ମୋବାଇଲରେ ପଇଠ କରି କାଟିହେବ ପାଉତି । ରାଜ୍ୟ ସରକାର ଆଣିଲେ ମୋବାଇଲ୍ ‘ପାଉତି’ ଆପ୍ । ଅନଲାଇନରେ ମିଳିବ ଜାତିଗତ ପ୍ରମାଣ ପତ୍ର ସହ ଅନେକ ସାର୍ଟିଫିକେଟ୍ ।

513

କନକ ବ୍ୟୁରୋ: ଏଣିକି ଖଜଣା ଦେବାକୁ ଆଉ ସମସ୍ୟା ହେବନାହିଁ । ମୋବାଇଲରେ ପାଉତି କାଟିପାରିବେ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଆରମ୍ଭ କରିଛି ‘ପାଉତି’ ଆପ୍ । ଆଜି ଏହି ଆପ୍କୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି  ଅନଲାଇନରେ ମିଳିବ ବିଭିନ୍ନ ପ୍ରମାଣ ପତ୍ର । ଇ-ସାର୍ଟିଫିକେଟ୍ ସେବା ଆରମ୍ଭ କରାଯାଇଛି । ଇଡିଷ୍ଟ୍ରିକ୍ଟ ଡଟ୍ ଓଡ଼ିଶା ଡଟ୍ ଜିଓଭି ଡଟ୍ ଇନ୍ ୱେବସାଇଟ୍ ଲଂଚ କରାଯାଇଛି । ଯେକୌଣସି ସ୍ଥାନରୁ ଜାତିଗତ, ବାସିନ୍ଦା ଓ ଆୟ ଆଦି ପ୍ରମାଣ ପତ୍ର ଏହି ୱେବସାଇଟ୍ରୁ ମିଳିପାରିବ । ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।

ରାଜସ୍ୱ ସେବା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନର ଲକ୍ଷ୍ୟ ନେଇ ଲୋକସେବା ଭବନରେ ଭିଡ଼ିଓ କନଫରେସିଂ ଜରିଆରେ ଏହି ‘ଆପ୍’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ଏହି ‘ଆପ୍’ ଜରିଆରେ ଲୋକମାନେ ଘରେ ବସି ମୋବାଇଲ ଜରିଆରେ ଜମିଜମାର ଖଜଣା ପ୍ରଦାନ କରି ପାଉତି ପାଇପାରିବେ । ତେବେ ଫାଇଭ୍-ଟି କାର୍ଯ୍ୟକ୍ରମ ଜରିଆରେ ପ୍ରଶାସନରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ଏହା ଏକ ଅଭିନବ ପ୍ରୟାସ  । ଏପରିକି ସାରା ଦେଶରେ ଏହି ସେବା କାର୍ଯ୍ୟକାରୀ କରିବାରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ।

ସବୁଠାରୁ ବଡ଼କଥା ହେଲା, ବାସ୍ଥାନ, ଆୟ ଓ ଜାତି ତଥା ଅନ୍ୟାନ୍ୟ ସାର୍ଟିଫିକେଟ୍ ସବୁ ହିତାଧିକାରୀଙ୍କ ସ୍ୱ-ଘୋଷିତ ତଥ୍ୟ ଉପରେ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଉପରୋକ୍ତ ସମସ୍ତ ସାର୍ଟିଫିକେଟ୍ ଗୁଡ଼ିକ ହିତାଧିକାରୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।