ଦୁବାଇରେ ମାଷ୍ଟର ମାଇଣ୍ଡ, ଓଡ଼ିଶାରେ ଠକେଇ! ଏନସିବି ଅଧିକାରୀ ନାଁରେ ଠକିନେଲେ ଦେଢ଼ ଲକ୍ଷ

354

କନକ ବ୍ୟୁରୋ: ଦିନକୁ ଦିନ ବଢ଼ି ଚାଲିଛି ଠକେଇର ତରିକା । କେତେବେଳେ କେୱାଇସି ଅପଡେଟ୍ ନାଁରେ ଠକେଇ କରୁଛନ୍ତି, ତ ଆଉ କେତେବେଳେ ବିଭିନ୍ନ ପ୍ରକାର ଅଫରର ଲୋଭ ଦେଖାଇ ଠକେଇ କରୁଛନ୍ତି । କିନ୍ତୁ ଏବେ ଆଉ ଏକ ପ୍ରକାରର ଠକେଇ ସାମନାକୁ ଆସିଛି । କିଛି ଠକ୍ ଦୁବାଇରେ ବସି, ନିଜକୁ ଏନସିିବି ଅଧିକାରୀର ପରିଚୟ ଦେଇ ଲୋକଙ୍କୁ ଚୁନା ଲଗାଉଛନ୍ତି । ଭୁବନେଶ୍ୱର ନୂଆପଲ୍ଲୀ ଅଞ୍ଚଳରୁ ଜଣେ ଠକେଇର ଶିକାର ହେବା ପରେ ପୂରା କାହାଣୀ ପଦାକୁ ଆସିଛି ।

  • ଦୁବାଇରେ ମାଷ୍ଟର ମାଇଣ୍ଡ, ଓଡ଼ିଶାରେ ଠକେଇ!
  • ଏନସିବି ଅଧିକାରୀ ନାଁରେ ଠକିନେଲେ ଦେଢ଼ ଲକ୍ଷ

ଅଜଣା ନମ୍ବରରୁ କଲ୍ ଆସୁଛି କି, ତେବେ ସାବଧାନ । ନହେଲେ ଆପଣ ବି ହୋଇପାରନ୍ତି ଠକେଇର ଶିକାର । ନୂଆ ନୂଆ ଫନ୍ଦି କରି ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ସୁଦୂର ଦୁବାଇରୁ ଏହି କ୍ରାଇମ୍ ସିଣ୍ଡିକେଟ୍ କାମ କରୁଥିବା ଜଣାପଡ଼ିଛି । ଏମିତି ଏକ ଠକାମୀ ପଡିଛନ୍ତି ଭୁବନେଶ୍ୱର ନୂଆପଲ୍ଲୀର ରତ୍ନା ତ୍ରିପାଠୀ ।

ଗ୍ୟାଙ୍ଗଷ୍ଟାର ଇସଲାମ ମଲ୍ଲିକ ନାଁରେ ଭୟ ଦେଖାଇ ମହିଳାଙ୍କୁ ଫସାଇ ଥିଲା ଠକ । ସୂଚନା ଅନୁସାରେ ଫେଡ୍ ଏକ୍ସ ନାମକ ଏକ ସଂସ୍ଥାର କୋରିଅରରେ ୫ଟି ପାସପୋର୍ଟ , ୫ଟି ଏଟିଏମ କାର୍ଡ , ୧୫୦ ଗ୍ରାମ୍ ଡ୍ରଗସ୍ ମିଳିଥିବାବେଳେ ଏଥିରେ ମହିଳାଙ୍କ ସମ୍ପୃକ୍ତି ଥିବା ନେଇ କହିଥିଲା ଠକ । ଡ୍ରଗସ୍ କାରବାରରେ ସମ୍ପୃକ୍ତି ଥିବା କହି ଏନସିିବି ଅଧିକାରୀଙ୍କୁ ଜଣାଇବାର ଧମକ ଦେଇଥିଲା । ଏଥିରେ ଭୟଭୀତ ହୋଇ ଯାଇ ଥିଲେ ରତ୍ନା ତ୍ରିପାଠୀ । ସମସ୍ୟାର ସମାଧାନ ଠକ କହିବା ମୁତାବକ ଅନଲାଇନରେ ଦେଢ଼ ଲକ୍ଷ ଟଙ୍କା ଯୁପିଆଇ ଜରିଆରେ ପଠାଇଥିଲେ ।

ଅଭିଯୋଗ ହେବା ପରେ ଇଓଡବ୍ଲୁ ଏହାକୁ ଗୁରୁତର ସହ ନେଇଛି । ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । ପ୍ରଥମିକ ତଦନ୍ତରୁ ଜଣାପଡିଛି

  • ପଞ୍ଜାବର ଜଗଦମ୍ବା ଏଂଟରପ୍ରାଇଜେସ୍ ନାଁରେ ଟଙ୍କା ଜମା ହୋଇଛି
  • ଠକେଇ ଟଙ୍କା ଦୁବାଇର ଏକ ଏଟିଏମରୁ କାଢ଼ି ନିଆଯାଇଛି
  • ଏହି ଆକାଉଣ୍ଟରେ ୫ କୋଟିରୁ ଅଧିକ ଟଙ୍କା କାରବାର ହୋଇଛି
  • ଠକେଇରେ ୧୭ଟି ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଛି ଇଓଡବ୍ଲୁ

ଦୁବାଇରୁ ଠକାମୀର ସିଣ୍ଡିକେଟ୍ ଚଳାଉଥିବା ଅପରାଧୀ ଓ ମାଷ୍ଟରମାଇଣ୍ଡକୁ ଚିହ୍ନଟ କରିବା ପାଇଁ ଆରମ୍ଭ ହୋଇଛି ତନାଘନା । ଏଭଳି ଠକାମୀରୁ ଦୂରେଇ ରହିବା ପାଇଁ ସତର୍କ କରିଛି ଅର୍ଥନୈତିକ ଅପରାଧ ଶାଖା ।

ସତର୍କ କଲା ଇଓଡବ୍ଲୁ

  • ଅଜଣା ନମ୍ବରରୁ କଲ୍ ଓ ମେସେଜ୍ ଆସିଲେ ସାବଧାନ
  • ଓଟିପି କିମ୍ବା ଆକାଉଣ୍ଟ ବାବଦରେ ତଥ୍ୟ ମାଗିଲେ ଦିଅନ୍ତୁ ନାହିଁ
  • ଅଯଥାରେ ଭୟଭୀତ ହୁଅନ୍ତୁ ନାହିଁ
  • ସନ୍ଦେହ ହେଲେ ଆଇନର ଆଶ୍ରୟ ନିଅନ୍ତୁ