ପାଣିରେ ପଡିଲା ପ୍ରାୟ ୫ କୋଟି ଟଙ୍କା । ନିର୍ମାଣ ସରିବା ପୂର୍ବରୁ ଫାଟି ଆଁ କଲା ରାସ୍ତା, ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନ ଉଠାଇଲେ ଲୋକେ ।
କନକ ବ୍ୟୁରୋ : ରାସ୍ତା ତିଆରି ସରିନି, କିନ୍ତୁ ରାସ୍ତା ଫାଟି ଆଁ କଲାଣି । ଶୁଭ ଦିଆଯିବା ପୂର୍ବରୁ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ରାସ୍ତା ଫାଟି ଆଁ କଲାଣି ।ନିମ୍ନମାନର ରାସ୍ତା କାମ ନେଇ ବାଲେଶ୍ୱର ଜିଲ୍ଲାରୁ ଏଭଳି ଅଭିଯୋଗ ସାମ୍ନାକୁ ଆସିଛି । ନିର୍ମାଣ ସରିବା ପୂର୍ବରୁ କିଭଳି ରାସ୍ତା ଫାଟିଲା ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ । ଏପରିକି ରାସ୍ତାର ସ୍ଥାୟୀତ୍ୱକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ବାଲେଶ୍ୱରର ରୁପ୍ସା ବଜାରରୁ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା କାମ ଆରମ୍ଭ କରିଛି ପୂର୍ତ୍ତ ବିଭାଗ । ଏହି ରାସ୍ତା ନିର୍ମାଣ ଦ୍ୱାରା ବାଲେଶ୍ୱର ଓ ମୟୂରଭଞ୍ଜ ସୀମାନ୍ତ ଅଞ୍ଚଳବାସୀ ଉପକୃତ ହୋଇପାରିବେ । ତେବେ ପୂର୍ତ୍ତ ବିଭାଗର ପକ୍ଷରୁ ଏହି ରାସ୍ତା କାମ ଏତେ ନିମ୍ନ ମାନର କରାଯାଇଛି ଯେ, ନିର୍ମାଣ ନ ସରୁଣୁ ରାସ୍ତା ଫାଟି ଆଁ କଲାଣି । ଏପରିକିି ରାସ୍ତା କାମ ୪ ମାସ ପୂର୍ବରୁ ଆରମ୍ଭ ହୋଇଥିଲେ ମଧ୍ୟ ଏଯାଏଁ ଶେଷ ହୋଇନାହିଁ । ଏପରିକି ଅଧପନ୍ତରିଆ ରାସ୍ତା ପାଇଁ ବାରମ୍ବାର ଦୁର୍ଘଟଣା ହେଉଥିବା ଅଭିଯୋଗ ହୋଇଛି । ରାସ୍ତା ନିର୍ମାଣ ନାଁରେ ବିଭାଗୀୟ ଅଧିକାରୀ ଏବଂ ଠିକାଦାର କୋଟି କୋଟି ଟଙ୍କା ହରିଲୁଟ୍ କରୁଥିବା ଅଭିଯୋଗ ଆସିଛି ।
ତେବେ ସବୁଠୁ ବଡ କଥା ହେଉଛି, ପୂର୍ତ୍ତ ବିଭାଗ ପକ୍ଷରୁ ଏହି ରାସ୍ତାର ପ୍ରଶସ୍ତିକରଣ ଏବଂ ପୁନଃ ନିର୍ମାଣ ଉଦ୍ଦେଶ୍ୟରେ ୪ କିମି ରାସ୍ତା ପାଇଁ ପ୍ରାୟ ୫ କୋଟି ଟଙ୍କା ମଞ୍ଜୁରୀ କରିଛି । ରାସ୍ତା ନିର୍ମାଣ ପାଇଁ ୪ଭାଗ ଚିପ୍ସ,୩ ଭାଗ ବାଲି ଏବଂ ୧ ଭାଗ ସିମେଣ୍ଟ ମିଶ୍ରଣରେ ହେବାର ନିୟମ ଥିବାବେଳେ ତାହା ହେଉନଥିବା ଅଭିଯୋଗ ହୋଇଛି । କନଷ୍ଟ୍ରକସନ କାମ ରାସ୍ତା ନିର୍ମାଣ ନିକଟରେ ନହୋଇ ୧୫ କିଲୋମିଟର ଦୂର ନହରପାଟଣା ଠାରେ କରାଯାଇ ମିକ୍ସଚର ଗାଡିଯୋଗେ ଆଣି କରାଯାଉଥିବାରୁ ଭାଗ ମାପରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଏପରିକି ନିମ୍ନମାନର ସିମେଣ୍ଟରେ ନିର୍ମାଣ କାର୍ଯ୍ୟ କରାଯାଉଥିବାରୁ ରାସ୍ତା ଫାଟି ଆଁ କଲାଣି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ତେଣୁ ପୂର୍ତ୍ତ ବିଭାଗ ପକ୍ଷରୁ ଏହି ରାସ୍ତାର ମାନ ଯାଞ୍ଚ କରିବା ସହ ସମ୍ପୃକ୍ତ ଅଧିକାରୀ ଏବଂ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।