ସିନ୍ଧେକେଲା ଥାନା ଗନ୍ଧଲା ଗାଁରେ ଅଭାବନୀୟ ଘଟଣା : ସେୟାର ମାର୍କେଟରେ କ୍ଷତି ପାଇଁ ହାରିଲେ ଜୀବନ

848

କନକ ବ୍ୟୁରୋ : ସେୟାର ମାର୍କେଟରେ କ୍ଷତି ପାଇଁ ହାରିଲେ ଜୀବନ । ବିଷ ପିଇ ଜୀବନ ବିନୋଦ ଯାଦବ ଜୀବନ ହାରିଛନ୍ତି । ସିନ୍ଧେକେଲା ଥାନା ଗନ୍ଧଲା ଗାଁରେ ଅଭାବନୀୟ ଘଟଣା ଘଟିଛି । ସୂଚନାନୁସାରେ, ସେୟାର ମାର୍କେଟରେ ୨୦ଲକ୍ଷ ଟଙ୍କା ଲଗାଇଥିଲେ । ଦିଲ୍ଲୀର ଓମପ୍ରକାଶଙ୍କୁ ୨୦ଲକ୍ଷ ଟଙ୍କା ଦେଇଥିଲେ । ନିଜେ ୧୦ଲକ୍ଷ ସହ ୧୦ଲକ୍ଷ ଟଙ୍କା ଧାର କରିଥିଲେ । ଟଙ୍କା ବୁଡି ଯିବାରୁ ବିଷ ପିଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ବଲାଙ୍ଗୀର ମେଡିକାଲରେ ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, କିଛିବର୍ଷ ପୂର୍ବରୁ ବିନୋଦ ଦିଲ୍ଲୀରେ କାମ କରୁଥିବା ସମୟରେ ସେଠାରେ ଓମ୍‌ପ୍ରକାଶ ନାମକ ଜଣେ ବ୍ୟକ୍ତି ସହ ତାଙ୍କର ପରିଚୟ ହୋଇଥିଲା । ଚାରିମାସ ତଳେ ଓମ୍‌ପ୍ରକାଶ ବିନୋଦଙ୍କୁ ଫୋନ୍‌ କରି ସେୟାର ମାର୍କେଟରେ ଟଙ୍କା ନିବେଶ କଲେ ଦୁଇଗୁଣା ହେବ ବୋଲି ଲୋଭ ଦେଖାଇଥିଲେ । ଓମ୍‌ପ୍ରକାଶଙ୍କ କଥାରେ ପଡ଼ି ଅଧିକ ଟଙ୍କା ଆଶାରେ ବିନୋଦ ଲକ୍ଷ ଲକ୍ଷ ଟଙ୍କା ଜମା କରିବାକୁ ଲାଗିଲେ । ନିଜର ଗାଡ଼ି, ସୁନା ଅଳଙ୍କାର ସବୁ କିଛିକୁ ବନ୍ଧା ପକାଇ ଦଶ ଲକ୍ଷ ଟଙ୍କା ଯୋଗାଡ଼ କରିଥିଲେ। ତା’ପରେ ସାଙ୍ଗସାଥୀ ବନ୍ଧୁ ପରିଜନଙ୍କଠାରୁ ଦଶ ଲକ୍ଷ ଟଙ୍କା ୧୦ ପ୍ରତିଶତ ସୁଧରେ କରଜ ଆଣିଥିଲେ । ମୋଟ୍‌ ୨୦ ଲକ୍ଷ ଟଙ୍କା ଓମ୍‌ପ୍ରକାଶଙ୍କ ଆକାଉଣ୍ଟରେ ଜମା କରିଥିଲେ । ଚାରିମାସ ପରେ ମଧ୍ୟ ଟଙ୍କା ଆସିନଥିଲା ।

ଏ ସମ୍ପର୍କରେ ଓମ୍‌ପ୍ରକାଶଙ୍କୁ ପଚାରିବାରୁ ଦିଲ୍ଲୀ ଆସି ଚେକ୍‌ ନେଇ ଯିବାକୁ ସେ କହିଥିଲେ। ନୂଆଁଖାଇ ସମୟରେ ବିନୋଦ ଦିଲ୍ଲୀ ଯାଇ ଗତ ୧୧ ତାରିଖ ଦିନ ଫେରିଥିଲେ । ଓମ୍‌ପ୍ରକାଶଙ୍କ ପାଖରୁ ଆଣିଥିବା ଚେକ୍‌ ଜମା କରିବାକୁ ସେ ଗତ ୧୨ ତାରିଖ ଦିନ ଟିଟିଲାଗଡ଼ ଯାଇଥିଲେ । ଚେକ୍‌ ଜମା କରିବାପରେ ତାହା ବାଉନ୍ସ ହୋଇଯାଇଥିଲା । ଏହାପରେ ଓମ୍‌ପ୍ରକାଶ ଆଉ ତାଙ୍କ ଫୋନକଲ୍‌ ରିସିଭ କରିନଥିଲେ । ଫଳରେ, ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏହାପରେ ସେ କରଜ କରିଥିବା ଟଙ୍କା ଶୁଝିବା ଚିନ୍ତାରେ ଗତକାଲି ବିଷ ପିଇଦେଇଥିଲେ । ପରିବାର ଲୋକେ ତାଙ୍କୁ ପ୍ରଥମେ ଖଡ଼ିଆଳ ଏବଂ ପରେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ, ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ବିନୋଦଙ୍କ ଜୀବନ ଚାଲିଯାଇଛି ।

ବିନୋଦଙ୍କ ସ୍ତ୍ରୀ, ଜଣେ କଲେଜ ପଢୁଆ ଝିଅ ଓ ଗୋଟିଏ ପୁଅ ଅଛନ୍ତି । ସେ ଟଙ୍କା ଜମା କରୁଥିବା ସମୟରେ ତାଙ୍କ ସ୍ତ୍ରୀ ମନା କରୁଥିଲେ । କିନ୍ତୁ, ରାତାରାତି ଅଧିକ ଟଙ୍କା ରୋଜଗାର କରିବାର ସ୍ୱପ୍ନ ଆଗରେ ସେ କାହାରି କଥା ମାନିନଥିଲେ ।