ବାବାଙ୍କ ମୁହଁରେ ବଡ଼ ଠାକୁରଙ୍କ କଥା: ଜାତିସଂଘରୁ ଜାଗୁଳେଇପାଟଣା, କାଳିଆ ସାଆନ୍ତର ଅଲୌକିକ ମହିମା ବଖାଣିଲେ ପ୍ରସନ୍ନ ପାଟ୍ଟଶାଣୀ ।

ଯାହାଙ୍କର ହାତ ନାହିଁ ବଜ୍ର ବାହୁ , ପାଦ ନାହିଁ କାରଣ ସେ ପାଦ ଆମକୁ ଦେଇ ଚଲାଉଛନ୍ତି

170

କନକ ବ୍ୟୁରୋ: କୋଟି କୋଟି ଓଡିଆଙ୍କ ଆରାଧ୍ୟ ଦେବତା କାଳିଆ ସାଆନ୍ତଙ୍କୁ ପାଇଁ ସମସ୍ତଙ୍କ ଦୁର୍ବଳତା ରହିଥାଏ । ଖାସ୍ କରି କାଳଆର ସେଥି ଚକା ନୟନ ଆଉ ତା’ ଭାବରେ ବାନ୍ଧି ହୋଇଯାଆନ୍ତି ସଭିଏଁ । । ହେଲେ ଜଗାକୁ ଜୀବନ ସହ ଜଡ଼ିତ କରି ପିଲାଦିନୁ ବାଟ ଚାଲି ଆସୁଥିବା ପ୍ରସନ୍ନ ପାଟସାଣୀ ଜଗନ୍ନାଥଙ୍କ ମହିମା କିଭଳି ଅଲୌକିକ ଆଉ କାହିଁକି ସେ ଜଗତର ନାଥ ଜଗନ୍ନାଥ ବୋଲାଉଛନ୍ତି ସେ ବିଷୟରେ ନିଜର ଅନୁଭୂତିକୁ ବଖାଣିଛନ୍ତି ସମସ୍ତଙ୍କ ପ୍ରିୟ ବାବା ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ।

ଜଗନ୍ନାଥ ମୋ ସହିତ ଜନ୍ମରୁ ଅଛନ୍ତି । କାରଣ ଇତିହାସ ପୂରାତନ ଅନୁସାରେ ଯେତେବେଳେ କଳାପାହାଡ଼ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା, ସେତେବେଳେ ଜଗନ୍ନାଥଙ୍କୁ ସୁରକ୍ଷିତ ଭାବେ ଦଇତାପତିମାନେ ଯେଉଁ ଗାଁକୁ ଶଗଡ଼ରେ ନେଇ ଆସିଥିଲେ । ଆଉ ବର୍ବରା ଜଙ୍ଗଲକୁ କାଳିଆ ଠାକୁରଙ୍କୁ ନେଇଯାଇଥିଲେ ସେହି ପାଟ୍ଟସାଣୀ ମୌଜାରେ ହିଁ ମୋର ଜନ୍ମ । ଯାହାଙ୍କର ହାତ ନାହିଁ ବଜ୍ର ବାହୁ , ପାଦ ନାହିଁ କାରଣ ସେ ପାଦ ଆମକୁ ଦେଇ ଚଲାଉଛନ୍ତି, କାଳିଆର ଅନେକ ମହିମା ରହିଛି । ମୋ ହାତରେ ସବୁବେଳେ ଜଗନ୍ନାଥଙ୍କର ପବିତ୍ର ଧର୍ମ ଦଣ୍ଡ ରହିଥାଏ । ତାକୁ ଧରି ଯେବେ ଜାତିସଂଘକୁ ସମ୍ବୋଧନ କରିବାକୁ ଯାଇଥିଲି ମୋତେ ବିରୋଧ କରାଗଲା । ହେଲେ ମୁଁ ଅଡ଼ି ବସିଲି ଆଉ କହିଲି ଆମ ପାର୍ଲାମେଣ୍ଟ ଓ ବିଧାନସଭା ମୋତେ ଅନୁମତି ଦେଇଛନ୍ତି, ଏଠି କାହିଁକି ମୁଁ ସାଥିରେ ରଖି ପାରିବିନି ? ଜାତିସଂଘ ତରଫରୁ କିଛି ସମୟ ପରେ ମୋତେ ଅନୁମତି ମିଳିଲା ଆଉ ମୁଁ ଜଗନ୍ନାଥଙ୍କ ଏହି ପବିତ୍ର ଧର୍ମ ଦଣ୍ଡକୁ ଧରି ଜାତିସଂଘରେ ଅଭିଭାଷଣ ରଖିଥିଲି । ମୁହଁରୁ ସତେ ଯେମିତି ଅର୍ନଗଳ ଭାଷଣ ଦେଇଥଲି ।

