ମହାରାଷ୍ଟ୍ରରେ ବଦଳିବ କି ସରକାର? ଏନସିପି ପ୍ରଦେଶ ଅଧ୍ୟକ୍ଷଙ୍କ ବୟାନକୁ ନେଇ ବଢିଲା ଚର୍ଚ୍ଚା । କହିଲେ, ଆଗାମୀ ମୁଖ୍ୟମନ୍ତ୍ରୀ ଏନସିପି ଦଳର ।

715

କନକ ବ୍ୟୁରୋ: ମହାରାଷ୍ଟ୍ରରେ ବଦଳିବ କି ସରକାର? ବଦଳିବେ କି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ? ମହାରାଷ୍ଟ୍ରରେ ଦେଖାଯାଇଥିବା ରାଜନୈତିକ ହଟଚମଟ ଭିତରେ ବଡ ବୟାନ ରଖିଛନ୍ତି ଏନସିପି ପ୍ରଦେଶ ଅଧ୍ୟକ୍ଷ ଜୟନ୍ତ ପାଟିଲ । ଯାହା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।

ଜୟନ୍ତ ପାଟିଲ କହିଛନ୍ତି, ମହାରାଷ୍ଟ୍ରରେ ଆଗାମୀ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ହେବେ । ସବୁ ଲୋକ ଏହି କଥାକୁ ଗ୍ରହଣ କରିସାରିଛନ୍ତି । ଏଥିସହିତ ଭବିଷ୍ୟତରେ ମହାରାଷ୍ଟ୍ରରେ ଏନସିପି ସବୁଠୁ ବଡ ରାଜନୈତିକ ଦଳ ହେବ । ରବିବାର ସତାରାରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଏପରି କିଛି କହି ମହାରାଷ୍ଟ୍ର ରାଜନୀତିରେ ଖୁବଶୀଘ୍ର ପରିବର୍ତ୍ତନ ହେବାର ଆଭାସ ଦେଇଛନ୍ତି ଏହି ଏନସିପି ନେତା ।

ଅସଲ କଥା ହେଉଛି, ଶିବସେନାର ୧୬ ବିଧାୟକଙ୍କ ଯୋଗ୍ୟତାକୁ ନେଇ ଏବେ ବି ସୁପ୍ରିମକୋର୍ଟର ଫଇସଲା ଆସିବା ବାକି ଅଛି । ଏହି ବିଧାୟକମାନେ ଶିବସେନା ସହ ବିଦ୍ରୋହ କରି ବିଜେପି ସହ ମିଶି ସରକାର ଗଠନ କରିଛନ୍ତି । ବିଦ୍ରୋହୀ ବିଧାୟକଙ୍କ ଭିତରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଅଛନ୍ତି । ତେଣୁ ସୁପ୍ରିମକୋର୍ଟ ଯଦି ଏହି ବିଧାୟକଙ୍କ ବିରୋଧରେ ରାୟ ଦିଅନ୍ତି, ତେବେ ମହାରାଷ୍ଟ୍ର ରାଜନୀତିରେ ବଡ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଏପରି ସ୍ଥଳରେ ସିନ୍ଧେ ଗୋଷ୍ଠୀ ଓ ବିଜେପି ସରକାର ମଧ୍ୟ ଭାଙ୍ଗିଯାଇପାରେ । ତେଣୁ ଏପରି ପରିସ୍ଥିତିକୁ ଆଖି ଆଗରେ ରଖି ଏନସିପି ନେତା ଏପରି ବୟାନ ଦେଇଥିବା କୁହାଯାଉଛି ।

ଯଦି ସିନ୍ଧେ ଓ ବିଜେପିର ମିଳିତ ସରକାର ଭାଙ୍ଗିଯାଏ, ତେବେ ଏହି ସରକାରକୁ ଏନସିପି ସମର୍ଥନ ଜଣାଇ ମୁଖ୍ୟମନ୍ତ୍ରୀ ଆସନ ମାଗିପାରେ । ଏହାର ଆଭାସ୍ ମଧ୍ୟ ପୂର୍ବରୁ ମିଳୁଛି । କିଛି ଦିନ ତଳେ ଅଜିତ୍ ପାୱାର ଏନସିପି ବିଧାୟକଙ୍କ ସହ ମିଶି ପଦ୍ମ ଧରିପାରନ୍ତି ବୋଲି କଥା ଉଠିଥିଲା । ତେଣୁ ଯଦି ସୁପ୍ରିମକୋର୍ଟ ସରକାର ଭାଙ୍ଗିଲା ଭଳି ନିଷ୍ପତ୍ତି ଶୁଣାନ୍ତି ତେବେ, ଏନସିପି ମଧ୍ୟ ବିଜେପି ସହ ମିଶି ସରକାର ଗଢିପାରେ ବୋଲି ସୂଚନା ମିଳୁଛି ।