ପଂଜାବ ସରକାରଙ୍କ ଉପରେ ସିଦ୍ଧୁ ମୁସେୱାଲା ପରିବାରର ଅଭିଯୋଗ । କହିଲେ ନବଜାତ ଶିଶୁର ଜନ୍ମପ୍ରକିୟା ଉପରେ ରିପୋର୍ଟ ମାଗି ହଇରାଣ କରୁଛନ୍ତି ମୁଖ୍ୟମନ୍ତ୍ରୀ

144

କନକ ବ୍ୟୁରୋ : ପଂଜାବ ସରକାରଙ୍କ ନାଁରେ ଅଭିଯୋଗ ଆଣିଲେ ଲୋକପ୍ରିୟ ପଂଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲଙ୍କ ପରିବାର । ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଓ ତାଙ୍କ ପରିବାରକୁ ମାନସିକ ଯନ୍ତ୍ରଣା ଦିଆଯାଉଥିବା ଭିଡିଓ ଜାରି କରି ଅଭିଯୋଗ ଆଣିଛନ୍ତି ସିଦ୍ଧୁ ମୁସେଲୱାଲଙ୍କ ବାପା ବଲକୌର ସିଂ । ରାଜ୍ୟ ସରକାର ନବଜାତ ଶିଶୁପୁତ୍ର ଆଇନଗତ କି ନୁହେଁ ଏହାର ପ୍ରମାଣ ଦେବାକୁ ତାଙ୍କୁ ନୋଟିସ ଦିଆଯାଇଥିବା ସେ କହିଛନ୍ତି । ଅନ୍ୟପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପଂଜାବର ସରକାରଙ୍କୁ ଆଇଭିଏଫ ଦ୍ୱାରା ହୋଇଥିବା ସନ୍ତାନ ପ୍ରସବ ବାବଦରେ ରିପୋର୍ଟ ମାଗିଛନ୍ତି । ଆଇଭିଏଫର ନିୟମ କହୁଛି ଜଣେ ମହିଳା ଯଦି ୨୦ରୁ ୫୦ ବର୍ଷ ବୟସର ଯଦି ହୋଇଥିବେ ତେବେ ସନ୍ତାନ ପ୍ରସବ କରିପାରିବେ । କିନ୍ତୁ ସିଦ୍ଧୁ୍ଙ୍କ ମା ଚରଣ କୌର ବୟସ ପାଖାପାଖି ୫୮ ବର୍ଷ । ତେବେ କେଉଁ ପରିସ୍ଥିତିରେ ସେ ଆଇଭିଏଫରେ ସନ୍ତାନ ପ୍ରସବ କଲେ ସେନେଇ ରିପୋର୍ଟ ମାଗିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ମାର୍ଚ୍ଚ ୧୪ରେ ସିଦ୍ଧୁ ମୁସେୱାଲଙ୍କ ମା’ ଆଇଭିଏଫ ପ୍ରକିୟାରେ ୨ୟ ଥର ପାଇଁ ସନ୍ତାନ ଜନ୍ମ ଦେଇଥିଲେ । ୨୨ମାସ ପୂର୍ବରୁ ସିଦ୍ଧୁଙ୍କୁ ହତ୍ୟା କରାଯିବା ପରେ ଭାଙ୍ଗିପଡିଥିଲା ମୁସେୱାଲ ପରିବାର । ପୁଅକୁ ଝୁରି ରହିବା ପରେ ଆଇଭିଏଫରେ ପୁଣି ଥରେ ମା’ ହେବାକୁ ନିଷ୍ପତି ନେଇଥିଲେ ସିଦ୍ଧୁଙ୍କ ମା । ବଲକୌର ସିଂଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ଆମ ଆଦମୀ ପାର୍ଟି ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ନୋଟିସ ପଠାଇ ହଇରାଣ କରିବା ଏକ ନିନ୍ଦନିୟ କାମ କହି ଆପକୁ ସମାଲୋଚନା କରିଛନ୍ତି କଂଗ୍ରେସ ଓ ବିଜେପି । କିଛି ଦିନ ପୂର୍ବରୁ ସିଦ୍ଧୁଙ୍କୁ ଗୁଳିମାଡ କରି ହତ୍ୟା କରାଯିବା ଘଟଣା ସାରା ଦେଶରେ ଚହଳ ପକାଇଥିଲା ।