ରାଜ୍ୟର ଜଣେ ଜନପ୍ରିୟ ନେତାଙ୍କ ସଫଳ କାହାଣୀର ହେଲା ଅନ୍ତ: ଅନ୍ତିମ ସଂସ୍କାରରେ ସାମିଲ ହେଲେ ନେତା, ମନ୍ତ୍ରୀ ଓ ବିଧାୟକ

515

କନକ ବ୍ୟୁରୋ: ମାତ୍ର କିଛି ଘଂଟା ଭିତରେ ସବୁ କିଛି ଓଲଟପାଲଟ ହୋଇଗଲା । ଦୁଃଖର ପାହାଡ଼ ଛିଣ୍ଡିପଡ଼ିଲା ନବ ଦାସଙ୍କ ପରିବାର ଉପରେ । ଆଖିରୁ ଲୁହ ଶୁଖୁନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ଦେଖି କୋହକୁ ସମ୍ଭାଳି ପାରିନାହାନ୍ତି ନବ ଦାସଙ୍କ ପତ୍ନୀ ମିନତୀ ଦାସ । କାନ୍ଦି କାନ୍ଦି କହିଥିଲେ- ସବୁ କିଛି ସରିଗଲା । ଏହା ଏପରିଦୃଶ୍ୟ ଯାହାକୁ ଦେଖିଲେ, ଯେକୌଣସି ଲୋକଙ୍କ ଆଖିରୁ ଲୁହ ଝରିଯିବ । ନିଜ ସହଯୋଗୀଙ୍କୁ ହରାଇ ମୁଖ୍ୟମନ୍ତ୍ରୀଙ୍କ ଆଖି ମଧ୍ୟ ଛଳଛଳ ହୋଇ ଉଠିଥିଲା । ଏହି ସମୟରେ ଝିଅ ଦୀପାଳିର ଭବିଷ୍ୟତ ଆପଣଙ୍କୁ ଲାଗିଲା ବୋଲି କହିଥିଲେ ନବ ଦାସଙ୍କ ପତ୍ନୀ ।

ନବ ଦାସଙ୍କ ପାର୍ôଥବ ଶରୀରକୁ ଅନ୍ତିମ ଶ୍ରଦ୍ଧାଂଜଳି ଦେବାକୁ ସରକାରୀ ବାସଭବନରେ ପହଁଚିଥିଲେ ମୁଖ୍ୟମନ୍ତ୍ରୀ । ପୁଅ ବିଶାଳ ଦାସ ଓ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ୱନା ଜଣାଇଥିଲେ ନବୀନ । ଶୋକାକୂଳ ପରିବେଶ ମଧ୍ୟରେ ରାଜ୍ୟପାଳ ଗଣେଶୀ ଲାଲ, ଦଳମତ ନିର୍ବିଶେଷରେ ନେତା, ମନ୍ତ୍ରୀ, ବିଧାୟକ ଦିବ୍ୟଂଗତ ନେତାଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ । ନବ ଦାସଙ୍କ ମର ଶରୀର ଉପରେ ତ୍ରିରଙ୍ଗା ଆଚ୍ଛାଦିତ କରି ଗାର୍ଡ ଅଫ୍ ଅନର ଦିଆଯାଇଥିଲା ।

ବିଜେଡି ପାର୍ଟି ଅଫିସରେ ମଧ୍ୟ ପ୍ରିୟ ନେତାଙ୍କ ଶେଷ ଦର୍ଶନ ପାଇଁ ଲାଗି ରହିଥିଲା ଭିଡ଼ । ଦିନକ ପୂର୍ବରୁ ଯିଏ ପୂରା ଦମ୍ରେ ଦଳ ପାଇଁ କାମ କରୁଥିଲେ, ସେ ଆଜି ନିରବୀ ଯାଇଛନ୍ତି, ତାକୁ ବିଶ୍ୱାସ କରିପାରୁନଥିଲେ ନେତା, କର୍ମୀ ଓ ସମର୍ଥକ । ଏହା ପରେ ଭୁବନେଶ୍ୱର ବିମାନ ବନ୍ଦର ଅଣାଯାଇ ସେଠାରୁ ଝାରସୁଗୁଡ଼ା ଅଭିମୁଖେ ଯାଇଥିଲା ନବ ଦାସଙ୍କ ପାର୍ଥବ ଶରୀର ।

