‘ଓଡ଼ିଶା-ମୋ ପରିବାର’ କାର୍ଯ୍ୟକ୍ରମ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ପରିବେଶ ସୁରକ୍ଷା, ରକ୍ତଦାନ ସେବା-କଲ୍ୟାଣ ଏବଂ ବିପନ୍ନ ଓଡ଼ିଆଙ୍କୁ ସହାୟତା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ

933

କନକ ବ୍ୟୁରୋ: ଆରମ୍ଭ ହେଲା ବିଜେଡିର ‘ଓଡିଶା-ମୋ ପରିବାର’ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ସଂପର୍କରେ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ତେବେ ‘ଓଡିଶା-ମୋ ପରିବାର’ରେ ମୁଖ୍ୟତଃ ୩ଟି ବିଷୟକୁ ଗୁରୁତ୍ୱ ଦିଆଯାଇଛି । ପରିବେଶ, ସ୍ୱାସ୍ଥ୍ୟ ସେବା କଲ୍ୟାଣ ଓ ବିପନ୍ନ ଓଡିଆଙ୍କୁ ସହାୟତା ଉପରେ ଗୁରୁତ୍ୱ  ଦିଆଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜୁ ଜନତା ଦଳ ଓଡିଶାବାସୀଙ୍କ ଆର୍ଶୀବାଦରେ  ଓଡିଶା ମା’ର ସେବା କରି ଚାଲିଛି । ସେବା ସଂଗ୍ରାମ ଓ ସ୍ୱାଭିମାନ ହେଉଛି ବିଜୁ ଜନତା ଦଳର ଆଦର୍ଶ ଆଉ ଓଡିଶାବାସୀଙ୍କ ଆର୍ଶୀବାଦ ହେଉଛି ବିଜେଡି ଶକ୍ତି । ତେବେ ସାଢେ ୪ କୋଟି ଓଡିଶାବାସୀ ହେଉଛନ୍ତି ମୋ ପରିବାର, ସେମାନଙ୍କ ମଙ୍ଗଳ ପାଇଁ ଦଳ ସବୁବେଳେ କାମ କରିଆସୁଛି  ଆଉ ଏହି କାମକୁ ଆହୁରୀ ଆଗକୁ ନେବା ପାଇଁ ଓଡିଶା-ମୋ ପରିବାର  କାର୍ଯ୍ୟକ୍ରମ ଆରମ୍ଭ  ହୋଇଛି  ବୋଲି କହିଛନ୍ତି ନବୀନ ।

ଓଡିଶା-ମୋ ପରିବାର କାର୍ଯ୍ୟକ୍ରମରେ ୩ ଟି ବିଷୟ ଉପରେ ଗୁରୁତ୍ୱ ଦିଆଯାଇଛି । ପରିବେଶ ସୁରକ୍ଷା – ଯେଉଁଥିରେ କି ବିଜେଡିର କର୍ମୀଭାଇ ଭଉଣୀମାନେ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନେବା ସହ ଏଦିଗରେ ଲୋକଙ୍କୁ ସଚେତନ କରାଇବେ ।  ରକ୍ତ ଦାନ ସେବା ଓ କଲ୍ୟାଣ- ଯାହାକି ଜୀବନ ବିନ୍ଦୁ ଭଳି କାର୍ଯ୍ୟକ୍ରମ । ତେବେ ଏହାର ଏକମାତ୍ର ଲକ୍ଷ୍ୟ ହେଲା ରକ୍ତଦାନକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା । ସେହିପରି ବିପନ୍ନ ଓଡିଆଙ୍କୁ ସହାୟତାର ଉଦ୍ଦେଶ୍ୟ ହେଲା, ଦେଶ ବିଦେଶରେ କାମ କରୁଥିବା ଓଡିଶାବାସୀମାନେ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି , ସେମାନଙ୍କର ବିପଦ ସମୟରେ ସେମାନଙ୍କ ସାଥିରେ ରହି ସେମାନଙ୍କୁ ଓ ତାଙ୍କ ପରିବାରକୁ ସହାୟତା  ଯୋଗାଇବା ପାଇଁ ବିଜୁ ଜନତା ଦଳର କର୍ମାମାନେ କାମ କରିବେ ବୋଲି  କହିବା ସହ ବିଜେଡିର ଏହି ପ୍ରୟାସ ରାଜ୍ୟବାସୀଙ୍କୁ ସେବା ଯୋଗାଇବାରେ ସଫଳ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।