ପ୍ରଥମ ଥର ଭାରତରେ ମିଳିଲା ବିପୁଳ ସମ୍ପତ୍ତିର ଗନ୍ତାଘର । ଆଗକୁ ଇଲେକ୍ଟ୍ରୋନିକ କ୍ଷେତ୍ରରେ ଆଣିବ ପରିବର୍ତ୍ତନ

6,146

କନକ ବ୍ୟୁରୋ: ଏଥର ଆଉ ଦାଦାଗିରୀ ଦେଖାଇପାରିବ ନାହିଁ ଚୀନ । କାରଣ ଭାରତରେ ମିଳିଛି ଗୁପ୍ତଧନର ଭଣ୍ଡାର । ଜମ୍ମୁ-କାଶ୍ମୀରରେ ମିଳିଛି ବିପୁଳ ପରିମାଣର ଲିଥିୟମ ଭଣ୍ଡାର । ଯାହା ଆଗକୁ ଦେଶର ଆର୍ଥିକ କ୍ଷେତ୍ରକୁ ସୁଧାରିବାରେ ସହାୟକ ହେବ ବୋଲି କୁହାଯାଉଛି ।

ଦେଶରେ ପ୍ରଥମ ଥର ପାଇଁ ଜମ୍ମୁ-କାଶ୍ମୀରରେ ଠାବ ହୋଇଛି ଲିଥିୟମର ବଡ ଭଣ୍ଡାର । ଲିଥିୟମର ଏହି ପ୍ରଥମ ଭଣ୍ଡାର ଯାହା ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ ଦ୍ୱାରା ରିୟାସି ଜିଲ୍ଲାରେ ଚିହ୍ନଟ କରିଛି । ଲିଥିୟମ ଇଲେକ୍ଟ୍ରେନିକ ଯାନ ବାହାନ , ମୋବାଇଲ ଫୋନ୍, କମ୍ପ୍ୟୁଟର ଆଦି ତିଆରି କରିବାରେ ବେଶ୍ ସହାୟକ ହେବ । ଏହି ଖଣି ଖୋଳା ଗଲେ ଭାରତ ଆଉ ଅନ୍ୟ ଦେଶ ମାନଙ୍କ ଉପରେ ଲିଥିୟମ ପାଇଁ ନିର୍ଭର କରିବ ନାହିଁ । ଏହାସହ ଦେଶର ଆର୍ଥିକ ବିକାଶ ଘଟିବ ବୋଲି ଭୂତତ୍ତ୍ୱବିତ୍ ମାନେ କହିଛନ୍ତି ।

ଜମ୍ମୁ-କାଶ୍ମୀର ରିୟାସିରେ ଲିଥିୟମର ଖଣି ଠାବ କରାଯିବା ନେଇ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ଏହା ଭବିଷ୍ୟତରେ ଦେଶ ପାଇଁ ଲାଭପ୍ରଦ ପ୍ରମାଣିତ ହେବ । ଏହା ଏକ ଏପରି ଧାତୁ ଯାହା ଏହି ଖଣିରୁ ୫.୯ ମିଲିଅନ୍ ଅର୍ଥାତ୍ ୫୯ ଲକ୍ଷ ଟନର ଲିଥିୟମ ଗଚ୍ଛିତ ଥିବା ଜଣାପଡିଛି । ପୂର୍ବରୁ ଅଧିକାଂଶତଃ ଲିଥିୟମ୍ ବିଦେଶରୁ ଆମଦାନୀ କରାଯାଉଥିଲା । ହେଲେ ଋଷ –ୟୁକ୍ରେନ ଯୁଦ୍ଧ ପରେ ଏହା ଆମଦାନୀ ହେବା ଉପରେ କଟକଣା ଲାଗିବରୁ ଏହାର ଦାମ ବଢିଯାଇଥିଲା । ହେଲେ ଭାରତରେ ଏହାର ଖଣି ଥିବା ଜଣାପଡିବା ପରେ ଏନେଇ ଦେଶକୁ ଆଶ୍ୱସ୍ତି ମିଳିବ ବୋଲି କୁହାଯାଇଛି । ଫଳରେ ଭବିଷ୍ୟତରେ ଇଲେକ୍ଟୋନିକ୍ ଗ୍ୟାଜେଟ ଗୁଡିକର ଦର ମଧ୍ୟ କମିବା ନେଇ ଆଶା କରାଯାଉଛି ।