ଜଗନ୍ନାଥ ଧାମରେ ଜମି ପାଇଁ ଯାଉଛି ଜୀବନ । ଶ୍ରୀକ୍ଷେତ୍ରରେ ବଢୁଛି ସୁପାରି କିଲିଂ!

ଗୁନ ସିଂହାରୀ, କୃଷ୍ଣ ପ୍ରତିହାରୀ ହତ୍ୟା ପଛରେ ଜମି ବିବାଦ ରହିଥିବା ଚର୍ଚ୍ଚା

112

କନକ ବ୍ୟୁରୋ: ପୁରୀ କୃଷ୍ଣ ପ୍ରତିହାରୀ ହତ୍ୟା ଘଟଣାରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । ଯେଉଁ ଜମି ପାଇଁ ଦଶ ବର୍ଷ ପୂର୍ବରୁ ବରିଷ୍ଠ ସେବାୟତ ଗୁନ ସିଂହାରୀଙ୍କ ଜୀବନ ଯାଇଥିଲା, ସେହି ଜାଗା ପାଇଁ ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣ ପ୍ରତିହାରୀଙ୍କ ବି ଜୀବନ ଯାଇଛି । ସିପ ସରୁବାଲିଠାରେ ଏକ ମଠର ବଡ ଜମିଟିଏ ରହିଛି । ଏହାକୁ ନେବା ପାଇଁ ଚାହୁଁଥିଲେ ଗୁନସିଂହାରୀ । ଅନ୍ୟପଟେ କୃଷ୍ଣ ବି ଏହି ଜମି ପାଇଁ ଜିଦ ଧରି ବସିଥିଲେ । ଏହାର କିଛି ଦିନ ପରେ ଗୁନ ସିଂହାରୀଙ୍କୁ ହତ୍ୟା କରାଗଲା । ଦଶ ବର୍ଷ ପରେ ବି ଏହି ଜମିଟି କୃଷ୍ଣଙ୍କ ପାଖକୁ ଆସି ପାରିନଥିଲା । ଏଥିରେ ଆହୁରି ବିବାଦ ବଢ଼ିଯାଇଥିଲା ଆଉ ଶେଷରେ ପୁଣି କୃଷ୍ଣ ପ୍ରତିହାରୀଙ୍କୁ ହତ୍ୟା କରାଗଲା ।

ଦଶ ବର୍ଷ ତଳେ ଗୁନ ସିଂହାରୀ ଆଉ ଏବେ କୃଷ୍ଣ ପ୍ରତିହାରୀ । ପୁରୀ ଶ୍ରୀମନ୍ଦିରର ଏହି ଦୁଇ ବରିଷ୍ଠ ସେବାୟତଙ୍କ ବୀଭତ୍ସ ହତ୍ୟା ପଛରେ ଯେଉଁ କାରଣ ସାମ୍ନାକୁ ଆସୁଛି ତାହା ଆଶ୍ଚର୍ଯ୍ୟ କଲା ଭଳି । ଶଙ୍କରପୁର ମୌଜାରେ ଥିବା ଏକ ଦଶ ଏକର ପରିମିତ ଜମିର ମାଲିକାନାକୁ ନେଇ ଉଭୟ ଘଟଣା ଘଟିଥିବା ଜଣାପଡିଛି । ଗତ ୧୬ ତାରିଖରେ କୃଷ୍ଣଙ୍କୁ ହତ୍ୟା କରାଯାଇଥିବା ସ୍ଥାନରୁ ପୋଲିସ ଜବତ କରିଥିବା ଦସ୍ତାବିଜରୁ ଏହା ଅନୁମାନ କରୁଛନ୍ତି ପୁରୀର ବୁଦ୍ଧିଜୀବି । ସିପ ସରୁବାଲି ଠାରେ ପ୍ରସ୍ତାବିତ ପୁରୀ ବିମାନବନ୍ଦର ନିକଟରେ ଥିବା ଏହି ମୂଲ୍ୟବାନ ଜମିକୁ ହାତେଇବା ପାଇଁ ଦୀର୍ଘ ଦିନରୁ ଏହି ସେବାୟତ ଗୋଷ୍ଠୀଙ୍କ ସହ କିଛି ଅପରାଧୀ ହାତ ମିଳାଇଛନ୍ତି ।

ଏପଟେ ହତ୍ୟାକାଣ୍ଡକୁ ୫ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନି ପୁରୀ ପୋଲିସ । ହତ୍ୟାକାରୀଙ୍କୁ ଚିହ୍ନଟ କରାଯାଇଥିଲେ ମଧ୍ୟ ଗିରଫ କରାନଯିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢୁଛି । ବିଭିନ୍ନ ନିଯୋଗ ମଧ୍ୟରେ ସମନ୍ୱୟ ରଖି ବିବାଦର ସମାଧାନ ପାଇଁ ପ୍ରଶାସନ ଉଦ୍ୟମ କରିବାକୁ କହିଛନ୍ତି ବରିଷ୍ଠ ସେବାୟତ । ତେବେ ଦିନ ଦିପହରରେ ଗୁନ ସିଂହାରୀଙ୍କୁ ହତ୍ୟା କରାଯାଇଥିଲା । କିନ୍ତୁ ପ୍ରମାଣ ଅଭାବରୁ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଶରେ ଖଲାସ ହୋଇଥଲେ । ତେଣୁ ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ, ଶ୍ରୀକ୍ଷେତ୍ରର ସମ୍ମାନ ଉପରେ ମଧ୍ୟ ଆଞ୍ଚ୍ ଆଣୁଥିବାରୁ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଉଠିଛି ।