ମିଛ ପୋଷ୍ଟ, ମିଛରେ ଗିରଫ । ୟୁଟ୍ୟୁବର ମନୀଷ କଶ୍ୟପ ବିରୋଧରେ ବିହାର ପୋଲିସର ଏଫଆଇଆର । ମିଛ କଥା ପ୍ରଘଟ କରୁଥିବାରୁ ଆକ୍ସନ ।

249

କନକ ବ୍ୟୁରୋ: ବିବାଦରେ ଚର୍ଚ୍ଚିତ ୟୁଟ୍ୟୁବର ମନୀଷ କଶ୍ୟପ । ବିହାର ପୋଲିସ ଏହି ୟୁଟ୍ୟୁବରଙ୍କ ବିରୋଧରେ ପୁଣି ଏକ ଏଫଆଇଆର ରୁଜୁ କରିଛି । ତେବେ ମିଛରେ ପୋଲିସ ତାଙ୍କୁ ଗିରଫ କରୁଥିବା କଥା ପ୍ରଘଟ କରୁଥିବାରୁ ମନୀଷ କଶ୍ୟପଙ୍କ ବିରୋଧରେ ଏହି ଏଫଆଇଆର ରୁଜୁ ହୋଇଛି ।

ଅସଲ କଥା ହେଉଛି, ତାମିଲନାଡୁରେ ରହୁଥିବା କିଛି ବିହାରୀ ଶ୍ରମିକଙ୍କୁ ନେଇ ମିଛ କଥା ପ୍ରଘଟ କରିଥିବା ମନୀଷ କଶ୍ୟପଙ୍କ ବିରୋଧରେ ଅଭିଯୋଗ ଆସିଥିଲା । ଏହି ମାମଲାରେ ବିହାର ପୋଲିସ ଆକ୍ସନ ନେବା ସହିତ ମନୀଷଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା । ଖାଲି ସେତିକି ନୁହେଁ, ମନୀଷ କଶ୍ୟପଙ୍କ ଟ୍ୱିଟର ଆକାଉଣ୍ଟକୁ ମଧ୍ୟ ବ୍ଲକ୍ କରିଦିଆଯାଇଥିଲା । ହେଲେ ଏହାରି ଭିତରେ ତାଙ୍କ ନାଁରେ ଆଉ ଏକ ଆକାଉଣ୍ଟ ଖୋଲି, ମନୀଷ କଶ୍ୟପଙ୍କୁ ବିହାର ପୋଲିସ ଗିରଫ କରିଥିବା ଫଟୋ ସେୟାର କରାଯାଇଥିଲା ।

ଏହି ପୋଷ୍ଟରେ ଲେଖାଯାଇଥିଲା ଯେ, ମୁଁ ଖୁସି ଅଛି, ମୋ ବିହାରବାସୀଙ୍କ ପାଇଁ ମୁଁ ଆଜି ଜେଲ୍ ଯାଉଛି । ଗତକାଲି ରାତି ୮ଟାବେଳେ ପୋଲିସ ମୋତେ ଗିରଫ କରିଛି । ବିହାରର ଜନତା ସବୁକିଛି ଦେଖୁଛି । ଅନ୍ୟାୟ ବିରୋଧରେ ସ୍ୱର ଉଠାଇବା ଲୋକଙ୍କୁ ଦବାଇ ଦିଆଯାଉଛି ବୋଲି ଏହି ଆକାଉଣ୍ଟରେ ଲେଖାଯିବା ସହିତ ମନୀଷଙ୍କ ହ୍ୟାଣ୍ଡକପ୍ ପିନ୍ଧିଥିବା ଫଟୋ ସେୟାର କରାଯାଇଥିଲା ।

ବିହାର ପୋଲିସ କିନ୍ତୁ ଏହି ପୋଷ୍ଟ ଉପରେ ଆକ୍ସନ ନେବା ସହିତ ଏହି ଗିରଫଦାରୀ ମିଛ ବୋଲି କହିଛି । ବିହାର ପୋଲିସ ମନୀଷଙ୍କୁ ଗିରଫ କରିନଥିବାବେଳେ, ସେ ସୋସିଆଲ୍ ମିଡିଆରେ ମିଛ କଥା ପ୍ରଘଟ କରୁଥିବା କୁହାଯାଇଛି । ତେବେ ବିହାର ପୋଲିସର ଏ ଆକ୍ସନ ପରେ, ଏହି ଆକାଉଣ୍ଟଟି ମନୀଷ କଶ୍ୟପଙ୍କର ଏକ ଫ୍ୟାନ୍ ପେଜ୍ ବୋଲି କୁହାଯାଉଛି । ଏଥିସହିତ ଆଗାମୀ ଦିନରେ ଏମିତି ଭୁଲ୍ କେବେ ବି ହେବନି ବୋଲି କୁହାଯାଇଛି ।

ପୋଲିସର ଏହି ଟୁଇଟ୍ ପରେ, ଉକ୍ତ ଟୁଇଟକୁ ବଦଳାଇ ଦିଆଯାଇଛି । ମନୀଷ କଶ୍ୟପ ନାଁରୁ ବଦଳି ଏବେ ଏହା ଏକ ଫ୍ୟାନ୍ ପେଜ୍ ବୋଲି କୁହାଯାଇଛି । ଏଥିସହିତ ଏହି ପେଜରେ ବିହାର ପୋଲିସକୁ କ୍ଷମା ପ୍ରାର୍ଥନା କରାଯାଇଛି । ସୂଚନାଯୋଗ୍ୟ ଯେ, ୟ୍ୟୁଟୁବର ମନୀଷ କଶ୍ୟପ ଉପରେ ବିହାର ପୋଲିସ ଏକାଧିକ ମାମଲା ରୁଜୁ କରିଛି । ଧାରା ୧୫୩,୧୫୩(ଏ),୧୫୩ (ବି),୫୦୫(୧)(ସି), ୪୬୮, ୪୭୧,୧୨୦ (ବି) ଏବଂ ଧାରା ୬୭ ଆଧାରରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।