ସେହିପରି ଅନ୍ୟ ଏକ ଅନୁଭୂତି ବିଷୟରେ କହିଛନ୍ତି ବାବା, ବିଶ୍ୱରେ ଏକମାତ୍ର ମନ୍ଦିର ଜାଗୁଳେଇପାଟଣା ଠାରେ ପୂର୍ଣ୍ଣ ହାତ, ପାଦ ଥିବା ଶ୍ରୀଜିଉଙ୍କୁ ଦେଖି ଭକ୍ତ ବତ୍ସଳ ଭାବଭରା ହୋଇଯିବ । କାରଣ ଏଠାରେ ମଧ୍ୟ ଦିନେ ଏମିତି ଏକ ଅଲୌକିକ ଘଟଣା ମୋତେ ଆଶ୍ଚର୍ଯ୍ୟ କରିଥିଲା, ପୂର୍ବରୁ ଥିବା ଚାଳ ଘରେ ଜଗନ୍ନାଥଙ୍କୁ ପୂଜା କରାଯାଉଥିଲା ହେଲେ ଦିନେ ପୂଜା ପାଉଥିବା ଏହି ଚାଳଘରେ ନିଆଁ ଲାଗିଗଲା, ଆଉ ଖବର ପାଇ ଯେତେବେଳେ ପହଁଚିଲି ମୋ ଆଖି ବିଶ୍ୱାସ କରିପାରିଲାନି, କାରଣ ଦେଖିଲି ଚାଳଘର ସବୁ ପାଉଁଶ ହୋଇଯାଇଥିଲେ ମଧ୍ୟ ଶ୍ରୀଜିଉଙ୍କ ପ୍ରତିମୂର୍ତ୍ତିକୁ ଅଗ୍ନି ସ୍ପର୍ଶ କରି ପାରିନଥିଲା । ମୁଁ ଆବାକ୍ ହୋଇଗଲି ସେବେଠାରୁ ମୋର ଅଗାଢ଼ ବିଶ୍ୱାସ ଏହି ବିଶ୍ୱର ବଡ଼ ଠାକୁରଙ୍କ ପ୍ରତି ରହି ଆସିଛି ।

ସବୁଠାରୁ ବଡ଼ କଥା ହେଲା, ଭକ୍ତି ଯେଉଁଠି ଶକ୍ତି ସେଇଠି ହିଁ ରହିଥାଏ । ଆଉ ଜଗନ୍ନାଥ ହେଉଛନ୍ତି ସେହି ଠାକୁର, ଯାହାଙ୍କୁ ଥରେ ଚାହିଁଦେଲେ ଜୀବନ ଥିବା ଯାଏଁ ବାରମ୍ବାର ତାକୁ ଦେଖିବାକୁ ଇଚ୍ଛା ହେବ । କାରଣ ଭକ୍ତ ଭାବର ଡୋରୀରେ ବନ୍ଧା ରହିଥାଏ କାଳିଆ, ଆେଉ ସେହି ଡ଼ୋରୀ ହେଉଛି ମୋ ଦେହର ସ୍ନାୟୁ । ଯାହାକୁ ମୁଁ ଏମିତି ଜୀବନ ସାରା ଗାନ କରୁଥିବି, ଆଉ ସାରା ଜଗତକୁ ବିଶ୍ୱର ଶ୍ରେଷ୍ଠ ସଂସ୍କୃତି ଜଗନ୍ନାଥ ସଂସ୍କୃତିକୁ ବଖାଣୁଥିବି ବୋଲି କହିଛନ୍ତି ବାବା ପ୍ରସନ୍ନ ପାଟ୍ଟସାଣୀ ।