ଅହମ୍ମଦାବାଦ୍ ଟେଷ୍ଟରେ ବିଜୟ, ପରାଜୟ ନା ଡ୍ର ; କେମିତି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲକୁ ଯିବ ଭାରତ? ପଢନ୍ତୁ, ଏହି ଷ୍ଟୋରୀ…

2,079

କନକ ବ୍ୟୁରୋ: ଭାରତ-ଅଷ୍ଟ୍ରେଲିଆ ଭିତରେ ଅହମ୍ମଦାବାଦରେ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ତଥା ଚତୁର୍ଥ ଟେଷ୍ଟ ଖେଳାଯାଉଛି । ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲରେ ପହଞ୍ଚିବା ପାଇଁ ଟିମ୍ ଇଣ୍ଡିଆକୁ ଏହି ମ୍ୟାଚ୍ ଜିତିବାକୁ ହେବ । ହେଲେ ବର୍ତ୍ତମାନ ସମୟରେ ଏହି ମ୍ୟାଚ୍ ସମ୍ଭବତଃ ଡ୍ର ହେବା ପରି ଦେଖିବାକୁ ମିଳୁଛି । ତେଣୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଭାରତ କେମିତି ପହଞ୍ଚିବ, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ଅହମ୍ମଦାବାଦ ଟେଷ୍ଟ ହିଁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ରାସ୍ତା ଧାର୍ଯ୍ୟ କରିବ । ଅଷ୍ଟ୍ରେଲିଆ ସହିତ କେଉଁ ଟିମ୍ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଖେଳିବ ତାହା ଏହି ମ୍ୟାଚ୍ ପରେ ହିଁ ପକ୍କା ହୋଇଯିବ । ତେବେ ନଜର ପକାନ୍ତୁ, ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଏହି ଗଣିତ ଉପରେ…

  • ଇନ୍ଦୋର ଟେଷ୍ଟ ଜିତିବା ପରେ ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ନିଜ ସ୍ଥାନ ପକ୍କା କରିସାରିଛି । ଏବେ ଅପେକ୍ଷା ରହିଛି ଦ୍ୱିତୀୟ ଦଳକୁ । କେଉଁ ଦଳ ଅଷ୍ଟ୍ରେଲିଆ ସହିତ ଟେଷ୍ଟ ଫାଇନାଲ ଖେଳିବ ତାହା ଉପରେ ସମସ୍ତଙ୍କର ନଜର
  • ଭାରତ ସହିତ ଏହି ରେସରେ ଶ୍ରୀଲଙ୍କା ମଧ୍ୟ ରହିଛି । ଭାରତ- ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ସହିତ ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ଭିତରେ ଚାଲିଥିବା ଟେଷ୍ଟ ସିରିଜ୍ ମଧ୍ୟ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲର ଟିକେଟ୍ ଧାର୍ଯ୍ୟ କରିବ
  • ଯଦି ଭାରତ ଅହମ୍ମଦାବାଦ ଟେଷ୍ଟକୁ ଜିତିଯାଏ, ତେବେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ଟିକେଟ୍ ପକ୍କା କରିବ । ଏଥିପାଇଁ ଟିମ୍ ଇଣ୍ଡିଆକୁ ଅନ୍ୟ କେଉଁ ଦଳ ଉପରେ ନିର୍ଭର କରିବାକୁ ପଡିବନି
  • ତେବେ ଯଦି ଅହମ୍ମଦାବାଦ୍ ଟେଷ୍ଟ ଡ୍ର ରହେ, ନଚେତ୍ ଟିମ୍ ଇଣ୍ଡିଆ ହାରିଯାଏ । ତେବେ ଟିମ୍ ଇଣ୍ଡିଆକୁ ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍ ଉପରେ ନିର୍ଭର ରହିବାକୁ ପଡିବ ।
    ଶ୍ରୀଲଙ୍କା ଯଦି ନ୍ୟୁଜିଲାଣ୍ଡକୁ ୨-୦ରେ ହରାଇଦିଏ, ତେବେ ଶ୍ରୀଲଙ୍କା ଫାଇନାଲରେ ପହଞ୍ଚିଯିବ । ସେହିପରି ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ସିିରିଜ୍ ଯଦି ଡ୍ର ରୁହେ କିମ୍ବା ନ୍ୟୁଜିଲାଣ୍ଡ ଗୋଟିଏ ବି ମ୍ୟାଚ୍ ଜିତିଯାଏ, ତେବେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ ଟିକେଟ୍ ହାତେଇବ

ବର୍ତ୍ତମାନ ପଏଣ୍ଟ ଟେବୁଲ୍ ସ୍ଥିତି

ଅଷ୍ଟ୍ରେଲିଆ ଏବେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ପଏଣ୍ଟ ଟେବୁଲର ଟପରେ ରହିଛି । ଇନ୍ଦୋର ଟେଷ୍ଟ ଜିତିବା ପରେ ଅଷ୍ଟ୍ରେଲିଆର ବିଜୟ ପ୍ରତିଶତ ୬୮.୫୨ ରହିଛି । ଅଷ୍ଟ୍ରେଲିଆ ବର୍ତ୍ତମାନ ପର୍ଯ୍ୟନ୍ତ ୧୧ଟି ମ୍ୟାଚ୍ ଜିତିଥିବାବେଳେ, ୩ଟିରେ ପରାଜୟ ଓ ୪ଟି ମ୍ୟାଚ୍ ଡ୍ର ରହିଛି । ସେହିପରି ବର୍ତ୍ତମାନ ସୁଦ୍ଧା ଭାରତ ଏହି ଲିଷ୍ଟର ନମ୍ବର-୨ରେ ରହିଛି । ଭାରତର ବିଜୟ ପ୍ରତିଶତ ରହିଛି ୬୦.୨୯ ପ୍ରତିଶତ । ଟିମ୍ ଇଣ୍ଡିଆ ବର୍ତ୍ତମାନ ସୁଦ୍ଧା ୧୦ଟି ମ୍ୟାଚରେ ବିଜୟ ହାସଲ କରିଥିବାବେଳେ, ୫ଟିରେ ପରାଜୟ, ୨ଟି ମ୍ୟାଚ୍ ଡ୍ର କରିଛି । ସୂଚନାଯୋଗ୍ୟ ଯେ, ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପହଞ୍ଚିବାକୁ ହେଲେ, ଭାରତକୁ ପଏଣ୍ଟ ଟେବୁଲର ୨ ନମ୍ବର ସ୍ଥାନରେ ରହିବାକୁ ପଡିବ ।