ମହାରାଷ୍ଟ୍ର ରାଇଗଡ଼ରେ ବର୍ଷା ବିତ୍ପାତ । ଭୂସ୍ଖଳନରେ ଦବି ଗଲା ପୂରା ଗାଁ, ବଢୁଛି ମୃତ୍ୟୁ ସଂଖ୍ୟା

240

କନକ ବ୍ୟୁରୋ : ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇ ରାଜ ରାସ୍ତାରେ ଲହଡି ମାରୁଛି ଆଣ୍ଠୁଏ ଉଚ୍ଚର ପାଣି । ଯୁଆଡେ ଅନାଇବ କେବଳ ପାଣି । ତେଣୁ ଯାତାୟତ ବାଧାପ୍ରାପ୍ତ । ପ୍ରବଳ ବର୍ଷାରେ ଜାତୀୟ ରାଜପଥ ଜଳାଶୟର ଭ୍ରମ ସୃଷ୍ଟି କରିଛି । ରାତି ସମୟ ହୋଇଥିବାବେଳେ ରାସ୍ତାରେ ପ୍ରବଳ ପାଣି ଯୋଗୁଁ ଲୋକଙ୍କ ଯାତାୟାତରେ ଆହୁରି ଅଧିକ ବାଧା ସୃଷ୍ଟି କରିଛି । ରାସ୍ତାରେ ଅଧିକ ଉଚ୍ଚର ପାଣି ଯୋଗୁଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଛି । କେବଳ ରାସ୍ତାଘାଟ ନୁହେଁ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଘର, ଅଫିସ , ପୋଲିସ ଷ୍ଟେସନ ଆଦି କାର୍ଯ୍ୟାଳୟରେ ପାଣି ପଶିଯାଇଛି । ପ୍ରବଳ ବର୍ଷା ଯୋଗୁଁ ଥାନେ, ପାଲଲହଡ଼ା, ରାଏଗଡ଼ ଭଳି ମହାରାଷ୍ଟ୍ରର ବହୁ ସ୍ଥାନ ଓ ଗୁଜରାଟରେ ରେର୍ଡ଼ ଅଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ବିଳମ୍ବିତ ରାତିରେ ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ଚାଲିଯାଇଛି ପାଖାପାଖି ୧୦ ଜଣଙ୍କ ଜୀବନ । ଏହା ସହ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଇଛି । ଅନ୍ୟପଟେ ଆହୁରି ବହୁ ଲୋକ ଫସିରହିଛନ୍ତି । ଘଟଣାରେ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି । ଭୂସ୍ଖଳରରେ ପାଖାପାଖି ୩୦ରୁ ଅଧିକ ପରିବାର ପ୍ରଭାବିତ ହୋଇଛନ୍ତି । ଘଟଣାସ୍ଥଳରେ ୪ଟି ଏନଡ଼ିଆରଏଫ ଟିମ ଓ ବହୁ ଏନଜିଓ ସଂସ୍ଥା ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘଟଣାସ୍ଥଳରେ ପହଁଚି ସମୀକ୍ଷା କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏକନାଥଙ୍କ ସହ କଥା ହୋଇ ଘଟଣା ବାବଦରେ ଅନୁଧ୍ୟାନ କରିଛନ୍ତି । ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ । ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

ବହୁ ଅଧିକାରୀ ଭୂସ୍ଖଳନ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବା ସହ ହସ୍ପିଟାଲରେ ଆହତଙ୍କୁ ଭେଟିଛନ୍ତି । ଅନ୍ୟପଟେ ଆଦିତ୍ୟ ଠାକରେ ମଧ୍ୟ ଯାଇ ପୀଡ଼ିତଙ୍କୁ ଭେଟିଛନ୍ତି । ଭୂସ୍ଖଳନର କାଳରାତି ଘଟଣା ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।