ବିହାରରେ ପୋଲିସର ଲାଠିଚାର୍ଜ, ବିଜେପି ନେତାଙ୍କ ମୃତ୍ୟୁ ।

296

କନକ ବ୍ୟୁରୋ : ବିହାର ବିଧାନସଭାରେ ହଙ୍ଗାମା ପରେ ପ୍ରତିବାଦ କରୁଥିବା ବିଜେପି ନେତାଙ୍କ ଉପରେ ପୋଲିସର ଲାଠିଚାର୍ଜ । ଫଳରେ ଜଣେ ବିଜେପି ନେତାଙ୍କର ମୃତ୍ୟୁ ହୋଇଛି । ବିଜେପି ନେତାଙ୍କ କହିବା ଅନୁଯାୟୀ, ପାଟନା ଡାକବଙ୍ଗଳା ଛକ ନିକଟରେ ପ୍ରତିବାଦ କରୁଥିବା ବେଳେ ପୋଲିସ ଲାଠିଚାର୍ଜ କରିଥିଲା । ଫଳରେ ଜହାନାବାଦ ନଗରର ବିଜେପି ନେତା ବିଜୟ କୁମାର ସିଂଙ୍କର ମୃତ୍ୟୁ ହୋଇଛି ।

ପ୍ରଥମେ ପୋଲିସ ଲାଠିପାହାରରେ ବିଜୟ ଆହତ ହୋଇଥିଲେ । ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷିତ କରାଯାଇଥିଲା । ବିଜେପି ନେତାଙ୍କ ମୃତ୍ୟୁ ପରେ ବିହାର ରାଜନୀତି ଉଗ୍ର ରୂପ ଧାରଣ କରିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ଘଟଣାରେ ନୀତିଶ ସରକାରଙ୍କୁ ଘେରିଛନ୍ତି । ନଡ୍ଡା ଟ୍ୱିଟ୍ କରି କହିଛନ୍ତି, ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ପାଟନାରେ ହୋଇଥିବା ଲାଠି ଚାର୍ଜ ରାଜ୍ୟ ସରକାରଙ୍କ ବିଫଳତାକୁ ଦର୍ଶାଉଛି । ମହାଗଠବନ୍ଧନ ସରକାର ଦୁର୍ନୀତିର ଦୁର୍ଗକୁ ବଞ୍ଚାଇବାକୁ ଲୋକତନ୍ତ୍ର ଉପରେ ଆକ୍ରମଣ କରୁଛନ୍ତି ।

ଲାଠିଚାର୍ଜ ପୂର୍ବରୁ ଗୁରୁବାର ବିହାର ବିଧାନସଭାରେ ଜୋରଦାର ହଙ୍ଗାମା ହୋଇଥିଲା । ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ ଉଠିବା ପରେ ଉଭୟ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଜୋରଦାର ଯୁକ୍ତିତର୍କ ହୋଇଥିଲା । ବିଜେପି ସଦସ୍ୟ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିବା ସହ ଗୃହ ଭିତରେ ହୋ ହଲ୍ଲା କରିଥିଲେ । ଫଳରେ ବିଜେପିର ଦୁଇ ବିଧାୟକଙ୍କୁ ବିଧାନସଭାର ମାର୍ଶଲ ଗୃହରୁ ବିଦା କରି ଦେଇଥିଲେ । ଏହାକୁ ବିରୋଧ କରି ବିଧାୟକ ଓ ବିଜେପି ନେତା ଗାନ୍ଧୀ ମୈଦାନ ଅଭିମୁଖେ ରାଲି କରି ଯାଇଥିଲେ । ସେଠାରୁ ପୁଣି ଥରେ ବିଧାନସଭା ପର୍ଯ୍ୟନ୍ତ ମାର୍ଚ୍ଚ କରୁଥିବା ବେଳେ ପୋଲିସ ଲାଠିଚାର୍ଜ କରିଥିଲା ।