡା ଅଞ୍ଚଳର ଲୋକେ ଝାରସୁଗୁଡା ସୀମାକୁ ଯାଇ ଗଛମୂଳେ, ରାସ୍ତାକଡେ କାମ କରୁଥିଲେ । ହେଲେ ଏବେ ମୋବାଇଲ ଇଣ୍ଟରନେଟ ଫେରିଛି ଲୋକେ ଘରେ ବସି କାମ କରୁଛନ୍ତି । ପିଲା ଘରେ ଅନଲାଇନ ପାଠ ପଢୁଛନ୍ତି । ତାଲା ପଡିଥିବା ଇଲେକ୍ଟ୍ରୋନିକ୍ସ ଗେଜେଟ ଦୋକାନ ଖୋଲିଛି, କାରବାର ଆରମ୍ଭ ହୋଇଯାଇଛି ।

ସମ୍ବଲପୁରରେ ହିଂସା ସୃଷ୍ଟି ହେବା ପରେ କାଳେ ସୋସିଆଲ ମିଡିଆରେ ଘୃଣା ବିଦ୍ୱେଷ ସୃଷ୍ଟି କରୁଥିବା ଗୁଜବ ପ୍ରଚାରିତ ପ୍ରସାରିତ ହେବ, ଏନେଇ ସତର୍କ ହୋଇଥିଲା ପ୍ରଶାସନ । ତେଣୁ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ କରିବା ସହ ପ୍ରଶାସନ କର୍ଫ୍ୟୁ ଲଗାଇଥିଲା । ଏବେ ଧିରେ ଧିରେ ସ୍ଥିତି ସୁଧୁରୁଥିବାରୁ କଟକଣା କୋହଳ ହେବାରେ ଲାଗିଛି ।