ସୁମିତ-ତପସ୍ୱିନୀ ବିବାଦ ମାମଲାରେ ନୂଆ ମୋଡ : ବୋହୂ ଘରକୁ ପ୍ରବେଶ କଲା ପରେ ଘର ଛାଡିଲେ ଶ୍ୱଶୁର

ନିଜକୁ ଅସୁରକ୍ଷିତ ମନେ କରୁଥିବା ନେଇ ଜାରି କଲେ ଭିଡିଓ; କହିଲେ, ଅତିତରେ ଅନେକ ମିଥ୍ୟା ମାମଲା ରୁଜୁ କରିଥିବାରୁ ଭୟଭୀତ

1,045

କନକ ବ୍ୟୁରୋ : ତପସ୍ୱିନୀ- ସୁମିତ ବିବାଦ ମାମଲାରେ ନୂଆ ମୋଡ । ତପସ୍ୱିନୀ ଶ୍ୱଶୁର ଘରକୁ ଯିବା ପରେ ଘର ଛାଡିଲେ ଶ୍ୱଶୁର ପ୍ରମୋଦ ସାହୁ । ଗତକାଲି ମଧ୍ୟରାତିରେ ସେ ଘର ଛାଡିଛନ୍ତି । ନିଜକୁ ଅସୁରକ୍ଷିତ ମନେ କରୁଥିବା ନେଇ ସେ ଏକ ଭିଡ଼ିଓ ଜାରି କରିଛନ୍ତି । ଏଥିରେ ସେ କହିଛନ୍ତି, ତପସ୍ୱିନୀ ଘରେ ରହୁଥିବାରୁ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି ।

ପ୍ରଶାସନିକ ଅଧିକାରୀମାନେ ତାଙ୍କ ଅନିଚ୍ଛା ସତ୍ୱେ ତପସ୍ୱିନୀଙ୍କୁ ଘରେ ରଖିଛନ୍ତି । କୋର୍ଟଙ୍କ ରାୟରେ ଦ୍ୱନ୍ଦ୍ୱ ରହିଥିବା ବେଳେ ତାଙ୍କୁ ନିଜର ମତ ରଖିବାକୁ ଦିଆଯାଇନଥିଲା । ଅତୀତରେ ତପସ୍ୱିନୀ ମିଥ୍ୟା ମାମଲା ରୁଜୁ କରିଥିବାରୁ ସେ ଭୟଭୀତ ଥିବା କହିଛନ୍ତି । ସୁରକ୍ଷିତ ଭାବେ ତାଙ୍କୁ ରଖିବାକୁ ସେ ଆଇଆଇସିଙ୍କୁ ଅନୁରୋଧ କରିଛନ୍ତି । ପରବର୍ତୀ ସମୟରେ ଘରକୁ ଫେରିବେ ବୋଲି ଭିଡିଓରେ କହିଛନ୍ତି ପ୍ରମୋଦ ସାହୁ ।

ବହୁ ବାଦ ବିବାଦ ପରେ ଗତକାଲି ତପସ୍ୱିନୀଙ୍କୁ ଶ୍ୱଶୁର ଘରକୁ ଯାଇଛନ୍ତି । ତେବେ, ପରିବାର ଲୋକଙ୍କ ଗହଣରେ ନରହି ପୃଥକ୍‌ ଏକ ରୁମ୍‌ରେ ରହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ଏହି ମାମଲରେ ଦୁଇପକ୍ଷର ଓକିଲଙ୍କ ବୟାନ ଚର୍ଚ୍ଚାର ବିଷୟ ପାଲଟିଛି । ବ୍ରହ୍ମାନଗରସ୍ଥିତ ଶ୍ବଶୁର ଘରେ ତପସ୍ବିନୀ ରହି ପାରିବେ ‌ବୋଲି ଜିଲ୍ଲା ଜଜ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପୁଲିସ ଓ ମହିଳା ସୁରକ୍ଷା ଅଧିକାରୀ ଏ ସମ୍ପର୍କରେ ତପସ୍ବିନୀ ଶ୍ବଶୁର ପ୍ରମୋଦ ସାହୁଙ୍କ ସହିତ ଆଲୋଚନା କରିଥିଲେ । ପର୍ଯ୍ୟାୟ କ୍ରମେ ଆଲୋଚନା ପରେ ତପସ୍ବିନୀଙ୍କ ପାଇଁ ଉପର ମହଲା ଘର ଠିକ୍‌ କରାଯାଇଥିଲା ।

ଶ୍ବଶୁର ପ୍ରମୋଦଙ୍କ ଉପସ୍ଥିତିରେ ଉପର ମହଲରେ ଥିବା ‌ବେଡ଼ ରୁମ୍‌, ରୋଷେଇ ଘର ଓ ପୂଜାଘର ପ୍ରଭୃତି ସଫା କରାଯାଇଥିଲା । ଗତକାଲି ରାତିରେ ସ୍ଥାନୀୟ ତହସିଲ୍‌ଦାର୍‌, ଦୁଇ ପକ୍ଷ ଓକିଲ ଓ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ଉପସ୍ଥିତିରେ ତପସ୍ବିନୀ ଶ୍ବଶୁର ଘରକୁ ପ୍ରବେଶ କରିଛନ୍ତି । ତେବେ, ଏହାପୂର୍ବରୁ ଜିଲ୍ଲାଜଜ୍‌ ଶ୍ବଶୁରଙ୍କ ଘରେ ରହିବା ପାଇଁ ଅନୁମତି ଦେଇନଥିବା ଡା. ସୁମିତଙ୍କ ଓକିଲ ପ୍ରଦୀପ ବେହେରା କହିବା ପ‌ରେ ପୁଣିଥର ବିବାଦ ସୃଷ୍ଟି ହୋଇଥିଲା।