ହଳଦୀ ପରେ ଏବେ ବ୍ରାଣ୍ଡିଂ ହେଉଛି କନ୍ଧମାଳ ଷ୍ଟ୍ରବେରୀ, ୬ ଟି ବ୍ଲକର ୧୪ ଏକର ଜମିରେ ହୋଇଛି ଚାଷ

142

କନକ ବ୍ୟୁରୋ : କ୍ଷେତରେ ହସୁଛି ଷ୍ଟ୍ରବେରୀ ଚାଷ । ଧଳା ପଲିଥିନ ତଳେ ଧାଡ଼ି ଧାଡ଼ି ହୋଇ ଲାଗିଥିବା ଷ୍ଟ୍ରବେରୀ ଗଛରେ ନାଲି ରଙ୍ଗର ଷ୍ଟବେରୀ ଫୁଲ ଫୁଟିଲା ଭଳି ଦେଖାଯାଉଛି । ଜିଲ୍ଲାର ସଦର ମହକୁମା ଫୁଲବାଣୀ ବ୍ଲକ ଅନ୍ତର୍ଗତ ବୁଢାଦାନୀ ଗାଁରେ ଏହି ଚାଷ ହୋଇଛିି । ଏଠାକାର ଜଳବାୟୁ ଷ୍ଟ୍ରବେରୀ ଚାଷ ପାଇଁ ବେଶ ଉପଯୋଗୀ ହୋଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ଷ୍ଟ୍ରବେରୀ ଚାଷ ସଫଳ ହୋଇଛି । ଏହି ଗାଁର ତାରିଣୀ ଏବଂ ନାରାୟଣୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୨୨ ଜଣ ମହିଳାଙ୍କୁ ନେଇ ୨ଏକର ଜମିରେ ଲାଗିଥିବା ଷ୍ଟ୍ରବେରୀ ଗଛରୁ ଏବେ ଫଳ ଅମଳ କରାଯାଉଛି । ଫଳ ଗୁଡ଼ିକ ଉନ୍ନତ ମାନର ଓ ବେଶ ସ୍ୱାଦିଷ୍ଟ ବୋଲି ମହିଳା ଚାଷୀ ମାନେ କହିଛନ୍ତି । ଏହା ସହିତ ପରିବା ଚାଷ ଅପେକ୍ଷା ଏହି ଚାଷ କରିବା ଦ୍ୱାରା ସେମାନେ ଅଧିକ ଲାଭବାନ ହେଉଛନ୍ତି । ଦୈନିକ ୪ରୁ ୫ କିଲୋ ଷ୍ଟବେରୀ ବାହାରୁଥିବା ବେଳେ ୪୦୦ରୁ ୫୦୦ ଟଙ୍କାରେ ବିକ୍ରି କରୁଛନ୍ତି । ଏହିଭଳି ଭାବେ ଦୈନିକ ୨ରୁ ଅଢ଼େଇ ହଜାର ରୋଜଗାର ହୋଇପାରୁଛି । ଆଗକୁ ପ୍ରଶାସନ ପକ୍ଷରୁ ଅଧିକ ସହାୟତା ମିଳିଲେ ସେମାନେ ଅଧିକ ଚାଷ କରିପାରିବେ ବୋଲି କହିଛନ୍ତି ।

କନ୍ଧମାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପରୀକ୍ଷା ମୂଳକ ଭାବେ ପ୍ରଥମ ଥର ପାଇଁ ଜିଲ୍ଲାରେ ଆରମ୍ଭ ହୋଇଛି ଷ୍ଟ୍ରବେରୀ ଚାଷ । ଉଦ୍ୟାନ ବିଭାଗ, କୃଷି ବିଭାଗ, ଜିବିକା ମିଶନ ଏବଂ ଓ,ଏଲ.ଏମର ସହାୟତରେ ଜିଲ୍ଲାର ୬ଟି ବ୍ଲକର ୭ଟି ସ୍ଥାନରେ ୧୪ ଏକର ଜମିରେ ଏହି ଷ୍ଟ୍ରବେରୀ ଚାଷ କରାଯାଇଛି । ଷ୍ଟ୍ରବେରୀ ଗଛ ଗୁଡିକ ମହାରଷ୍ଟ୍ରର ପୁନେରୁ ଅଣାଯାଇଛି ଏବଂ ଉଚ୍ଚ ଜମି ଗୁଡିକରେ ଲଗାଯାଇଛି । ୩ରୁ୪ ମାସ ମଧ୍ୟରେ ଫଳ ଅମଳ ଯୋଗ୍ୟ ହୋଇଛି । ବିକ୍ରୟ ପାଇଁ ପ୍ୟାକେଟ ଗୁଡିକୁ ଦାରିଙ୍ଗବାଡି ଷ୍ଟ୍ରବେରୀ ନାମରେ ବ୍ରଣ୍ଡିଂ କରାଯାଇଛି । ବର୍ତମାନ ଚାଷୀ ମାନେ ଷ୍ଟ୍ରବେରୀ ବିକ୍ରି କରି ଭଲ ଟଙ୍କା ରୋଜଗାର କରୁଥିବା କନ୍ଧମାଳ ଜିଲ୍ଲା ଉଦ୍ୟାନ ବିଭାଗ ଉପ-ନିର୍ଦ୍ଦେଶକ କହିଛନ୍ତି ।

ବର୍ତମାନ ସମୟରେ ପାରମ୍ପରିକ ଚାଷ ଅପେକ୍ଷା ଅନ୍ୟ ଚାଷ ପ୍ରତି ଚାଷୀ ମାନେ ଆଗ୍ରହ ପ୍ରକାଶ କରୁଛନ୍ତି । ଠିକ୍ ଏହି ସମୟରେ କନ୍ଧମାଳ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ଏହି ପ୍ରୟାସ ଚାଷୀମାନଙ୍କ ପାଇଁ ବେଶ ସହାୟକ ହେବ ବୋଲି କୁହାଯାଉଛି ।