ମୟୁରଭଞ୍ଜ ନକଲି ନୋଟ୍ କାରବାର ରାକେର୍ଟର ପର୍ଦ୍ଦାଫାସ୍ । ମହିଳା କାର୍ପଟଦାରଙ୍କ ସହ ୪ ଗିରଫ

155

କନକ ବ୍ୟୁରୋ: ମୟୁରଭଞ୍ଜ ବାରିପଦାରେ ନକଲି ନୋଟ କାରବାର ରାକେଟର ପର୍ଦ୍ଦାଫାସ । ଘଟଣାର କିଙ୍ଗପିନ୍ ଜଣେ ମହିଳାଙ୍କ ସହ ୪ ଜଣଙ୍କୁ ଗିରଫ କରିଛି ବାରିପଦା ସଦର ଥାନା ପୋଲିସ୍ । ନିଜକୁ ଆଭିଜାତ୍ୟସମ୍ପନ୍ନ ବ୍ୟକ୍ତି ଭାବେ ଦର୍ଶାଇ ଲୋକଙ୍କୁ ଠକୁଥିଲେ ମହିଳା ଓ ତାଙ୍କ ସ୍ୱାମୀ । ୩ ଲକ୍ଷ ଦେଲେ ୧୦ ଲକ୍ଷ ମିଳିବ ବୋଲି ଲୋଭ ଦେଖାଇ ଲୋକଙ୍କୁ କରୁଥିଲେ ଠକେଇ । ନିଜ ଏଜେଣ୍ଟ ମାନଙ୍କ ସହଯୋଗରେ ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ନିଜ ଜାଲରେ ଫସାଉଥିଲେ । ଗିରଫ ଅଭିଯୁକ୍ତ ହେଲେ କୁଳିଅଣା ଥାନା ଅଞ୍ଚଳର ରଞ୍ଜିତା ନାୟକ , ସହଯୋଗୀ ଗଜେନ୍ଦ୍ର ବେହେରା , ଲୁଟା ବେହେରା ଓ ସୁକରାମ ସିଂ । ସେମାନଙ୍କ ନିକଟରୁ ଗୋଟିଏ ବାଇକ୍ ବୋଲେରୋ , ସ୍କର୍ପିଓ ଗାଡି ସହ ୩ ବିଡା ନକଲି ନୋଟ ଓ ୩ ଟି ମୋବାଇଲ୍ ଫୋନ ଜବତ ହେଇଛି ।
ମୟୁରଭଞ୍ଜରେ ଏବେ ସକ୍ରିୟ ହୋଇଛି ନକଲି ନୋଟ କାରବାର ରାକେଟ୍ । ତେବେ ଏକ ଅପହରଣ ମାମଲାର ତଦନ୍ତ ବେଳେ ଏହି ଜାଲ ନୋଟ କାରବାର ଘଟଣା ସାମ୍ନାକୁ ଆସିଥିଲା । ମହିଳାଙ୍କ ଏଜେଣ୍ଟ ଭାବେ କାମ କରୁଥିବା ବାରିପଦା ରଙ୍ଗାମାଟିଆ ଅଞ୍ଚଳର ଗଜେନ୍ଦ୍ର ବେହେରା ବଡସାହି ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ପ୍ରଲୋଭିତ କରି ୩ ଲକ୍ଷ ଟଙ୍କା ନେଇ ଯାଇଥିଲେ । ଯାହାପରେ ପୋଲିସ୍ ମାମଲାର ତଦନ୍ତ କରିବା ସମୟରେ ଜାଲ ନୋଟ୍ କାରବାରର ରହସ୍ୟ ବିଷୟରେ ଜାଣିବାକୁ ପାଇଥିଲା । ତେବେ ମୁଖ୍ୟ ଅଭିଯୁକ୍ତ ରଞ୍ଜିତାଙ୍କ ସ୍ୱାମୀ ଏବେ ବି ଫେରାର ଅଛି । ଅନ୍ୟପଟେ ଅଭିିଯୁକ୍ତମାନେ ନକଲି ଟଙ୍କା କେଉଁଠୁ ଆଣୁଥିଲେ ସେ ସଂକ୍ରାନ୍ତରେ ଅଧିକ ଛାନଭିନ୍ କରୁଛି ପୋଲିସ୍ ।