ଚାଲି ଚାଲି ଅପହଞ୍ଚ ଇଲାକାରେ ପହଞ୍ଚିଲେ ଡାକ୍ତରୀ ଟିମ୍ , ମାଗଣାରେ ଲୋକଙ୍କୁ ଦେଲେ ସେବା । ନବରଙ୍ଗପୁର ଝରିଗାଁରୁ ଆସିଲା ଦମନ କାହାଣୀ ଭଳି ଚିତ୍ର

299

କନକ ବ୍ୟୁରୋ: ଗାଁକୁ ନାହିଁ ପକ୍କା ରାସ୍ତା । ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ୯ କିମି ଚାଲିଲେ ସ୍ୱାସ୍ଥ୍ୟକର୍ମୀ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରୁ ଆସିଛି ଏପରି ଚିତ୍ର । ବର୍ଷା ଯୋଗୁଁ ମ୍ୟାଲେରିଆ ଆଶଙ୍କାରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଉପାନ୍ତ ଗ୍ରାମ ଗୁଡିକରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଅଭିଯାନ ଆରମ୍ଭ ହୋଇଛି । ତେବେ ଗାଁକୁ ଯିବାକୁ ପକ୍କା ରାସ୍ତା ନଥିବାରୁ ଡାକ୍ତରୀ ଟିମ୍ ଚାଲି ଚାଲି ଯାଇଥିଲେ ।

ଅପହଞ୍ଚ ଇଲାକା ହୋଇଥିବାରୁ ବ୍ଲକର ଅନେକ ଗ୍ରାମକୁ ପକ୍କା ରାସ୍ତା ନଥିବା ଯୋଗୁଁ ବର୍ଷା ଦିନରେ ନାହିଁ ନଥିବା ସମସ୍ୟା ହେଉଛି । ଏବେ ଗାଁରେ ମାଲେରିଆ ବ୍ୟାପିବା ଆଶଙ୍କା ଥିବାରୁ ସ୍ୱାସ୍ଥ୍ୟ କର୍ମୀ ମାନେ କାଦୁଅ ରାସ୍ତା ସହ ଜଙ୍ଗଲ ପାହାଡ଼ ଦେଇ ପାଦ ଚଲା ରାସ୍ତା ଦେଇ ଉପାନ୍ତ ଗ୍ରାମ ଗୁଡିକୁ ଯାଇ ସ୍ୱାସ୍ଥ୍ୟ ସେବା ଯୋଗାଇଛନ୍ତି । ଗାଁରେ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା, ଔଷଧ ଦେବା ସହ ଲୋକ ମାନଙ୍କୁ ସଚେତନ କରାଯାଇଛି । ଝରିଗାଁ ବ୍ଲକ ଉପାନ୍ତ ଚକଲାପଦର ପଂଚାୟତର ଦୁର୍ଗମ ଗ୍ରାମ ସର୍ଗିପାଣି, ମରାଘଟ ଏବଂ ନନ୍ଧନଚୁଆ ଗ୍ରାମର କିଛି ଲୋକ ମ୍ୟାଲେରିଆ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ଡାକ୍ତର ସନ୍ତୋଷ ପ୍ରଧାନ, ବିଶ୍ୱଜିତ ମହାନ୍ତି, ଦୀପ୍ତିରଞ୍ଜନ ସେଠୀ ଏବଂ ମହିଳା ସ୍ୱାସ୍ଥ୍ୟ କର୍ମୀ ଜାନକୀ ଟାକିରୀ ଗାଡି ନେଇ ଯାଇଥିଲେ । ତେବେ ଗାଡି ଫୁଲଝରୀ ଗ୍ରାମ ପର୍ଯ୍ୟନ୍ତ ଯିବା ପରେ ରାସ୍ତା ନଥିବା ଯୋଗୁଁ ଆଗକୁ ଯାଇ ପାରି ନଥିଲା । ଫଳରେ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ଔଷଧ ବହି ପାହାଡ଼ ପର୍ବତ ଘେରା ପଥର ରାସ୍ତାରେ ୩ କିଲୋମିଟର ଦୂର ଚାଲି ଚାଲି ପ୍ରଥମେ ସର୍ଗିପାଣି ଗ୍ରାମ ଯାଇଥିଲେ । ପରେ ସେଠାରୁ ପୁଣି ୩କିଲୋମିଟର ଦୂର ଚାଲି ଚାଲି ମରାଘାଟ ଗ୍ରାମ ଯାଇଥିଲେ । ଶେଷରେ ପରେ ପୁଣି ୩ କିଲୋମିଟର ଦୂରରେ ଥିବା ନନ୍ଧନଚୁଆ ଗ୍ରାମ ପଂହଚିଥିଲେ । ଏହି ତିନିଟି ଗ୍ରାମରେ ପ୍ରଥମେ ଜ୍ୱର ଲକ୍ଷଣ ଥିବା ଲୋକ ମାନଙ୍କ ସାମୁହିକ ରକ୍ତ ପରୀକ୍ଷା କରିଥିଲେ । ଏହି ତିନିଟି ଗ୍ରାମରେ ୧୨୯ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା ।