ମେହୁଲ ଚୁକସୀଙ୍କ ସପକ୍ଷରେ ରାୟ ଶୁଣାଇଲେ ଏଣ୍ଟିଗୁଆ – ବାରବୁଡା କୋର୍ଟ, ରାୟ ଆଧାରରେ ମେହୁଲ ଚୁକସୀଙ୍କ ଭାରତ ଆଣିବା ଏବେ ହୋଇପାରେ କଷ୍ଟକର

986

କନକ ବ୍ୟୁରୋ : ୧୩ ହଜାର କୋଟି ଟଙ୍କା ନେଇ ଫେରାର ହୋଇଯାଇଥିବା ବ୍ୟବସାୟୀ ମେହୁଲ ଚୁକସୀ ଏବେ ଆଇନଗତ ଲଢେଇରେ ବିଜୟୀ ହୋଇଛନ୍ତି । ଏଣ୍ଟିଗୁଆ ଓ ବାରବୁଡା କୋର୍ଟ ଶୁକ୍ରବାର ଦିନ ମେହୁଲ ଚୁକସୀଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି କି ମେହୁଲ ଚୁକସୀଙ୍କୁ ଏବେ କେହି ବି ଏଣ୍ଟିଗୁଆ ଓ ବାରବୁଡା ବାହାରକୁ ନେଇ ପାରିବେ ନାହିଁ । ଏହି କାରଣରୁ ଏବେ ମେହୁଲ ଚୁକସୀଙ୍କୁ ଭାରତ ଆଣିବା କଷ୍ଟକର ହୋଇପଡିବ । କୋର୍ଟରେ ଚୁକସୀଙ୍କ ଓକିଲ ଦାବି କରିଥିଲେ କି, ଏବେ ଏଣ୍ଟିଗୁଆର ଆର୍ଟନୀ ଜେନରଲ ଓ ପୋଲିସ ପ୍ରମୁଖ ଚୁକସୀଙ୍କ ବିରୋଧରେ ଥିବା ମାମଲାର ଯାଂଚ ଦାୟୀତ୍ୱ ନେଇଥିବାରୁ ତାଙ୍କୁ ପ୍ରତ୍ୟାବର୍ତ୍ତନ କରାଯାଇ ପାରିବ ନାହିଁ ।

ସେପଟେ କୋର୍ଟଙ୍କ ନିକଟରେ ଦାବି କରିଥିଲେ କି ୨୦୨୧ ମେ’୨୩ ତାରିଖରେ ତାଙ୍କୁ ଏଣ୍ଟିଗୁଆ ଓ ବାରବୁଡାରୁ ଜବରଦସ୍ତ ଅପହରଣ କରାଯିବାକୁ ଚେଷ୍ଟା କରାଯାଇଥିଲା । ଏହି ମାମଲାର ଯାଂଚ କୋର୍ଟ କରନ୍ତୁ ବୋଲି ସେ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ । ଏହି ମାମଲାକୁ ଗମ୍ଭୀରତାର ସହ ନେଇ କୋର୍ଟ କହିଥିଲେ କି କୋର୍ଟଙ୍କ ବିନା ଆଦେଶରେ କେହି ମେହୁଲ ଚୁକସୀଙ୍କୁ ଏଣ୍ଟିଗୁଆ ଓ ବାରବୁଡା ସୀମା ବାହାରକୁ ନେଇ ପାରିବେ ନାହିଁ । ଏହାସହ କୋର୍ଟ ଚୁକସୀଙ୍କ ଅପହରଣ ମାମଲାର ଯାଂଚ ଦାୟୀତ୍ୱ ଡୋମିନିକା ପୋଲିସକୁ ଦେଇଛନ୍ତି ।

ଅନ୍ୟପଟେ ଜାତୀୟ ଯାଂଚ ଏଜେନ୍ସି ସିବିଆଇ କହିଛି କି ଅପରାଧୀକ ନ୍ୟାୟ ପ୍ରକ୍ରିୟା ସାମ୍ନା କରିବାକୁ ପଳାତକ ଓ ଅପରାଧୀଙ୍କୁ ଭାରତ ଫେରାଇ ଆଣିବାକୁ ଯାଂଚ ଏଜେନ୍ସି ଯଥା ସମ୍ଭବ ଚେଷ୍ଟା କରୁଛି । କହିରଖୁ କି ଗତ ୧୫ମାସ ମଧ୍ୟରେ ୩୦ରୁ ଅଧିକ ଅପରାଧୀଙ୍କୁ ବିଦେଶରୁ ଫେରାଇଆଣିବାରେ ସଫଳ ହୋଇଛି ଯାଂଚ ଏଜେନ୍ସି । ମେହୁଲ ଚୁକସୀଙ୍କ ବିରୋଧରେ ୨୦୧୮ ମସିହା ଫେବୃଆରୀ ୧୫ ତାରିଖରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ଠକିଥିବା ଅଭିଯୋଗରେ ମାମଲା ରୁଜୁ ହୋଇଥିଲା ।