ଏହି ଜନସମୁଦ୍ର ହିଁ ବଖାଣୁଛି କେତେ ଲୋକପ୍ରିୟ ଥିଲେ ନବ ଦାସ । ତାଙ୍କର ଅନ୍ତିମ ଦର୍ଶନ ପାଇଁ ଝାରସୁଗୁଡ଼ା ଏୟାରପୋର୍ଟରୁ ସରବାହାଲ ସ୍ଥିତ ତାଙ୍କ ବାସଭବନ ଯାଏଁ ରାସ୍ତାରେ ହଜାର ହଜାର ସମର୍ଥକ, ନେତା ଛିଡ଼ା ହୋଇ ରହିଥିଲେ । ତୃଣମୂଳ ସ୍ତରରେ ନିଜକୁ ସବୁବେଳେ ଯୋଡି ରଖୁଥିବା ଜନପ୍ରିୟ ନେତା ନବ ଦାସଙ୍କ ଅନ୍ତିମ ଯାତ୍ରାରେ ସାମିଲ ହେବା ପାଇଁ ବାସଭବନ ଆଗରେ ସୃଷ୍ଟି ହୋଇଥିଲା ଜନସମୁଦ୍ର । ଦୁଃଖରେ ଭାଙ୍ଗି ପଡ଼ିଥିଲେ ଝିଅ ଦିପାଳୀ ଦାସ ଓ ଆତ୍ମୀୟସ୍ୱଜନ ।

ଯେଉଁ ମାଟି ତାଙ୍କୁ ପରିଚୟ ଦେଇଥିଲା, ଯେଉଁ ମାଟି ତାଙ୍କୁ ରାଜ୍ୟର ଅନ୍ୟତମ ପ୍ରଭାବଶାଳୀ ନେତା ଭାବେ ପ୍ରତିଷ୍ଠିତ କରାଯାଇଥିଲା । ସେହି କର୍ମଭୂମିରେ ଆରମ୍ଭ ହୋଇଥିଲା ନବ ଦାସଙ୍କ ଅନ୍ତିମ ଯାତ୍ରା । ହଜାର ହଜାର ସମର୍ଥକଙ୍କ ମୁହଁରୁ ବାହାରୁଥିଲା ନବ ଦାସ ଅମର ରହେ ଧ୍ୱନୀ । ସହର ପରିକ୍ରମା ବେଳେ ରାସ୍ତାର ଦୁଇ ପାଖରେ ଛିଡା ହୋଇ ସେମାନଙ୍କ ପ୍ରିୟ ନେତାଙ୍କୁ ଅନ୍ତିମ ବିଦାୟ ଦେଇଥିଲେ ଜନତା । ଝାରସୁଗୁଡ଼ା ଖେରୁଆଲ ପଡ଼ିଆରେ ପହଁଚିଥିଲା ନବ ଦାସଙ୍କ ମରଶରୀର । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯେଉଁଠି ହୋଇଥିଲା ଅନ୍ତିମ ସଂସ୍କାର । ଶେଷ ବିଦାୟ ଦେବାକୁ ଉପସ୍ଥିତ ଥିଲେ ମନ୍ତ୍ରୀ, ନେତା, ସମର୍ଥକ ଓ ଶୁଭେଚ୍ଛୁ । ପୁଅ ବିଶାଳ ଦାସ ଦେଇଥିଲେ ମୁଖାଗ୍ନି । ଜୁଇ ଜଳିବା ସହ ରାଜ୍ୟ ରାଜନୀତିର ତୁଙ୍ଗ ନେତା, ଝାରସୁଗୁଡ଼ା ମାଟିର ଅପ୍ରତିଦ୍ୱନ୍ଦୀ ନେତା ନବ ଦାସଙ୍କ ପାର୍ଥବ ଶରୀର ପଂଚଭୂତରେ ଲୀନ ହୋଇ ଯାଇଥିଲା । ଏହାସହ ଶେଷ ହୋଇଥିଲା ଜଣେ ଲୋକପ୍ରିୟ ନେତାଙ୍କ ସଂଘର୍ଷ ଓ ସଫଳତାର କାହାଣୀ । ଲୁହର ଶ୍ରଦ୍ଧାଂଜଳି ଦେଇ ଅନ୍ତିମ ବିଦାୟ ଦେଇଥିଲେ ଝାରସୁଗୁଡ଼ାବାସୀ ।